ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁନି, କିନ୍ତୁ ଏହାର ପ୍ରଭାବ ହାଣ୍ଡିଶାଳରେ ପଡ଼ିଛି। ଜାଣିଶୁଣି ପନିପରିବା ଦର ବଢ଼ାଇ ଦିଆଯାଇଛି। ପ୍ରତି ଘରର ଅତ୍ୟାବଶ୍ୟକ ଆଳୁ ଦର ଦୁଇ ଦିନ ଭିତରେ ୨୦ରୁ ୨୫ ଟଙ୍କାକୁ ବଢ଼ିଯାଇଛି। ହଠାତ୍ ଆଳୁ ଦର ୫ ଟଙ୍କା ବଢ଼ିଯିବା ପରେ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି।  ଖାଦ୍ୟ ନିରାପତ୍ତା ଓ ଖାଉଟି କଲ୍ୟାଣ ବିଭାଗ ଏହାର ଅନୁସନ୍ଧାନ କରିବା ଜରୁରି ହୋଇପଡ଼ିଛି ବୋଲି ଗ୍ରାହକମାନେ ଦାବି କରିଛନ୍ତି। ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଓଡ଼ିଶା ବଜାର ନିର୍ଭରଶୀଳ। ବାତ୍ୟା ପାଇଁ ୩ ଦିନ ହେଲାଣି ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଛି। ସେପଟେ ଗ୍ରାହକମାନେ ବି ବାତ୍ୟା ଦେଖି ଆବଶ୍ୟକତାଠାରୁ ଅଧିକ ଆଳୁ କିଣି ନେଇଛନ୍ତି। ଗ୍ରାହକମାନେ ବସ୍ତା ବସ୍ତା ଆଳୁ ଘରକୁ ଆଣିଛନ୍ତି। ଏଣୁ ବଜାରରେ ବି ଯେତିକି ପରିମାଣ ଆଳୁ ଦୈନିକ ବିକ୍ରି ହେବା କଥା, ଆଉ ନାହିଁ। ଏଣୁ ଆଳୁ ଦର ୨୫ ଟଙ୍କାରେ ପହଞ୍ଚିଛି। ବାତ୍ୟା ପରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସେ କହିଛନ୍ତି। 

Advertisment

ଓଡ଼ିଶା ବଜାର ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରେ। ଅତି ଖରାପ ପରିସ୍ଥିତି ହେଲେ, ପଞ୍ଜାବ ଓ ୟୁପିରୁ ଆଳୁ ଆସେ। କିନ୍ତୁ ପଞ୍ଜାବ ଓ ୟୁପି ଆଳୁ ଅପେକ୍ଷା ପଶ୍ଚିମବଙ୍ଗ ଓଡ଼ିଶାର ଆଳୁ ଆବଶ୍ୟକତା ମେଣ୍ଟାଇ ଆସୁଛି। ଶ୍ରୀ ସ୍ବାଇଁ କହିଛନ୍ତି ଯେ ଦୈନିକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ୧୨୦ ଟ୍ରକ୍ ଆଳୁ ଆସୁଛି। ୭୦ରୁ ୮୦ ଟ୍ରକ୍ ଆଳୁ କେବଳ ଭୁବନେଶ୍ବରକୁ ଆସୁଛି। ବାକି ୪୦ ଟ୍ରକ୍ ଆଳୁ ରାଜ୍ୟର ଅନ୍ୟ ସ୍ଥାନକୁ ଯାଉଛି। ପ୍ରତି ଟ୍ରକ୍‌ରେ ୨୫ ଟନ୍ ଆଳୁ ରହୁଛି। ଆଳୁ ଆସିବା ବନ୍ଦ ପରେ ବଜାରରେ ଆଳୁ ନ ଥିବାରୁ ଦୁଇଦିନ ହେବ ଦର ବଢ଼ିଛି। ବାତ୍ୟା ସରିବା ପରେ ପୁଣି ଆଳୁ ଦର ଖସି ଆସିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ବାତ୍ୟା ନାଁ ଶୁଣିଲେ ଦର ବଢ଼ୁଛି
