ଭୁବନେଶ୍ବର: କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ରାସ୍ତାଘାଟରେ କମେଣ୍ଟ କରୁଥିବା ଅସାମାଜିକଙ୍କ ଠାରୁ ଆରମ୍ଭ କରି ବଡ଼ ଅପରାଧ ଘଟାଉଥିବା କୁଖ୍ୟାତ ଅପରାଧୀ, କାହାକୁ ଛଡ଼ାଯିବ ନାହିଁ। ପୁଲିସ ଅପରାଧୀଙ୍କୁ ଅପରାଧ ଭାଷାରେ ବୁଝାଇବ। କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ହେଲେ ଥାନାକୁ ଆସୁଥିବା ଲୋକଙ୍କୁ ଯଥାସମ୍ଭବ ନ୍ୟାୟ ଦେବାକୁ ଚେଷ୍ଟା କରିବ। ଲୋକଙ୍କ ପ୍ରତି ନମ୍ର ଆଚରଣ ପ୍ରଦର୍ଶନ କରିବ। ଆଜି ପୁଲିସ ସେବା ଭବନରେ ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ ଦ୍ବୈତନଗରୀର ନୂତନ ପୁଲିସ କମିସନର ଭାବେ ଦାୟିତ୍ୱ ଗ୍ରହଣ କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ କହିଥିଲେ, ‘‘ମୁଁ ଲୋକଙ୍କ ସିପି। ଥାନାକୁ ଆସୁଥିବା ପ୍ରତି ଅଭିଯୋଗକାରୀ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ଅଭିଯୋଗକୁ ଭଲଭାବେ ଶୁଣ। ତାଙ୍କୁ କିଭଳି ନ୍ୟାୟ ମିଳିବ, କମିସନର ଭାବେ ମୁଁ ଉତ୍ତରଦାୟୀ।’’ 

Advertisment

ଆଜି ଦିନ ପାଖାପାଖି ଗୋଟାଏରେ ଗାର୍ଡ ଅଫ୍‌ ଅନର୍ ପ୍ରଦାନ ପରେ ୧୯୯୪ ବ୍ୟାଚ୍ ବରିଷ୍ଠ ଆଇପିଏସ୍‌ ସଂଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ଏଡିଜି (ଅପରେସନ)ଥିବା ସମୟରେ ନକ୍ସଲଦମନ କ୍ଷେତ୍ରରେ ବେଶ୍‌ ଅଭିଜ୍ଞତା ଠୁଳ କରିଛନ୍ତି। ନକ୍ସଲ ଅଞ୍ଚଳରେ ହିଂସାମୁକ୍ତ ନିର୍ବାଚନ କରାଇବା ତାଙ୍କର ବଡ଼ ସଫଳତା ବୋଲି ବିବେଚନା କରାଯାଏ। ତେବେ ନୂଆ ଦାୟିତ୍ୱ ନେବା ପରେ ଦ୍ବୈତନଗରୀରେ ବଢ଼ି ଚାଲିଥିବା ନିଶାକାରବାର, ଟ୍ରାଫିକ୍‌ ସମସ୍ୟା, ସାଇବର ଅପରାଧ, ଭିଭିଆଇପି ସୁରକ୍ଷା ତଥା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିବାବେଳେ ସେ କିଭଳି ପରିଚାଳନା କରିବେ, ତା’ ଉପରେ ସମସ୍ତଙ୍କ ନଜର।

