ଭୁବନେଶ୍ବର: ଶିକ୍ଷକମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ। ଛାତ୍ରମାନଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଧ‌ାରଣ ଛାତ୍ରକୁ ଅସାଧାରଣ ପ୍ରତିଭାର ଅଧିକାରୀ କରାଇବାର ସାମର୍ଥ୍ୟ ଜଣେ ଆଦର୍ଶ ଶିକ୍ଷକଙ୍କ ନିକଟରେ ରହିଛି। କିନ୍ତୁ ଏହି ଆଦର୍ଶ ଶିକ୍ଷକମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାକୁ ଲାଗିଛି। ଏହାର ପ୍ରତିକାର ଲାଗି ଆମ ଶିକ୍ଷା ବ୍ୟବସ୍ଥାକୁ ଉଚିତ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି ବୋଲି ଆଦର୍ଶ ଶିକ୍ଷକ ଇନ୍ଦ୍ରମଣି ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ଓ ପୁସ୍ତକ ଲୋକାର୍ପଣ ସମାରୋହରେ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ରତ୍ନଚିରା ପବ୍ଲିକେସନ୍‌ ଦ୍ବାରା ପ୍ରକାଶିତ ପୂର୍ବତନ ସଂସ୍କୃତି ସଚିବ ‌ମନୋରଂଜନ ପାଣିଗ୍ରାହୀଙ୍କ ଲିଖିତ ପୁସ୍ତକ ‘ବିତତ ବୀଥିକା’ ଓ ସ୍ମରଣିକା ‘ସ୍ମୃତି ଦର୍ପଣରେ ଇନ୍ଦ୍ରମଣି ସାର୍‌’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

Advertisment

ବୁଦ୍ଧମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ, ଜଣେ ଛାତ୍ରର ଚରିତ୍ର ଗଠନ, ଦକ୍ଷତା ବିକାଶ, ଭବିଷ୍ୟତ ନିର୍ଦ୍ଧାରଣ କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ମହତ୍ତ୍ବପୂର୍ଣ୍ଣ। ସ୍ବର୍ଗତ ପାଣିଗ୍ରାହୀଙ୍କ ଭଳି ଆଦର୍ଶ ଶିକ୍ଷକ ନିଜ ଛାତ୍ରମାନଙ୍କ ଉତ୍ତମ ଭବିଷ୍ୟତ ଲାଗି ସର୍ବଦା କାର୍ଯ୍ୟ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗଦ୍ୟ ଆମ ସାହିତ୍ୟର ଏକ ଅବହେଳିତ ଅଙ୍ଗ। କୌଣସି ବାର୍ତ୍ତା ଦେବାରେ ପଦ୍ୟ ଓ ଗଳ୍ପଠାରୁ ଗଦ୍ୟ ଭଲ ମାଧ୍ୟମ। ସୁନ୍ଦର ଗଦ୍ୟ ଆମ ଗଣତନ୍ତ୍ରକୁ ସମୃଦ୍ଧ କରେ। ଏହାଦ୍ବାରା କଥାଟିକୁ ଠିକ୍‌ ଭାବରେ ଉପସ୍ଥାପନ କରିହୁଏ। ଗଦ୍ୟ ଅତ୍ୟନ୍ତ ସୁଖପାଠ୍ୟ ଓ ପ୍ରଭାବୀ। ଅନୁରୂପ ଭାବେ ମନୋରଂଜନ ପାଣିଗ୍ରାହୀଙ୍କ ଗଦ୍ୟ ମଧ୍ୟ ସୁଖପାଠ୍ୟ ଓ ପ୍ରଭାବୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ଭାବେ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂହ ଯୋଗଦେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଗୁରୁତ୍ବାରୋପ କରିବା ସହିତ ପୁସ୍ତକର ସମୀକ୍ଷା କରିଥିଲେ। ସମ୍ମାନିତ ଅତିଥି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସ୍ବର୍ଗତ ପାଣିଗ୍ରାହୀଙ୍କୁ ସମ୍ପୂର୍ଣ୍ଣ ଶିକ୍ଷକ ଭାବେ ଅଭିହିତ କରିଥିଲେ। ଇନ୍ଦ୍ରମଣି ପାଣିଗ୍ରାହୀ ସ୍ନେହ ଓ ଜ୍ଞାନର ପ୍ରତୀକ ଥିଲେ ବୋଲି ଅନ୍ୟତମ ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ପ୍ରକାଶ କରିଥିଲେ। ଦିଗରାଜ ବ୍ରହ୍ମା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଶ୍ରୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହ ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। କବି ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ରତ୍ନଚିରା ପବ୍ଲିକେସନ୍‌ର ପ୍ରକାଶକ କରୁଣାକର ପୃଷ୍ଟି ଲେଖକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନିତା ରଥ, ନିରୁପମା କର, ଅନିମା ପଟ୍ଟନାୟକ, କମଳିନୀ ମଲ୍ଲିକ, ବିଜୟାଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ସଞ୍ଜୁବାଳା ପଟ୍ଟନାୟକ ଓ ରତ୍ନଚିରାର ସମ୍ପାଦିକା ସ୍ନେହଲତା ପୃଷ୍ଟି ମଞ୍ଚ ପରିଚାଳନା କରିବାରେ ସହଯୋଗ କରିଥିଲେ।