ଭୁବନେଶ୍ବର: ଦୁଇଜଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଘିଅ ଢାଳିଛନ୍ତି ଅଭିନେତା ତଥା କଂଗ୍ରେସ ନେତା ମନୋଜ ମିଶ୍ର। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ୍ କରି ମନୋଜ ପୁଣି ଥରେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରାଯାଉଥିବା ପରୋକ୍ଷରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁଯୋଗ ପାଇବାମାତ୍ରେ ବିଭିନ୍ନ ବାହାନାରେ ଓଡ଼ିଶାକୁ ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଲଢ଼ାଇବାକୁ ମନୋଜ ପ୍ରୟାସ କରୁଥିବା ଅଭିଯୋଗ ଉଠିଛି।
ସୂଚନାଯୋଗ୍ୟ ଯେ ରଥଯାତ୍ରା ଚାଲିଥିବା ସମୟରେ ୨୬ ସେକେଣ୍ଡର ପରିହାସମୂଳକ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ସେଥିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା ମହାପ୍ରଭୁଙ୍କର ଏକ ଭଜନକୁ ଅପମାନ କରିବା ଭଳି ଗାଇଥିବା ନେଇ ଅଭିଯୋଗ ହୋଇଥିଲା। ବାଣୀକଣ୍ଠ ନିମାଇଁ ହରିଚନ୍ଦଙ୍କ ଲୋକପ୍ରିୟ ଭଜନ ‘‘ଆସ ଆସ ଆସ ମୋର ସରଗ ତାରା ଲୋ… ଅନା ଅନା କାଳିଆର ରଥ ଯାତରା ଲୋ…’’ ଭଜନକୁ ଏହି ଦୁଇ କଣ୍ଠଶିଳ୍ପୀ ଉପହାସ କରିଥିବାନେଇ କ୍ୟାପିଟାଲ ଥାନାରେ ଏକାଧିକ ସଂଗଠନ ଓ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାର ଦାବି ସହିତ ସେମାନଙ୍କୁ ସାମାଜିକ ଗଣମାଧ୍ୟମରେ ଅନ୍ଫଲୋ ଓ ବଏକଟ୍ କରିବାକୁ ଆହ୍ବାନ ଦିଆ ଯାଇଥିଲା।
ତେବେ ଗତକାଲି ହିଁ ରୁକୁ ସୁନା ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ। ଫଳରେ ବିବାଦ କିଛି ମାତ୍ରାରେ ଥମିବାକୁ ଆରମ୍ଭ କରିଥିଲା। କିନ୍ତୁ ମନୋଜ ମିଶ୍ରଙ୍କ ପୋଷ୍ଟ୍ ପୁଣି ବିବାଦକୁ ତେଜି ଦେଇଛି। ଶ୍ରୀ ମିଶ୍ର ପୋଷ୍ଟ୍ କରିଥିବା ଉକ୍ତ ଭିଡିଓରେ ଭିଡ଼ିଓରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ବହୁ ପରିଚିତ ଭଜନ ‘‘ଲୋ ଚାନ୍ଦମୁହିଁ ଯାଉଛି ଦାରୁ ଖୋଜି ମୁହିଁ…’’ ଭଜନର ଶୈଳୀରେ ପପୁ ପମ୍ପମ୍ ‘‘ଲୋ ପୋଡ଼ାମୁହିଁ...’’ ଭଳି ଏକ ନିମ୍ନମାନର କମେଡି ଗୀତ ଗାଉଥିବାର ଦୃଶ୍ୟ ରହିଛି। ସେହିପରି ଅନ୍ୟକିଛି ଲୋକପ୍ରିୟ ପୁରୁଣା ଭଜନ ବା ଭକ୍ତିଗୀତ ଶୈଳୀରେ ପ୍ରସ୍ତୁତ ହୋଇଥିବା ଗୀତ ସ୍ଥାନ ପାଇଛି। ଭିଡିଓକୁ ପେଷ୍ଟ କରି ମନୋଜ ଲେଖିଛନ୍ତି, ‘‘ପପୁ ପମ୍ପମ୍ ତମ ଭାଗ୍ୟ ଭଲ। ତମେ ପଶ୍ଚିମ ଓଡ଼ିଶାରେ ଜନ୍ମ ହେଇନ। ନହେଲେ ହ୍ୟୁମାନ ସାଗର ଓ ରୁକୁ ସୁନା ଭଳିଆ ତୁମ ହାଲ୍ ହୋଇଥା’ନ୍ତା।’’
କେବଳ ଏତିକି ନୁହେଁ, ଅଭିନେତା କୁନା ତ୍ରିପାଠୀ ‘‘ଲୋ ଚାନ୍ଦମୁହିଁ ଯାଉଛି ଦାରୁ ଖୋଜି ମୁହିଁ…’’ ଶୈଳୀରେ ଅନ୍ୟଏକ ଗୀତ ଗାଇଥିବା ଭିଡିଓ ପୁଣି ସେ ଆଜି ସନ୍ଧ୍ୟାରେ ପୋଷ୍ଟ୍ କରିଛନ୍ତି। ସେଥିରେ ଚ୍ୟାଲେଞ୍ଜ କରିବାଭଳି ସେ ଲେଖିଛନ୍ତି ‘‘ପ୍ରଯୋଜକ ଦୀପ୍ ସାମଲ ହ୍ୟୁମାନ ସାଗରଙ୍କୁ ବ୍ୟାନ୍ କରିଦେଲେ, ଯଦି ଦମ୍ ଅଛି କୁନା ତ୍ରିପାଠୀଙ୍କୁ ବ୍ୟାନ୍ କରିକି ଦେଖାଅ’’। ଅନେକ ମନୋଜଙ୍କୁ ସମର୍ଥନ କରିଥିବାବେଳେ ତା’ଠାରୁ ଅଧିକ ତାଙ୍କୁ ବିରୋଧ କରିବାର ଦେଖା ଯାଉଛି। ଶ୍ରୀ ମିଶ୍ରଙ୍କ ଉପରେ ପୂର୍ବରୁ ମଧ୍ୟ ଉପକୂଳ ଓ ପଶ୍ଚିମ ଓଡ଼ିଶା ବିବାଦ ବଢ଼ାଉଥିବା ଅଭିଯୋଗ ଥିବାବେଳେ ଏବେ ପୁଣି ସମାନ ପ୍ରୟାସ କରୁଛନ୍ତି ବୋଲି ସମାଲୋଚନା ହେଉଛି। ଉଲ୍ଲେଖନୀୟ ଯେ ପୂର୍ବ ବିବାଦ ପରେ ତାଙ୍କୁ କଂଗ୍ରେସ ଟିକେଟ୍ ମିଳିଥିଲା। ହେଲେ ବଲାଙ୍ଗୀର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ସେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲେ।