ସିନେମାରେ ବଞ୍ଚୁଥିଲେ ମନମୋହନ, ଅଧା ରହିଗଲା ଆଉ ୫ ସିନେମାର ସ୍ବପ୍ନ

କିଏ ହୁଏତ ନିଜ ଆକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ସିନେମା କରୁଥିଲା। ମାତ୍ର ସିନେମା ଥିଲା ମନମୋହନ ମହାପାତ୍ରଙ୍କ ନିଶ୍ବାସ। ସିନେମା ବିଷୟରେ କଥା ପଡ଼ିଲେ ରାତି ପାହି ଯାଉଥିଲା। କିଏ ସିନା ସିନେମାକୁ ନେଇ ବଞ୍ଚୁଥି‌ଲା ସେ କିନ୍ତୁ ସିନେମାରେ ବଞ୍ଚୁଥିଲେ। ଏପରିକି ମେଡିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ବି ଯଦି କେହି ଫିଲ୍ମ ଦୁନିଆର ଲୋକଟିଏ ପହଞ୍ଚି ଯାଉଥିଲା ସେଠି ବି ଫିଲ୍ମ ଖଟି ଜମି ଯାଉଥିଲା। ବୋଧେ ସେଇଥିପାଇଁ ସେ ଏକ ସାକ୍ଷାତକାରରେ କହିଥିଲେ ଚଳଚ୍ଚିତ୍ରରେ କାମ କରୁଥିବା ଲୋକର ଅବସର ନାହିଁ। ଭଲ ସିନେମାଟିଏ କରିବାର ଇଚ୍ଛା ଏଯାଏଁ ମତେ ବଞ୍ଚେଇ ରଖିଛି। ମାତ୍ର ତାଙ୍କ ସବୁ ସ୍ବପ୍ନ ଅଧୁରା ରହିଗଲା। ସେ ଫେରିଗଲେ ଅଫେରା ରାଇଜକୁ…

‘ଅଶନି ସଙ୍କେତ’ ଚଳଚ୍ଚିତ୍ରରୁ ପ୍ରଭାବିତ ହୋଇଥିଲେ
ସତୁରି ଦଶକରେ ସେ ନିଜ ବାପା ମା’ଙ୍କ ସହ କୋଲକାତାରେ ରହୁଥିଲେ। ସେ ରହୁଥିବା ଘର ପାଖରେ ଏକ ଷ୍ଟୁଡିଓ ଥିଲା। ତେଣୁ ଛୋଟବେଳୁ ସେ ସେଠାକୁ ଥିଏଟର ଓ ସିନେମା ସୁଟିଂ ଦେଖିବାକୁ ଚାଲିଯାଉଥିଲେ। ଫିଲ୍ମ ପ୍ରତି ଆକର୍ଷଣ ବଢ଼ୁଥିବା ବେଳେ ସତ୍ୟଜିତ ରାୟଙ୍କ ନିର୍ମିତ ‘ଅଶନି ସଙ୍କେତ’ ଚଳଚ୍ଚିତ୍ର ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତେଣୁ ସେ ଫିଲ୍ମ ପାଠ ପଢ଼ି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ।

‘ଶୀତରାତି’ର ସୁଟିଂ ସ୍ଥଳରୁ ଜନ୍ମ ନେଲା ‘ନିରବ ଝଡ଼’
‘ଶୀତରାତି’ ଚଳଚ୍ଚିତ୍ର ସୁଟିଂ ପାଇଁ ସେ କାଳୁପଡ଼ା ରେଳ ଷ୍ଟେସନ୍‌କୁ ଯାଇଥାନ୍ତି। ସେଠାରେ ଦେଖିଲେ ବହୁ ସଂଖ୍ୟକ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଯିବାକୁ ବାହାରିଛନ୍ତି। ‌ହେଲେ କାହା ମନରେ ଖୁସି ନଥାଏ। ସେଇ ଲୋକଙ୍କ ମନର ଭାବକୁ ପଢ଼ି ନେଇ ଦାଦନ ସମସ୍ୟାକୁ ନେଇ ନିର୍ମାଣ କରିଥିଲେ ଚଳଚ୍ଚିତ୍ର ‘ନିରବ ଝଡ଼’। ନିଜ ଘରେ ଓ ଗାଁ’ରେ ରହିବାକୁ ଇଚ୍ଛା ଥିଲେ ହେଁ କିଭଳି ପରିସ୍ଥିତିରେ ପଢ଼ି ଲୋକଟିଏ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଉଛି ଏବଂ ସେଠି ନିର୍ଯାତନାର ଶିକାର ହେଉଛି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କର ‘ଅଗ୍ନିବୀଣା’ ଚଳଚ୍ଚିତ୍ର ମଧ୍ୟ ଏହି ଦାଦନ ଉ‌ପ‌ରେ ଆଧାରିତ ଥିଲା। ଯେଉଁଠିକୁ ଯାଆନ୍ତି ସେଠାରେ ସେଇ ମଣିଷର ମନର ଭାଷାକୁ ପଢ଼ନ୍ତି। ତାହାକୁ ଚଳଚ୍ଚିତ୍ରରେ ରୂପାନ୍ତର କରନ୍ତି। ‘ଭିନ୍ନ ସମୟ’ ଚଳଚ୍ଚିତ୍ରରେ ସେହିଭଳି ଜଣେ ବ୍ୟକ୍ତିଙ୍କ ଚଞ୍ଚଳ ମନକୁ ନେଇ ସେ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ଅଧା ରହିଗଲା ଆଉ ୫ ସିନେମାର ସ୍ବପ୍ନ
ଦେହ ଖରାପ ଯୋଗୁଁ ବାରମ୍ବାର ମେଡିକାଲ୍‌ ଯାଉଥିଲେ। ମାତ୍ର ସିନେମା ବିନା ମନ ଲାଗୁନଥିଲା। ଏନେଇ ତାଙ୍କ ସହ ଅନେକ ସିନେମାରେ ସିନେମାଟୋଗ୍ରାଫର ଭାବେ କାମ କରିଥିବା ଦିଲ୍ଲୀପ ରାୟ କୁହନ୍ତି, କେବେ ମେଡିକାଲ୍‌ରେ ବସି କାହାଣୀ ଭାବି ନେଉଥିଲେ ତ ଆଉ କେବେ ଘରେ ବସି କାହାଣୀର ପରିକଳ୍ପନା କରୁଥିଲେ। ମୁଁ ଯିବା ମାତ୍ରେ ମୋ ସହ ସିନେମାକୁ ନେଇ ଗପିବା ଆରମ୍ଭ କରି କହୁଥିଲେ, ବୁଝିଲ ଏମିତି କାହାଣୀଟେ ଭାବିଛି। ପୁଣି ଏଇ ନିକଟରେ ଗତ ସୋମବାର ଯେବେ ସଂଳାପକାର ଜାକିର୍‌ ଖାନ୍‌ ସୁଦର୍ଶନ ତାଙ୍କ ପାଖକୁ ୯ ନମ୍ବରସ୍ଥିତ ବାସଭବନକୁ ଯାଇଥିଲେ ସେତେବେଳେ ବି ଗପ ଆଳରେ କହିଥିଲେ, ମୁଁ ଆହୁରି ୫ଟା ସିନେମା କଲା ପରେ ମତେ ଶାନ୍ତି ମିଳିବ। ମାତ୍ର ସେ ଦେଖିଥିବା ସ୍ବପ୍ନ ଅଧା ରହିଗଲା।

ସମ୍ବନ୍ଧିତ ଖବର