ମନୋଜ ଦାସ ସ୍ମୃତିସଭା: ‘ମନୋଜ ଦାସ ଏକସଙ୍ଗରେ ବିସ୍ମୟ ବାଳକ, ଅଲିମ୍ପିକ୍ସ ଧାବକ’

ଭୁବନେଶ୍ବର: ବିସ୍ମୟ ବାଳକମାନେ ଲମ୍ବା ବାଟ ଚାଲି ପାରନ୍ତିନାହିଁ। ସେମାନଙ୍କର ଯାତ୍ରା ଶୀଘ୍ର ଶେଷ ହୋଇଯାଏ। ଦୀର୍ଘ ଯାତ୍ରା ଯେଉଁମାନେ ଚାଲନ୍ତି ସେମାନେ ବିସ୍ମୟ ବାଳକ ନୁହନ୍ତି, ସେମାନେ ଦୀର୍ଘ ପଥ ଦୌଡ଼ି ଥିବା ଅଲିମ୍ପିକ୍‌ସ ଧାବକ। କିନ୍ତୁ ମନୋଜ ଦାସ ଗୋଟେ ପଟେ ବିସ୍ମୟ ବାଳକ, ଅନ୍ୟପଟେ ଅଲିମ୍ପିକ୍‌ସ ଧାବକ। ଏହି ବୈଶିଷ୍ଟ୍ୟ ସବୁକୁ ‌ଦେଖିଲେ ତାଙ୍କ ସମ୍ପର୍କରେ କହିବାକୁ ଦ୍ବିଧା ଲାଗେ। ତାଙ୍କ କରିସ୍ମାକୁ ବିଶ୍ଳେଷଣ କରିହୁଏ ନାହିଁ। ଯେଉଁମାନେ ମନୋଜ ଦାସଙ୍କ ସମ୍ପର୍କରେ ଲେଖନ୍ତି, କୁହନ୍ତି ଓ ପଢ଼ନ୍ତି, ସେମାନେ ମୋହମୁଗ୍ଧ ହୋଇଯାଆନ୍ତି।

୭୩ ବର୍ଷ ଧରି ସେ କବିତା, ଗଳ୍ପ, ଉପନ୍ୟାସ, ସ୍ତମ୍ଭ ଲେଖିଛନ୍ତି। ୧୩-୧୪ ବର୍ଷ ବୟସରେ ତାଙ୍କର କବିତା ପୁସ୍ତକ ପ୍ରକାଶ ପାଇଥିଲା। ବାରମ୍ବାର ନୂଆ ଆବିଷ୍କାର, ନିଜକୁ ନୂଆ ଢଙ୍ଗରେ ଚିହ୍ନୁଥିବା ଅପ୍ରତୀମ ଲେଖକ ମନୋଜ ଦାସ। ତାଙ୍କର ଆଉ ଏକ ବଡ଼ ପରିଚୟ ସେ ଥିଲେ ଦ୍ବିଭାଷୀ ଲେଖକ। ଓଡ଼ିଶାରେ ଯେତେ ଦ୍ବିଭାଷୀ ଲେଖକ ଅଛନ୍ତି ତାଙ୍କର ପ୍ରତିଷ୍ଠା ସମଗ୍ର ଭାରତ ବର୍ଷରେ ସ୍ବତନ୍ତ୍ର ବୋଲି ଆଜି ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମନୋଜ ଦାସ ସ୍ମୃତିସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି ବରିଷ୍ଠ ପ୍ରାବନ୍ଧିକ ଡ. ଦେବେନ୍ଦ୍ର କୁମାର ଦାଶ।

ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସଭାରେ ଉଦ୍‌ଘାଟକ ଭାବେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେ କହିଲେ ମନୋଜ ଦାସ ଓଡ଼ିଆ ଜାତିର ପରିଚୟ। ତାଙ୍କ ଭଳି ଜଣେ ବାଗ୍ମୀ ଓଡ଼ିଶାରେ ଜନ୍ମ ଗ୍ରହଣ କରି ଓଡ଼ିଶା ମାଟିକୁ ଧନ୍ୟ କରିଛନ୍ତି। ମୁଖ୍ୟ ଅତିଥି ଭାବେ ସୁଖ୍ୟାତ କଥାକାର ଅଚ୍ୟୁତାନନ୍ଦ ପତି ଯୋଗଦେଇ କହିଲେ ମଣିଷର ଅନୁଭବ ଯେତେବେଳେ ଅତି ପ୍ରବଳ ହୋଇଯାଏ, ତାକୁ ଭାଷାରେ ପ୍ରକାଶ କରି ହୁଏନାହିଁ।

ମନୋଜ ଦାସଙ୍କ ପ୍ରତି ପ୍ରତ୍ୟେକ ପାଠକଙ୍କର ଅନୁଭବ ପ୍ରବଳ ମାତ୍ରାରେ ରହିଛି। ତେଣୁ ତାଙ୍କ ପ୍ରତି ଭଲ ପାଇବା ଭାଷାରେ ପ୍ରକାଶ କରିହୁଏ ନାହିଁ ବୋଲି ଶ୍ରୀ ପତି କହିଥିଲେ। ବିଶିଷ୍ଟ ଅତିଥି ଭାବେ ସୁଲେଖିକା ଡ. ମାଳବିକା ରାୟ ତାଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ଓ ଅନ୍ତରଙ୍ଗ ମୂହୂର୍ତ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ମୃତି ସଂସଦର ଅଧ୍ୟକ୍ଷ ତଥା କଥାକାର ବିଜୟ ନାୟକ ସଭାପତିତ୍ବ କରିବା ସହ ନିଜ ବକ୍ତବ୍ୟରେ ଏକ ସୁନ୍ଦର ଗଳ୍ପ ମାଧ୍ୟମରେ ମନୋଜ ଦାସଙ୍କ ଚିନ୍ତାଚେତନା କିପରି ଥିଲା ତାହା ପ୍ରକାଶ କରିଥିଲେ। ଗାଳ୍ପିକ ତଥା ସଂସଦର ସମ୍ପାଦକ ଗୌତମବୁଦ୍ଧ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରି ମନୋଜ ଦାସଙ୍କ ଜୀବନ ଦିବ୍ୟଜ୍ୟୋତିର ଶିଖା ପରି ବୋଲି କହିଥିଲେ। ଏଥିସହ ମନୋଜ ଦାସଙ୍କ ସାହିତ୍ୟ ଓ ଦର୍ଶନକୁ ସଂସଦ ଦ୍ବାରା ବହୁଳ ଭାବେ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଥିଲେ।

ସଂସଦର ସାଂସ୍କୃତିକ ସମ୍ପାଦକ ସରୋଜ ବଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବାଗ୍‌ଦେବୀ ଲିଟରେଚର ଫେଷ୍ଟିଭାଲ୍‌ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ମନସ୍ବୀ ମନୋଜ’ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଦିବଗଂତ ସ୍ରଷ୍ଟା ପ୍ରଫୁଲ୍ଲ କର, ବୀଣାପାଣି ମହାନ୍ତି ଓ ରବୀନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଟାଇମ୍‌ପାସ୍‌ ଦ୍ବାରା ପ୍ରକାଶିତ ମନୋଜ ଦାସଙ୍କ ଶ୍ରେଷ୍ଠ ଗଳ୍ପର ଦ୍ବିତୀୟ ସଂସ୍କରଣ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିବା ସହ ମନୋଜ ଦାସଙ୍କ ଭାତୃ ପୁତ୍ରବଧୂ ରଞ୍ଜିତା ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସହ ସମ୍ପାଦକ ଅମିତାଭ ଖିଲାର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର