ପାଠକଙ୍କୁ ମୋହଗ୍ରସ୍ତ କରୁଥିଲା ମନୋଜଙ୍କ ଲେଖା

ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଯୁଗସ୍ରଷ୍ଟା ସାଧକ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ତୁଙ୍ଗିମ ମନୋଜ ସ୍ମୃତିସନ୍ଧ୍ୟା’ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟକ ଭାବେ ଯୋଗଦେଇ ମନୋଜ ଦାସଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ମନୋଜଙ୍କ ଶଙ୍ଖାରୀ ବାସଭୂମିକୁ ମନ୍ମଥ-ମନୋଜ ସ୍ମାରକୀ ପୀଠ ଭାବେ ବିକଶିତ କରାଯିବ। ମନୋଜଙ୍କ ନାଁରେ ଜାତୀୟସ୍ତରରେ ଜଣେ ଇଂରାଜୀ ଲେଖକଙ୍କୁ ଦଶଲକ୍ଷ ଟଙ୍କାର ଏକ ପୁରସ୍କାର ପ୍ରଦାନ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଏକଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯିବ। ମୁଖ୍ୟଅତିଥି ଭାବେ ଏକାଡେମିର ପୂର୍ବତନ ସଭାପତି ସାତକଡ଼ି ହୋତା ଯୋଗ ଦେଇ କହିଲେ ମନୋଜ ଦାସଙ୍କ ସମସ୍ତ ଲେଖା ପାଠକମାନଙ୍କୁ ମୋହଗ୍ରସ୍ତ କରୁଥିଲା।

ଏଥିସହ ତାଙ୍କୁ ଯେ କୌଣସି ପ୍ରଶ୍ନ କଲେ ମଧ୍ୟ ସେ ତା’ର ଅତ୍ୟନ୍ତ ସରଳ ଉତ୍ତର ଦେଉଥିଲେ। ତେଣୁ ପାଠକମାନେ ତାଙ୍କୁ ଶିକ୍ଷକ ଭାବେ ଗ୍ରହଣ କରୁଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ତଥା ସୁସାହିତ୍ୟିକ ବିଭୂତି ପଟ୍ଟନାୟକ କହିଥିଲେ ଲେଖନୀ ମାଧ୍ୟମରେ ମନୋଜ ଦାସ ସମାଜକୁ ବ‌ଦଳେଇବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ। ତେଣୁ ବର୍ତ୍ତମାନ ସମୟରେ ଦୁର୍ନୀତିମୁକ୍ତ ସମାଜ ଗଠନ ହୋଇପାରିଲେ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଦାସଙ୍କ ସାରସ୍ୱତ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ। ଏକାଡେମିର ସଭାପତି ତଥା କବି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ ପ୍ରବୋଧ କୁମାର ରାଉତ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭା ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ମନୋଜ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଉପ ସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର