ଭୁବନେଶ୍ବର: ବିଜେଡି ବିଦ୍ରୋହୀଙ୍କୁ ବୁଝାଇଲେ ବରିଷ୍ଠ ନେତା। କାହାକୁ ଘରକୁ ଡାକି ତ ଆଉ କାହାକୁ ଶୀର୍ଷ ନେତୃତ୍ବଙ୍କ ନିକଟକୁ ପଠାଇ ଆଶ୍ବସନା ଦେଲେ। କିଛି ଜଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା। ଯିଏ ମାନିନେଲେ ସିଏ ନିର୍ବାଚନ ମଇଦାନ ଛାଡ଼ିଲେ। ଆଉ ଯିଏ ନ ମଙ୍ଗିଲେ ତାଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରୋକଠୋକ୍ ଶୁଣାଇଲେ। ଫଳରେ ଜଣଙ୍କ ପରେ ଜଣେ ପୂର୍ବତନ କର୍ପୋରେଟର ଆଜି ବିଏମ୍ସି ନିର୍ବାଚନ ମଇଦାନରୁ ଓହରି ଯାଇଛନ୍ତି। କେବଳ ଓହରିଯାଇନାହାନ୍ତି, ସୁନା ପିଲା ପରି ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି।
ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିନରେ ବିଜେଡିର ୧୦ରୁ ଅଧିକ ପୂର୍ବତନ କର୍ପୋରେଟର ମଇଦାନ ଛାଡ଼ିଛନ୍ତି। ୩୮ ନମ୍ବର ୱାର୍ଡରେ ବିଜେଡିରୁ ଟିକେଟ୍ ନପାଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜଶ୍ରୀ ମହାନ୍ତିଙ୍କୁ ଦଳୀୟ ନେତାମାନେ ବୁଝାଇବାରେ ସମର୍ଥ ହୋଇଛନ୍ତି। ଏଠାରେ ପୂର୍ବରୁ କର୍ପୋରେଟର ଥିବା ନିଖିଲ ବଳବନ୍ତରାୟ ତାଙ୍କ ପତ୍ନୀ ରାଜଶ୍ରୀଙ୍କ ପାଇଁ ଜୋରଦାର୍ ଲବି କରିଥିଲେ ବି ଶେଷ ମୁହୂର୍ତ୍ତରେ ଟିକେଟ୍ ପାଇ ନଥିଲେ। ଯେଉଁଥିପାଇଁ ଦଳୀୟ ପ୍ରାର୍ଥୀଙ୍କ ଅଡ଼ୁଆ ବଢ଼ିଥିଲା।
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଯୁବ ସଂଗଠକ ରାଣା ସାମନ୍ତରାୟ ପ୍ରମୁଖ ନିଖିଲଙ୍କୁ ବାରମ୍ବାର ବୁଝାଇବା ପରେ ଆଜି ତାଙ୍କ ପତ୍ନୀ ରାଜଶ୍ରୀ ମହାନ୍ତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସେହିପରି ପୂର୍ବତନ କର୍ପୋରେଟର ସ୍ବର୍ଣ୍ଣପ୍ରଭା ରାୟ, ସଞ୍ଜୟ କୁମାର ବଳିୟାରସିଂହ, ରଶ୍ମିତା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ରାଉତରାୟ, ଶେକ୍ ନିଜାମୁଦ୍ଦିନ୍, ଦେବାଶିଷ ସିଟ୍, ପ୍ରତିଭା ସାମନ୍ତରାୟ, ମମତା ସାହୁ, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀଙ୍କ ପତ୍ନୀ ସସ୍ମିତା ସେଠୀ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକଙ୍କ ପତ୍ନୀ ସନ୍ଧ୍ୟାରାଣୀ ମଲ୍ଲିକ, ପୂର୍ବତନ କର୍ପୋରେଟର ନିର୍ମଳ ରାଉତଙ୍କ ପତ୍ନୀ ବିଜୟଲକ୍ଷ୍ମୀ ରାଉତ, ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତିଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ଆଉ କିଛି ବିଦ୍ରୋହୀ ନେତା ମଧ୍ୟ ନିର୍ବାଚନ ମଇଦାନ ଛାଡ଼ିଛନ୍ତି।
ଯଦି ନିର୍ବାଚନମଣ୍ଡଳୀ ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଉତ୍ତର ଭୁବନେଶ୍ବରରେ ସର୍ବାଧିକ ବିଦ୍ରୋହୀ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ୫୨ ଜଣଙ୍କ ମଧ୍ୟରୁ ଉତ୍ତର ଭୁବନେଶ୍ବରରୁ କେବଳ ୩୨ ଜଣ ରହିଛନ୍ତି। ସେଥିମଧ୍ୟରୁ ୭ ଜଣ ପୂର୍ବତନ କର୍ପୋରେଟର ରହିଛନ୍ତି। ସେହିପରି ମଧ୍ୟ ଭୁବନେଶ୍ବରର ୧୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ପୂର୍ବତନ କର୍ପୋରେଟର ଅଛନ୍ତି। ଏକାମ୍ର ଭୁବନେଶ୍ବରରେ ମଧ୍ୟ ୮ ଜଣ ନିର୍ବାଚନ ମଇଦାରୁ ଓହରି ଯାଇଛନ୍ତି। ଦଳର ବରିଷ୍ଠ ନେତାମାନଙ୍କ ରଣକୌଶଳ ଆଗରେ ବିଦ୍ରୋହୀ ପ୍ରାର୍ଥୀମାନେ ମୁଣ୍ଡ ନୁଆଁଇବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅନେକ ବୁଝାସୁଝା ପରେ ବି କିଛି ଜଣ ବିଦ୍ରୋହୀ ମଇଦାନରୁ ଓହରି ନାହାନ୍ତି। ବରଂ ସିଧାସଳଖ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବା ପାଇଁ ରଣହୁଙ୍କାର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୪ ନମ୍ବର ୱାର୍ଡରେ ସ୍ବାକ୍ଷର ରଞ୍ଜନ ମହାନ୍ତି, ୧୪ ନମ୍ବରରେ ରଶ୍ମିରେଖା ଜେନା, ୧୫ ନମ୍ବରରେ ପିଙ୍କି ସ୍ବାଇଁ, ୧୯ ନମ୍ବରରେ କାଳନ୍ଦୀ ପ୍ରଧାନ, ୩୭ରେ ବନ୍ଦିତା ପାଲ୍, ୩୯ରେ ଋତିକା ବଳବନ୍ତରାୟ, ୬୦ରେ ଚନ୍ଦ୍ରଶେଖର ମଲିଆ, ୬୫ରେ ବଳରାମ ସ୍ବାଇଁ, ରଶ୍ମୀରଞ୍ଜନ ପଟ୍ଟଶାଣୀ ବିଜେଡି ବିଦ୍ରୋହୀ ଭାବେ ମଇଦାନରେ ରହିଛନ୍ତି।
ଏମାନଙ୍କ ବ୍ୟତୀତ ବିଜେଡି ତୃଣମୂଳସ୍ତରର କିଛି କର୍ମୀ ମଧ୍ୟ ପ୍ରାର୍ଥୀଭାବେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ହିସାବକୁ ଦେଖିଲେ ଏବେ ମଇଦାନରେ ଥିବା ୧୦୦ରୁ ବେଶି ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ୬୫ ନମ୍ବର ୱାର୍ଡରେ ସର୍ବାଧିକ ୬ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ୨୭ ନମ୍ବର ୱାର୍ଡରେ ୫ ଜଣ ସ୍ବାଧୀନ ପ୍ରାର୍ଥୀ ରହିଥିବା ବେଳେ ୪, ୯, ୩୫, ୪୪, ୫୭ ନମ୍ବର ୱାର୍ଡରେ ୪ ଜଣ ଲେଖାଏ ସ୍ବାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଯେଉଁମାନେ କି ବିଜେଡି ପ୍ରାର୍ଥୀଙ୍କ ଲାଗି ଅଡ଼ୁଆ ସୃଷ୍ଟି କରିବାର ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/29-10.jpg)