ଭୁବନେଶ୍ୱର: ବାତ୍ୟା ନା ଶୁଣିଲେ, ବଢ଼ିଯାଉଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ। ବିଶେଷ କରି ପନିପରିବା ଦର ଆକାଶଛୁଆଁ ହୋଇଛି। ଯେତେବେଳେ ବି ପାଣିପାଗ ବିଭାଗ ବାତ୍ୟାର ପୂର୍ବାଭାସ କରିଛି, ସେବେ ପନିପରିବା ଦର ବଢ଼ିଛି। ବର୍ତ୍ତମାନ ବି ବାତ୍ୟା ‘ମନ୍‌ଥା’ର ପ୍ରଭାବ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ିଛି। ବାତ୍ୟା ନା ଶୁଣୁଶୁଣୁ, ପନିପରିବା ବେପାରୀମାନେ ଦର ବଢ଼ାଇ ଦେଇଛନ୍ତି। ଯେଉଁଥିପାଇଁ ଆଳୁଠାରୁ ଆରମ୍ଭ କରି କଞ୍ଚା ପନିପରିବା ଦର ଆକାଶଛୁଆଁ ହୋଇଛି। ୫ ଦିନ ତଳେ ୫୦ଟଙ୍କାରେ ୨ କେଜି ମିଳୁଥିବା ଟମାଟୋ ଏବେ କେଜି ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିନ୍ ୧୨୦ ଟଙ୍କା, ପୋଟଳ, ବାଇଗଣ, ଜହ୍ନି, ଭେଣ୍ଡି ଆଦି ୮୦ ଟଙ୍କାରେ ବିକ୍ରି ହେଉଛି। ବେପାରୀମାନେ ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିର ଲାଭ ଉଠାଉଥିବା ବେଳେ କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀର ବାଟ କାଢ଼ୁଛନ୍ତି। ଗ୍ରାହକମାନେ ଏଭଳି ସ୍ଥିତିରେ ଶୋଷଣର ଶିକାର ହୋଇ ଆସୁଥିବାବେଳେ ଯୋଗାଣ ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ସାଜିବା, କଙ୍କଡ଼ାକୁ ଗୋଳିଆ ପାଣି ସୁହାଇଲା’ ଭଳି ହୋଇଛି।

୩୯ ଆଶ୍ରୟସ୍ଥଳୀ ଚିହ୍ନଟ
ବାଲିପାଟଣା: ମୋନ୍ଥା ପ୍ରଭାବରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃ‌ଷ୍ଟିରେ ରଖି ବ୍ଲକ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫସଲ କ୍ଷୟକ୍ଷତି ରୋକିବା ପାଇଁ କୃଷି ବିଭାଗ ତତ୍ପର ହୋଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ କହିଛନ୍ତି ଯେ ବ୍ଲକ୍‌ରେ ଅଗ୍ନିଶମ ବାହିନୀ ସଜାଗ ରହିବା ସହିତ ବିଭିନ୍ନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବାତ୍ୟା ମୁକାବିଲା ସମ୍ପର୍କରେ ବିସ୍ତୃତ ଆଲୋଚନା ସରିଛି। ସେମାନଙ୍କୁ ପ୍ରତି ମୂହୂର୍ତ୍ତରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ, କୁରୁଞ୍ଜିପୁର, ଗୁଆପୁର ଓ ନରିଶୋ ପଞ୍ଚାୟତରେ ଥିବା ୪ ସ୍ଥାୟୀ ଆଶ୍ରୟସ୍ଥଳ ସହ ୧୭ ପଞ୍ଚାୟତରେ ଅସ୍ଥାୟୀ ଭାବେ ୩୫ଟି ଆଶ୍ରୟସ୍ଥଳୀ ଚିହ୍ନଟ ହୋଇ ଜିଲ୍ଲା ପ୍ରଶାସନକୁ ତାଲିକା ପ୍ରଦାନ କରାଯାଇଛି। ଖାଲୁଆ ଅଞ୍ଚଳରେ ଥିବା ଲୋକେ ଓ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ବନ୍ଦ ହେବ ଦିଦିଙ୍କ ମନମାନୀ, ଚାହିଦା ମେଣ୍ଟାଇବ ୟୁପି ଆଳୁ: ବ୍ୟବସାୟୀ ସଂଘ
ଭୁବନେଶ୍ବର: ବନ୍ଦ ହେବ ଦିଦିଙ୍କ ମନମାନୀ। ପଶ୍ଚିମବଙ୍ଗ ଆଉ ଆଳୁ ପାଇଁ ହଇରାଣ କରିପାରିବନି କି ମନଇଛା ଦର ବଢ଼ାଇ ପାରିବନି। ପଶ୍ଚିମବଙ୍ଗ ଯେଉଁ ଦରରେ ଆଳୁ ଦେଉଛି, ସେହି ଦରରେ ଆଳୁ ଯୋଗାଇଦେବାକୁ ୟୁପି ସରକାର ରାଜି ଅଛନ୍ତି ବୋଲି କୁବେରପୁରୀ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାର ଆଳୁ ଆବଶ୍ୟକତା ଏବେ ବି ପଶ୍ଚିମବଙ୍ଗ ମେଣ୍ଟାଉଛି। କିନ୍ତୁ ପଶ୍ଚିମବଙ୍ଗ ସହ ଆମେ ୟୁପିରୁ ବି ଆଳୁ ଆଣୁଛୁ। ଯେଉଁଠି ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ପରିବହନ ଖର୍ଚ୍ଚ କେଜି ପିଛା ୧.୫୦ ଟଙ୍କା, ସେଠି ୟୁପି ଆଳୁ କେଜି ପିଛା ୪.୫୦ ଟଙ୍କା ପଡ଼ୁଛି। ଆମେ ଦୁଇବର୍ଷ ହେଲାଣି ୟୁପିରୁ ଆଳୁ ଆଣୁଥିଲେ ବି ପରିବହନ ଖର୍ଚ୍ଚ ଅଧିକ ଥିବାରୁ ଏଠାର ଆଳୁ ଦର ଅଧିକ। ଏଣୁ ପଶ୍ଚିମବଙ୍ଗ ଦରରେ ଆଳୁ ଯୋଗାଇଦେବାକୁ ୟୁପି ସରକାରଙ୍କ ସହ ଆଲୋଚନା ହୋଇଥିଲା। ଗତ ୨୪ ତାରିଖରେ ବି ବ୍ୟବସାୟୀ ସଂଘ, ଓସ୍‌ଡମା ଓ ୟୁପି ସରକାରଙ୍କ ଉଦ୍ୟାନ ବିଭାଗର ଏକ ମିଳିତ ବୈଠକ ‌ହୋଇଥିଲା। ପଶ୍ଚିମବଙ୍ଗ ଯେଉଁ ଦରରେ ଓ ଯେତିକି ପରିମାଣର ଆଳୁ ଯୋଗାଉଛି, ସେତିକି ଆଳୁ ସେହି ଦରରେ ୟୁପି ଉଦ୍ୟାନ ବିଭାଗ ଯୋଗାଇଦେବ ବୋଲି ସହମତି ଜଣାଇଛି। ଏଣୁ ଆଗକୁ ଆଉ ଆଳୁ ସମସ୍ୟା ରହିବନି କି ଦର ବଢ଼ିବନି।

ଅପରପକ୍ଷେ ପଶ୍ଚିମବଙ୍ଗରେ କାଳୀପୂଜା ଥିଲା। ଯେହେତୁ ଏହା ସେଠାକାର ବଡ଼ପର୍ବ, ଏଣୁ ହିନ୍ଦୁମାନେ ଦୋକାନ ବଜାର ବନ୍ଦ କରି ୬/୭ ଦିନ ଧରି କାଳୀପୂଜା ପାଳନ କରିଥାନ୍ତି। ଦୋକାନ ବଜାର ବନ୍ଦ ରହୁଥିବାରୁ ଆଳୁ ଆସି ପାରେନାହିଁ। କେବଳ ଯେଉଁମାନେ ଅଣହିନ୍ଦୁ ବେପାରି ଅଛନ୍ତି, ସେମାନେ ଆଳୁ ଯୋଗାନ୍ତି। ଏଣୁ ଆଳୁ ପଶ୍ଚିମବଙ୍ଗରୁ ଯଥେଷ୍ଟ ପରିମାଣର ଆସିପାରୁନି। ପ୍ରତିବର୍ଷ ଏହି ସମୟରେ ଆଳୁଯୋଗାଣରେ ସାମାନ୍ୟ ବ୍ୟତିକ୍ରମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ବାତ୍ୟା ଖବର ଶୁଣି, ଲୋକେ ଆବଶ୍ୟକତାଠାରୁ ଅଧିକ ଆଳୁ କିଣି ନେଇଛନ୍ତି। ଏଣୁ ଦୈନିକ ବିକ୍ରି ପାଇଁ ଆବଶ୍ୟକ ଆଳୁର କୃତ୍ରିମ ଅଭାବ ଦେଖାଦେଇଛି। ଯାହା ଦରବୃଦ୍ଧିର କାରଣ ପାଲଟିଛି। ବୁଧବାର ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।