ସାଇବର୍‌ ଅପରାଧ
ସମ୍ପ୍ରତି ସାଇବର ଅପରାଧ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାଛଡ଼ା ଭିଡିଓ ଭାଇରାଲ, ବ୍ଲାକମେଲ୍‌ କରି ସାଇବର ଠକ ଲୋକଙ୍କୁ ଫସାଇ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଲୋକଙ୍କୁ ଯେତେ ସଚେତନ କଲେ ବି ସାଇବର ଅପରାଧ ଥମିବାର ନାଁ ଧରୁନି। ପ୍ରତିଦିନ ସାଇବର ଅପରାଧ ସଂଖ୍ୟା ବଢ଼ିଚାଲିଛି। ନୂଆ ପୁଲିସ କମିସନର କହିଛନ୍ତି, ସାଇବର ଅପରାଧ ନେଇ ପୂର୍ବ ଆପରାଧିକ ଇତିହାସକୁ ଯାଞ୍ଚ କରାଯିବ। ସେହିପରି ସାଇବର ଅପରାଧ ରୋକିବା ଦିଗରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳ କ’ଣ ରହିଛି ତା’ର ମଧ୍ୟ ତର୍ଜମା କରାଯିବ। ସମୀକ୍ଷା ପରେ ପଦକ୍ଷେପ ନିଆଯିବ। 
ଟ୍ରାଫିକ୍‌ ସମସ୍ୟା
ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରିଛି। ଏଥିପ୍ରତି ପୁଲିସ କମିସନର ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି, ଟ୍ରାଫିକ୍‌ ସମସ୍ୟା ଯୋଗୁଁ ରାଜଧାନୀର କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେଉଛି, କେଉଁ ସମୟରେ ସମସ୍ୟା ଉପୁଜୁଛି, କେଉଁ କାରଣ ପାଇଁ ହେଉଛି, ଏହାକୁ ସ୍ବତନ୍ତ୍ର ଟିମ୍‌ ସମୀକ୍ଷା କରିବ। । ରିପୋର୍ଟ ଆଧାରରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। 
ଭିଭିଆଇପି ସୁରକ୍ଷା
ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟାଳୟ ଥିବା ବେଳେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥା ରହିଛି। ବିଭିନ୍ନ ସମୟରେ ତାରକା ହୋଟେଲ୍‌ଗୁଡ଼ିକରେ କାର୍ଯ୍ୟକ୍ରମ ରହୁଛି। ସେଥିରେ ବହୁ ଭିଭିଆଇପି ଯୋଗଦେଉଛନ୍ତି। ସେହି ସମୟରେ ସେମାନଙ୍କ ସୁରକ୍ଷା, ଆଇନଶୃଙ୍ଖଳା ବ୍ୟବସ୍ଥା ଚ୍ୟାଲେଞ୍ଜ ସୃଷ୍ଟି କରିବ।
ନିଶା କାରବାର
ରାଜଧାନୀର ଯୁବପିଢ଼ି ଏବେ ଡ୍ରଗ୍‌ସ କବଳରେ ପଡ଼ିଛନ୍ତି। ଗଳିକନ୍ଦିରେ ମିଳୁଛି ବ୍ରାଉନ୍‌ସୁଗାର, କୋକେନ୍‌ ଭଳି ଜହର। କମିସନରେଟ୍‌ ପୁଲିସ ଓ ଅବକାରୀ ବିଭାଗ ଡ୍ରଗ୍‌ସ ବେପାରୀଙ୍କୁ ଗିରଫ କରୁଛନ୍ତି। କିନ୍ତୁ ନିଶା ବ୍ୟବସାୟରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇଛି। ଏହା ମଧ୍ୟ ନୂଆ କମିସନରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ। 
ପାର୍ବଣ ପାଇଁ ଚିନ୍ତା, ଦାଗୀ ହେବେ ସାବାଡ଼
କେଇଟା ଦିନପରେ ଦଶହରା। କଟକ ଓ ରାଜଧାନୀର ଏହା ସବୁଠୁ ବଡ଼ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ। ମା’ଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଏହି ସମୟରେ ବିଭିନ୍ନ ଅନ୍ତଃରାଜ୍ୟ ଲୁଟେରା, ଅପରାଧୀ ବେଶ୍‌ ସକ୍ରିୟ ହୁଅନ୍ତି। ଏହି ଅପରାଧ ରୋକିବାକୁ ପୁଲିସ କମିସନର ଦାଗୀ ଅପରାଧୀଙ୍କ ତାଲିକା କରିବାକୁ କହିଛନ୍ତି। ଦାଗୀ ଓ ଗ୍ୟାଙ୍ଗ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଥାନାସ୍ତରରେ ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଛନ୍ତି।  
ସଫଳତା ବଖାଣିଲେ ପୂର୍ବତନ କମିସନର
ପୂର୍ବତନ ପୁଲିସ କମିସନର ତଥା ୧୯୯୪ ବ୍ୟାଚ୍ ଆଇପିଏସ୍‌ ସଂଜୀବ ପଣ୍ଡା ପୁଲିସ କମିସନର ଭାବେ ୮ମାସର କାର୍ଯ୍ୟକାଳରେ କ’ଣ ସବୁ ଚ୍ୟାଲେଞ୍ଜର ସାମ୍‌ନା କରିଥିଲେ, କେତେ ସଫଳତା ହାସଲ କରିଥିଲେ, ସେ ବିଷୟରେ ବିଦାୟୀ କମିସନର ସଂଜୀବ ପଣ୍ଡା କହିଥିଲେ। ନିର୍ବାଚନର କିଛି ଦିନ ପୂର୍ବରୁ ତାଙ୍କୁ ଗୁରୁଦାୟିତ୍ବ ମିଳିଥିଲା। ସବୁ ଅଧିକାରୀଙ୍କ ସହାୟତାରେ ନିର୍ବାଚନକୁ ସୁପରିଚାଳନା କରିଥିଲେ। କାର୍ଯ୍ୟକାଳରେ ସାଇବର ଅପରାଧୀଙ୍କ ଠାରୁ ୨ କୋଟି ଟଙ୍କା ଫେରାଇ ଆଣିବାରେ ତାଙ୍କ ଟିମ୍‌ କିଭଳି ନିଷ୍ଠାର ସହ କାମ କରିଥିଲା ଓ ବହୁ ଗ୍ୟାଙ୍ଗ ଅପରାଧୀଙ୍କୁ ବାନ୍ଧିବା ସହ ସେମାନଙ୍କ ପାଖରୁ ୨୦୦ ସୁନାଚେନ୍‌ ଓ ପ୍ରାୟ ୧୦୦୦ଟି ମୋବାଇଲ୍‌ ଜବତ କରି ଲୋକଙ୍କୁ ଫେରାଇଥିଲା, ସେକଥା ବର୍ଣ୍ଣନା କରିଥିଲେ। ତାଙ୍କୁ ମିଳିଥିବା ନୂତନ ଦାୟିତ୍ବକୁ ସେ ନିଷ୍ଠାର ସହ ନିର୍ବାହ କରିବେ ବୋଲି ମଧ୍ୟ କହିଥିଲେ।