ଛାଇଗଲେଣି ଲାଞ୍ଚୁଆ ଅଧିକାରୀ

ଭୁବନେଶ୍ବର(ହିତେଶ ନାୟକ): ବିନା ଲାଞ୍ଚରେ ଫାଇଲ୍‌ଟେ ଆଗକୁ ବଢ଼ିପାରୁନି। ଫାଇଲ ମାସ ମାସ ଧରି ପଡ଼ିରହୁଛି। ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ଲୋକସେବା ଭବନ ଠାରୁ ଆରମ୍ଭ କରି ଜିଲ୍ଲା, ପୌରସଂସ୍ଥା କାର୍ଯ୍ୟାଳୟ ଯାଏ ସବୁଠି ମାଳମାଳ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ। ଗତ ୧୦ମାସ ମଧ୍ୟରେ ରାଜଧାନୀରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ଦେଖିଲେ ଏମିତି ଚିନ୍ତାଜନକ ତଥ୍ୟ ମିଳୁଛି। ଗତ ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ୧୦ମାସ ମଧ୍ୟରେ ଭିଜିଲାନ୍ସ ୩୧ଟି ମାମଲା ରୁଜୁ କରିଛି। ଏହି ତାଲିକାରେ ୨୪ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ବାବୁଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ୨୩ଜଣ ପୁରୁଷ ଥିବା‌ ବେଳେ ଜଣେ ମହିଳା କର୍ମଚାରୀ ସାମିଲ ଅଛନ୍ତି।

୧୦ ମାସରେ ୨୪ ବନ୍ଧା ହେଲେଣି

୫୦ କୋଟିରୁ ଊର୍ଧ୍ବ ଆୟବହିର୍ଭୂତ ସମ୍ପତ୍ତି ଠାବ

କାଟୁ କରୁନି ୫-ଟି ଛାଟ, ମୋ ସରକାର ବ୍ୟବସ୍ଥା

ରାଜଧାନୀରେ ଦୁର୍ନୀତିକୁ ନେଇ ସମସ୍ତେ ବ୍ୟଥିତ

ଅର୍ଥାତ ପ୍ରତି ମାସରେ ଭିଜିଲାନ୍ସ ୨ଜଣରୁ ଅଧିକ ଦୁର୍ନୀତିଖୋରଙ୍କୁ ବାନ୍ଧୁଛି। ଏହି କର୍ମଚାରୀ ଓ ଅଧିକାରୀଙ୍କଠାରୁ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। କାହାର ଦରମା ୮ହଜାର ଥିବା ବେଳେ ତାଙ୍କଠାରୁ ୫କୋଟିର ସମ୍ପତ୍ତି, ଦାମୀ କାର, ସୁନା ଗହଣା ଠାବ କରାଯାଇଛି ତ ପୁଣି କାହାଠାରୁ ୮କୋଟିରୁ ଊର୍ଧ୍ବ ସମ୍ପତ୍ତି। ଏମିତି ୨୪ ଲାଞ୍ଚଖୋରଙ୍କଠାରୁ ୫୦କୋଟିରୁ ଊର୍ଧ୍ବ ଟଙ୍କା ସମ୍ପତ୍ତି ଠାବ ହୋଇଛି। ଉଦ୍‌ବେଗର କଥା ଯେ, ଯେଉଁଠୁ ସାରା ରାଜ୍ୟକୁ ନିୟନ୍ତ୍ରଣ କରାଯାଉଛି ଏବଂ ରାଜ୍ୟର ସମସ୍ତ ସରକାରୀ ଅଫିସରେ ସ୍ବଚ୍ଛତା ଆଣିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି, ସେହିଠାରେ ହିଁ ଖୋଲାଖୋଲି ଦୁର୍ନୀତି ଚାଲିଛି।

ଦୁର୍ନୀତିମୁକ୍ତ ରାଜ୍ୟ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଉଛନ୍ତି। ଦୁର୍ନୀତି ନିବାରଣ ସପ୍ତାହ ସମୟରେ ଲକ୍ଷ ଲକ୍ଷ ଅଧିକାରୀଙ୍କ ଓ କର୍ମଚାରୀଙ୍କୁ ଶପଥପାଠ କରାଯାଉଛି। ଏମିତିକି ଦୁର୍ନୀତିଖୋରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି। ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଉଛି। ଏହାସତ୍ତ୍ବେ ଦୁର୍ନୀତିଖୋର୍‌ ଚେତୁ ନାହାନ୍ତି। ୫-ଟି ଛାଟ, ମୋ ସରକାର ବ୍ୟବସ୍ଥା କିଛି ସେମାନଙ୍କ ପାଇଁ କାମ କରୁନି। ଦୀପ ତଳ ଅନ୍ଧାର ଭଳି ରାଜଧାନୀରେ ଏମିତି ସ୍ଥିତିକୁ ନେଇ ସଚେତନ ନାଗରିକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଲୋକସେବା ଭବନରେ ବି…

ଜୁନ୍‌ ୩ : ଲୋକସେବା ଭବନରେ କାର୍ଯ୍ୟରତ ଯୋଜନା ଓ ସଂଯୋଜନ ବିଭାଗର ଅନୁସଚିବ ତଥା ଓଏଏସ୍‌ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଏକ ଠିକା ସଂସ୍ଥାର କମ୍ପ୍ୟୁଟର ବିଲ୍‌ ପାସ୍‌ କରାଇବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୟୁନିଟ୍‌-୧ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଅନୁସଚିବ ଶ୍ରୀ ସାହୁ ଠିକା ସଂସ୍ଥା ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା।

ଖାକିରେ ଦାଗ

ଅଗଷ୍ଟ ୩: ଲୋକଙ୍କୁ ସୁରକ୍ଷା ଦେବା ସହ ଦୁର୍ନୀତିଖୋର ଓ ଅପରାଧୀଙ୍କୁ ସାବାଡ଼ କରିବାକୁ ଦାୟିତ୍ବ ନେଇଥିବା ପୁଲିସ୍‌ ବି ଦୁର୍ନୀତି କରିବାକୁ ପଛାଉନାହିଁ। କମିସନରେଟ୍‌ ପୁଲିସର ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ଏକ ମାର୍‌ପିଟ୍‌ ମାମଲାର ରଫାଦଫା ପାଇଁ ନରିଶୋ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର ନୃସିଂହ ସେନାପତିଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, କିଛିଦିନ ତଳେ ପୁଷ୍ପଲତା କମିସନରେଟ ପୁଲିସରେ ସର୍ବାଧିକ ମାମଲା ବନ୍ଦ ପାଇଁ ଡିଜି ଡିସ୍କ ପାଇଥିଲେ।

କୁବେର ଦୁର୍ନୀତିଖୋର

ଏପ୍ରିଲ୍‌ ୨୬: ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ କଳାରାହାଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଟିମ୍‌ ବାବୁଲିଙ୍କ ରଘୁନାଥପୁର ସ୍ଥିତ ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରିଥିଲା। ତିନି ମହଲା ଆଲିସାନ ଘର ସମେତ ତାଙ୍କ ନାମରେ ୫୯ ଟି ପ୍ଲଟ ରହିଛି, ଦାଢାରେ ଗୋଟିଏ ଆପାର୍ଟମେଣ୍ଟ, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଦୁଇ ମହଲା ଘର ଓ କଟକ ବେଲଗାଚିଆରେ ଗୋଟିଏ ପ୍ଲଟକୁ ଠାବ କରିଥିଲା। ସେହିପରି ୬୦ଗ୍ରାମ ସୁନା ଗହଣା ଆଦି ଜବତ କରିଥିଲା। ହିସାବରୁ ଜଣାପଡ଼ିଛି ଯେ, ତାଙ୍କର ଅଢ଼େଇ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି। ଏହି ଆୟବହିର୍ଭୂତ ସମ୍ପତ୍ତି ହେଉଛି ତାଙ୍କ ରୋଜଗାରର ୩୩୮%। ସାଢ଼େ ୮ହଜାର ଟଙ୍କା ଦରମା ପାଉଥିବା ଏହି ସରକାରୀ କର୍ମଚାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ କେମିତି ହେଲେ?

ମେ’ ୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୭କୋଟି ୨୧ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। କୁବେର ଜଗନ୍ନାଥଙ୍କର ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୮୧ଟି ପ୍ଲଟ ଓ କଟକରେ ୧୦ଟି ପ୍ଲଟ ଠାବ କରିଥିଲା। ଯାହାର ମୂଲ୍ୟ ୩ କୋଟି ୩୩ ଲକ୍ଷ। ଖାଲି ଏତିକି ନୁହେଁ, ରଘୁନାଥପୁର ଅଞ୍ଚଳରେ ୭ଟି ଫ୍ଲାଟ ସମେତ ମୋଟ ୯ଟି ଫ୍ଲାଟ, କଟକରେ ଘର, ଭୁବନେଶ୍ୱର ରଘୁନାଥପୁରର ରୟାଲ ଲାଗୁନରେ ୫୦ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ, ଠିକ୍‌ ପଛପଟକୁ ୬ ହଜାର ବର୍ଗ ଫୁଟର ଏକ ମାର୍କେଟ କମ୍ପ୍ଲେକ୍ସ, ଯାହାର ମୂଲ୍ୟ ଏକ କୋଟି ୪୬ଲକ୍ଷ। ସେହିପରି ରଘୁନାଥପୁରରେ ୨ ହଜାର ବର୍ଗ ଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠାଘର ଏବଂ ୧୫ଶହ ବର୍ଗ ଫୁଟର ୧ ମହଲା କୋଠାଘର ଠାବ ହୋଇଛି। ରଘୁନାଥପୁରର ରୟାଲ ଆର୍‌କେଡ୍‌ରେ ୩୭ଲକ୍ଷ ଟଙ୍କାର ୩ବିଏଚ୍‌କେ ଫ୍ଲାଟ୍, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ୩୪ଲକ୍ଷ ଟଙ୍କାର ଆଉ ଏକ ଫ୍ଲାଟ୍ ରହିଛି। ଏହାଛଡ଼ା ୧୦ଗ୍ରାମ ହୀରା, ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର ସହ ସାଢ଼େ ୩୯ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ଜମା, ନାମୀ ଦାମୀ ଘଡ଼ି, ଗୋଟିଏ କାର ଠାବ କରାଯାଇଥିଲା। ଯାହାକି ତାଙ୍କ ଆୟ ଠାରୁ ୩୬୫% ଅଧିକ।

ଜୁନ୍‌ ୨୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ଭୁବନେଶ୍ୱର ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ(ସିଏସ୍‌ଓ) ତଥା ଗଜପତି ଜିଲ୍ଲାର ପୂର୍ବତନ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଅଢ଼େଇ କୋଟିର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ବ୍ରହ୍ମପୁରର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ୬ଟି ପ୍ଲଟ, ଖାରବେଳ ନଗରସ୍ଥିତ ଦୁଇ ମହଲା କୋଠା ସମେତ ଛତ୍ରପୁର ରାମନଗରସ୍ଥିତ ଦୁଇ ମହଲା କୋଠା, ରାମନଗରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ, ଅନାଦିଙ୍କ ପୁଅ ସୌମ୍ୟରଂଜନ ବେହେରାଙ୍କ ନାମରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ଥିବା ମା’ ରେସିଡେନ୍ସି ନାମକ ଏକ ଓୟୋ ହୋଟେଲକୁ ଠାବ କରିଥିଲା । ସେହିପରି ୧୭ଲକ୍ଷ ୨୫ ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍‌, ସାଢ଼େ ୧୬ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କାଜବତ କରଯାଇଥିଲା। ଯାହାକି ୧୬୦ ପ୍ରତିଶତ ଆୟ ବହିର୍ଭୂତ ବୋଲି ଜଣାପଡ଼ିଥିଲା।

ସେପ୍ଟେମ୍ବର ୨୯: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଇଡ୍‌କୋର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର‌ ଲେଙ୍କାଙ୍କ ଭୁବନେଶ୍ବର ଘର, ଅଫିସ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢଉ କରି ୪କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଚଢ଼ଉ ବେଳେ ଭୁବନେଶ୍ୱରର କୋରଡାକଣ୍ଟାସ୍ଥିତ ୩ମହଲା କୋଠା, ଝାରପଡ଼ା ନିଳାଦ୍ରୀନଗରରେ ଥିବା ଘର, ଉତ୍ତରାଛକରେ ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଠାବ କରିଥିଲା। ସେହିପରି ପୁରୀ ସ୍ଥିତ ଗ୍ରାଣ୍ଡ ଆସିଆନା ଆପାର୍ଟମେଣ୍ଟରେ ଫ୍ଲାଟ୍‌, ୬୮ଲକ୍ଷର ବ୍ୟାଙ୍କ ବାଲାନ୍ସ, ଇନ୍ସ୍ୟୁରାନ୍ସ, ଏକଲକ୍ଷ ନଗଦ ଟଙ୍କା, ୧୨ଲକ୍ଷ ଟଙ୍କାର ସୁନାଗହଣା ଆଦି ଠାବ ହୋଇଥିଲା

ଅକ୍ଟୋବର ୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ୍‌-୧ର କୋଟିପତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୪କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। କଟକ ସିଡିଏ ଅଞ୍ଚଳରେ ଏକ ୩ମହଲା କୋଠା, ଜଟଣୀ ସୃଷ୍ଟି ପ୍ଲାଜାରେ ଏକ ଫ୍ଲାଟ, ସାଲେପୁର ନିକଟରେ ଏକ କୋଠା, ଫୁଲନଖରାରେ ଦୁଇଟି ପ୍ଲଟ ଏଭଳି ୩ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଏହା ବାଦ ଦେଢ଼ କୋଟିର ବ୍ୟାଙ୍କ ବାଲାନ୍ସ, ୩ଲକ୍ଷ ଟଙ୍କାର ସୁନାଗହଣା, ଗୋଟିଏ କାର, ୪ଟି ଦୁଇଚକିଆ ଯାନ ରହିଥିଲା।

ସମ୍ବନ୍ଧିତ ଖବର