ମଣପୁରମ୍‌ ଫାଇନାନ୍ସରୁ ଠକେଇର ପର୍ଦ୍ଦାଫାସ୍: ସୁନା ନ ଦେଇ ୩୦ଲକ୍ଷ ଚଳୁ

ଭୁବନେଶ୍ବର ଆସି ୫ ଜଣଙ୍କୁ ଧରିଲା ହାଇଦ୍ରାବାଦ ସାଇବର୍ ପୁଲିସ
ଠକେଇର ମାଷ୍ଟରମାଇଣ୍ଡ ଆଦିତ୍ୟ ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀ

ଭୁବନେଶ୍ବର : ସୁନା ଋଣ ଦେଉଥିବା ମଣପୁରମ୍‌ ଫାଇନାନ୍ସ ଲିମିଟେଡ୍‌ରୁ ୩୦ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ହାଇଦ୍ରାବାଦ ସାଇବର୍ ପୁଲିସ ଆଜି ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଚଢ଼ଉ କରି ମାଷ୍ଟରମାଇଣ୍ଡ ମଣପୁରମ୍‌ର ଜଣେ ପୂର୍ବତନ କର୍ମଚାରୀ ଆଦିତ୍ୟ ନାରାୟଣ ମହାପାତ୍ରଙ୍କ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ଛାତ୍ର ଲକ୍ଷ୍ମୀଧର ମୁର୍ମୁ, ସୌମ୍ୟରଂଜନ ପଟ୍ଟନାୟକ ଓ ଦେବାଶିଷ ଓଝା ରହିଥିବାବେଳେ ଓ ଅନ୍ୟ ଜଣେ ବେସରକାରୀ ଚାକିରିଆ ପ୍ରମୋଦ ନାୟକ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଭୁବନେଶ୍ବର ଏସ୍‌ଡିଜିଏମ୍‌ରେ ହାଜର କରାଯାଇଥିବାବେଳେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ନେବାକୁ ହାଇଦ୍ରାବାଦ ପୁଲିସ ଆବେଦନ କରିଛି। ଶନିବାର ଓ ରବିବାର ସଟ୍‌ଡାଉନ୍ ଥିବାରୁ ୫ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ହାଇଦ୍ରାବାଦକୁ ତଦନ୍ତ ପାଇଁ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଗତ ଜୁନ୍ ୨୩ରେ ମଣପୁରମ୍‌ ଫା.ଲି.ର ହାଇଦ୍ରାବାଦସ୍ଥିତ ହିମ୍ମତନଗର ଶାଖାରୁ ୧୨୧୦ଗ୍ରାମ୍‌ର ସୁନା ଉଭାନ ହୋଇଯାଇଥିଲା। ଅଧିକ ତନାଘନା କରିବା ପରେ ଜଣାପଡ଼ିଥିଲା ଯେ ୩୦ଲକ୍ଷ ଟଙ୍କା ଋଣ ବିନିମୟରେ ହିମ୍ମତନଗର କାର୍ଯ୍ୟାଳୟରେ ଏହି ୧୨୧୦ଗ୍ରାମ୍‌ର ସୁନାକୁ ବନ୍ଧକ ଆକାରରେ ରଖାଯାଇଥିଲା। କାଗଜପତ୍ରରେ ସୁନା ଅଣାଯାଇଥିବା ରେକର୍ଡ ଥିବା ବେଳେ ବାସ୍ତବରେ କିନ୍ତୁ କିଛି ସୁନା କାର୍ଯ୍ୟାଳୟରେ ରଖାଯାଇନଥିଲା। ଏ ନେଇ ଥାନାରେ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଯେଉଁଥିରେ କମ୍ପାନିର କର୍ମଚାରୀ ଆଦିତ୍ୟ ନାରାୟଣଙ୍କ ସଂପୃକ୍ତି ଥିବା ପୁଲିସ ପ୍ରଥମେ ସନ୍ଦେହ କରିଥିଲା। କାରଣ ଥାନାରେ ଅଭିଯୋଗ ହେବାର କିଛି ଦିନ ପୂର୍ବରୁ ଆଦିତ୍ୟଙ୍କର ବ୍ରହ୍ମପୁରରୁ ମଣପୁରମ୍‌ର କେରଳସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଥିଲା। ବଦଳି ହେବା ପରେ ଆଦିତ୍ୟ ବ୍ରହ୍ମପୁରରୁ ଯାଇନଥିଲା କି କମ୍ପାନି ଛାଡ଼ିଥିବା ନେଇ କିଛି ନୋଟିସ୍ ଦେଇନଥିଲା। ବିନା ନୋଟିସ୍ କି ଛୁଟି ଦରଖାସ୍ତରେ ଆଦିତ୍ୟ ଅନୁପସ୍ଥିତ ଥିବାରୁ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ତେଣୁ ଏଥିରେ ସଂପୃକ୍ତ ସମସ୍ତଙ୍କୁ ଧରିବା ଲାଗି ହାଇଦ୍ରାବାଦ୍‌ ସାଇବର ପୁଲିସ୍ ୩ଦିନ ତଳୁ ଆସି ଏଠାରେ ଡେରା ପକାଇଥିଲା। ପୁଲିସ ଅଧିକ ଖୋଳତାଡ଼ ପରେ ଜାଣିବ‌ାକୁ ପାଇଥିଲା ଯେ, ଆଦିତ୍ୟ ଓ ତାଙ୍କର ଅନ୍ୟ କିଛି ସହଯୋଗୀ କମ୍ପାନିର ଏକ ନୂଆ ସ୍କିମ୍ ‘ଡୋର୍ ଷ୍ଟପ୍ ଗୋଲ୍ଡ୍ ଲୋନ୍’ ମାଧ୍ୟମରେ କମ୍ପାନିକୁ ଚୂନ ଲଗାଇବାକୁ ଟାର୍ଗେଟ୍ କରିଥିଲେ। ଲୋକଙ୍କୁ ଏହି ଲୋନ୍ ଦିଆଯାଇଥିବା ଦେଖାଇ ଆଦିତ୍ୟ କମ୍ପାନିରୁ ୩୦ଲକ୍ଷ ଟଙ୍କା ଆଣିଥିଲା। ଏହା ପରେ ଟଙ୍କା ଆଣି ପ୍ରଥମେ ଛତିଶଗଡ଼ ରାୟପୁରର ବଲୋଦା ବଜାରର ଏକ ଏସ୍‌ବିଆଇ ଆକାଉଣ୍ଟ୍‌କୁ ପ୍ରଥମେ ସ୍ଥାନାନ୍ତର କରିଥିଲା। ଏହାପରେ ଭୁବନେଶ୍ବରର ଏକ ଏସ୍‌ବିଆଇ ଆକାଉଣ୍ଟ୍‌କୁ ଅର୍ଥ ସ୍ଥାନାନ୍ତର କରାଯାଇଥିଲା। ଆଉ ଆକାଉଣ୍ଟ୍‌ରୁ ଟଙ୍କା ଅନ୍ୟ ଆକାଉଣ୍ଟକୁ ନିଆଯାଇ ଉଠାଯାଇଥିଲା।

