ସିସିଟିଭି ମାଳମାଳ, କାମ ଦୁର୍ବଳ

ଭୁବନେଶ୍ବର: ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯେଉଁ ଆଡ଼େ ଦେଖିଲେ ସବୁଠି ମାଳମାଳ ସିସିଟିଭି। ସହରର ସୁରକ୍ଷା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ଦୁଇଟି ଦିଗକୁ ଦୃଷ୍ଟିରେ ରଖି ସବୁଠି ସିସିଟିଭି ଲାଗିଛି। ଉ‌ଦ୍‌ବେଗର ବିଷୟ କୌଣସି ଗାଡ଼ି ଦୁର୍ଘଟଣା ଘଟାଇ ଫେରାର୍‌ ହେଲେ ପୁଲିସ ଗାଡ଼ିକୁ ଧରିବା କାଠିକର ପାଠ ହୋଇପଡ଼ୁଛି। ଗତ ୧୧ମାସ ମଧ୍ୟରେ ସହର ଭିତରେ ଅଜଣା ଗାଡ଼ି ଧକ୍କା ଯୋଗୁଁ ୨୦ରୁ ଊର୍ଧ୍ବ ଲୋକଙ୍କ ଜୀବନ ଗଲାଣି। ହେଲେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିଗୁଡ଼ିକର ଟେର୍‌ ପାଉନାହିଁ। ଅଜଣା ଗାଡ଼ି ଧକ୍କା ମାମଲା ରୁଜୁ କରି ଚୁପ୍‌ ବସିଯାଉଛି। କେଉଁ ଗାଡ଼ି ବାଡେଇଲା? ଗାଡ଼ି କୁଆଡେ କଲା? କେଉଁ ପରିସ୍ଥିତିରେ ବାଡ଼େଇଲା? ଦୁର୍ଘଟଣା ନା ଦୁର୍ଘଟଣା ଆଳରେ ହତ୍ୟା କିଛି ଜଣାପଡ଼ୁନାହିଁ।

କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ୧୪୭ଟି ସ୍ଥାନରେ ୫୫୨ଟି କ୍ୟାମେରା ଲଗାଗଲା। କ୍ୟାମେରା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ। ଅପରାଧୀ କୌଣସି ଅପରାଧ ଘଟାଇ ଖସିପାରିବେ ନାହିଁ। କେଉଁଠି ନା କେଉଁଠି ଧରାପଡ଼ିବେ। ଏମିତି କେତେ କ’ଣ କହି ସିସିଟିଭି ଲଗାଇଯାଇଥିଲା। ସେମିତି ଏସ୍‌ଭିଡିଏସ୍‌ (ସ୍ପିଡ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ)ଓ ଟିଭିଡିଏସ୍‌(ଟ୍ରାଫିକ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ) ପାଇଁ ୩୨ଟି ସ୍ଥାନରେ ୨୨୮ଟି କ୍ୟାମେରା ଲାଗିଲା। ଏହି କ୍ୟାମେରା ଟ୍ରାଫିକ୍‌ ଭାଓଲେସନ ସମ୍ପର୍କିତ ଗାଡ଼ି ଉପରେ ନଜର ରଖିବ। ସିଗନାଲ୍‌ ଭାଓଲେସନ୍‌ ହେଉ କି ସାଇନ୍‌, ସ୍ପିଡ୍‌ ଠାରୁ ଆରମ୍ଭ କରି ହେଲ୍‌ମେଟ୍‌, ସିଟ୍‌ବେଲ୍ଟ ପିନ୍ଧିବା ପର୍ଯ୍ୟନ୍ତ। କୌଣସି ବି ଗାଡ଼ି ନିୟମ ଉଲ୍ଲଂଘନ କରେ ତୁରନ୍ତ ଏହାର ଫଟୋ, ନମ୍ବର ଏବଂ ଗାଡ଼ିର ଗତି କ୍ୟାମେରାରେ କଏଦ୍‌ ହୋଇଯିବ। ସମ୍ପୃକ୍ତ ମାଲିକଙ୍କ ନିକଟକୁ ଚାଲାଣ ଯିବ। କମିସନରେଟ୍‌ ପୁଲିସ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ମିଳିତ ଭାବେ କ୍ୟାମେରାକୁ ପରିଚାଳନା କଲେ। କ୍ୟାମେରାରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଚାଲାଣ ବି ଯାଉଛି।

ଦୁର୍ଘଟଣା ଘଟାଇ ଫେରାର୍‌ ହୋଇଯାଉଛନ୍ତି, ଧରିପାରୁନି ପୁଲିସ
ଅଜଣା ଗାଡ଼ି ଧକ୍କା ମାମଲାରେ ଅଟକିଛି
ଗଡ଼ିଲାଣି ୨୦ରୁ ଊର୍ଧ୍ବ ମୁଣ୍ଡ
ପାଣିରେ ପଡ଼ିଛି କୋଟି କୋଟି

ପ୍ରଶ୍ନ ଉଠୁଛି ଯେ, ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ କାହିଁକି ପୁଲିସ ଚିହ୍ନଟ କରିପାରୁନାହିଁ? ସିସିଟିଭିର ନିୟନ୍ତ୍ରଣ ବିଏସ୍‌ସିଏଲ୍‌ ନିକଟରେ ରହିଛି। ସିସିଟିଭି ଯାଞ୍ଚରୁ ଗାଡ଼ି ଧରାପଡ଼ିବା କଥା। କାରଣ ଦୁର୍ଘଟଣା ସମୟରୁ ଯେଉଁଠାରେ ଦୁର୍ଘଟଣା ଘଟିଛି ତାର ପୂର୍ବ ସ୍ଥାନରେ ଲାଗିଥିବା କ୍ୟାମେରା ଏବଂ ଉକ୍ତ ସ୍ଥାନରୁ ସହର ଭିତର ଓ ସଂଲଗ୍ନ ରାସ୍ତାରେ ଲାଗିଥିବା ସିସିଟିଭିକୁ ଯାଞ୍ଚକଲେ ଘଟଣା ଜଣାପଡ଼ିବା କଥା। କିନ୍ତୁ ସେପରି ହେଉନାହିଁ। ପ୍ରକୃତରେ ପୁଲିସ କ୍ୟାମେରାରୁ ଗାଡ଼ିକୁ ଠାବ କରିପାରୁନାହିଁ ନା ଅଭିଯୁକ୍ତକୁ ଖସାଇଦିଆଯାଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ନିକଟରେ ଘଟିଥିବା କେତେକ ଘଟଣା ଏବେ ବି ରହସ୍ୟ ହୋଇ ରହିଛି। ସେଗୁଡ଼ିକ ଦୁର୍ଘଟଣା ନା ଦୁର୍ଘଟଣା ଆଳରେ ହତ୍ୟା ତାହା ଏବେ ବି ଅସ୍ପଷ୍ଟ ରହିଛି।

ଗତ ଜୁନ୍‌ ୨୬ ତାରିଖ ବିଳମ୍ବିତ ରାତିରେ ବାଣୀବିହାର ଫ୍ଲାଏଓଭର୍‌ ଉପରେ ଜଗତସିଂହପୁର ଜିଲ୍ଲା ପୁରୋହିତପୁର ଅଞ୍ଚଳର ଅମ୍ବିକା ପ୍ରସନ୍ନ ପତି ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ବାଇକ୍‌ ସହ ଜଳିଯିବା ଭଳି ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କେହି କେହି ଏହାକୁ ଦୁର୍ଘଟଣା ବୋ‌ଲି କହିଥିବା ବେଳେ କେହି ହତ୍ୟା ବୋଲି ସନ୍ଦେହ କରିଥିଲେ।

ସେହିପରି ଗତ ଜାନୁଆରି ୯ ତାରିଖ ରାତିରେ ସତ୍‌ସଙ୍ଗ ବିହାର ନିକଟ ଫ୍ଲାଏଓଭର୍‌ରେ ଦୁର୍ଘଟଣା ଯୋଗୁଁ ମେଣ୍ଢାଶାଳ ଅଞ୍ଚଳର ଅର୍ମାନ ଖାନ(୨୩) ଓ ନୟାଗଡ଼ ଜିଲ୍ଲା ପଣ୍ଡୁସର ଅଞ୍ଚଳର ପପୁନା ସୁଲୋ ନାମକ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୃତ୍ୟୁକୁ ୧୦ମାସ ବିତିଯାଇଥିଲେ ବି କେଉଁ ଗାଡ଼ି ବାଡେଇଲା? ଗାଡ଼ି କୁଆଡେ କଲା? କେଉଁ ପରିସ୍ଥିତିରେ ବାଡ଼େଇଲା? କିଛି ମିଳିଲାନାହିଁ। ଦୁଇଟି ଘଟଣାରେ ପ୍ରକୃତରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟିଛି ନା କେହି ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଅପଚେଷ୍ଟା କରିଛନ୍ତି। ତାହା ଏବେ ବି ରହସ୍ୟ ହୋଇରହିଛି। କେବଳ ଏହି ଦୁଇଟି ଘଟଣା ନୁହେଁ; ଏମିତି ଅନେକ ଅଜଣାଗାଡ଼ି ଧକ୍କା ଏବେ ବି ପୁଲିସ ଠାରୁ ଅପହଞ୍ଚ ହୋଇରହିଛି। ଲାଗୁଛି ଯେମିତି ସିସିଟିଭି ଲଗାଇ କୋଟି କୋଟି ଟଙ୍କା ପାଣିରେ ଫୋପଡ଼ାଯାଇଛି।

ସମ୍ବନ୍ଧିତ ଖବର