ଅନ୍ୟ ସହଯୋଗୀଙ୍କୁ ଫସାଇବାକୁ ଯୋଜନା କରିଥିଲା ଆଦିତ୍ୟ
ଟଙ୍କା ସ୍ଥାନାନ୍ତର କରିବା ବେଳେ ଆଦିତ୍ୟ ଯେମିତି ଧରା ନ ପଡ଼ିବ ସେଥିପାଇଁ କମ୍ପାନିର ଅନ୍ୟ ସହଯୋଗୀଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା। କମ୍ପାନି ଛାଡ଼ିବା ପରେ ବି ସେ ଯେହେତୁ କୌଣସି ଲିଖିତ ନୋଟିସ୍ ଦେଇନଥିଲା, ଏହାରି ସୁଯୋଗରେ ସେ ଆରମ୍ଭ କରିଥିଲା ଯୋଜନା। ଆଦିତ୍ୟ ୧୫ଜୁନ୍‌ରେ ପ୍ରାୟ ୩ଟା ୩୭ରେ ହିମ୍ମତନଗର ଶାଖାକୁ ଫୋନ୍ କରି ନିଜକୁ କେରଳସ୍ଥିତ ହେଡ୍ ଅଫିସ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ବ୍ରାଞ୍ଚ୍‌ର କ୍ୟାମେରା ଯାଞ୍ଚ କରିବ ବୋଲି କହିଥିଲା। କ୍ୟାମେରା ଯାଞ୍ଚ କରିବା ପାଇଁ କର୍ମଚାରୀଙ୍କ ଏମ୍ପ୍ଲୋଇ ଆଇଡି ଓ ପାସଵାର୍ଡ ଆବଶ୍ୟକ। ତେଣୁ ଏହି ଫୋନ୍‌ରେ ଥିବା କର୍ମଚାରୀଜଣକ ତାଙ୍କୁ ନିଜର ଆଇଡି ଓ ପାସଵାର୍ଡ ଦେବା ପରେ ୪ ମିନିଟ୍ ପରେ ସେ ସବୁ ଠିକ୍ ଅଛି କହି ଫୋନ୍ କାଟିଥିଲା। ପୁଣି ୭ଦିନ ପରେ ଅର୍ଥାତ୍ ୨୨ଜୁନରେ ଆଦିତ୍ୟ ଅନୁରୂପ ଭାବେ କଲ୍ କରି ସମାନ କଥା କହି ଆଉ ଜଣେ କର୍ମଚାରୀଙ୍କ ଆଇଡି ଓ ପାସଵାର୍ଡ ଆଣିଥିଲା। ତା’ପରେ ଏହି ଆଇଡି ଓ ପାସଵାର୍ଡ ବ୍ୟବହାର କରି ପ୍ରଥମେ ଛତିଶଗଡ଼ ଓ ପରେ ଓଡ଼ିଶାର କିଛି ବନ୍ଧୁଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ପଠାଇଥିଲା। ଲୁଟ୍ ହୋଇଥିବା ଏହି ଟଙ୍କାରୁ ହାଇଦ୍ରାବାଦ ସାଇବର୍ ପୁଲିସ୍ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ଲକ୍ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର