ବାଦ୍‌ ପଡ଼ିବେ ବହୁ ପୂର୍ବତନ କର୍ପୋରେଟର୍‌

ଦୁଇ ଦିନରେ ସବୁ ଟିକେଟ୍‌ ଚୂଡ଼ାନ୍ତ, ୨୦ ୱାର୍ଡ ପାଇଁ ପ୍ରାର୍ଥୀଙ୍କୁ ସବୁଜ ସଙ୍କେତ, ତିନି ବିଧାୟକଙ୍କ ଘରେ ଭିଡ଼ ଜମୁଛି

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ଲାଗି ସରଗରମ ରାଜଧାନୀ ରାଜନୀତି। ଦିନ ଯେତିକି ପାଖେଇ ଆସୁଛି, ଉଷ୍ମତା ମଧ୍ୟ ସେତିକି ବଢ଼ୁଛି। ବିଶେଷକରି ବିଜେଡିରେ ସର୍ବାଧିକ ଆଶାୟୀ ଥିବାରୁ କିଏ ଟିକେଟ୍‌ ପାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଥର ପୁନର୍ବାର ଟିକେଟ୍‌ ହା‌ତେଇବା ଲାଗି ପୂର୍ବତନ କର୍ପୋରେଟର୍‌ମାନେ ନିଜ ନିଜ ସ୍ତରରେ ଲାଗି ପଡ଼ିଛନ୍ତି। ସେପଟେ କାହାକୁ କେଉଁ ୱାର୍ଡରୁ ଟିକେଟ୍‌ ଦିଆଯିବ ? କାହାର ଟିକେଟ୍‌ କଟିବ? ଅସନ୍ତୁଷ୍ଟଙ୍କୁ କିଭଳି ସନ୍ତୁଷ୍ଟ କରାଯିବ, ସେନେଇ ଭୁବନେଶ୍ବରର ତିନି ବିଧାୟକ ଦୁଇ ଦିନ ହେଲା ମାନସମନ୍ଥନ ଜାରି ରଖିଛନ୍ତି।

୨୭ ତାରିଖ ସୁଦ୍ଧା ପ୍ରତି ୱାର୍ଡରୁ ସମ୍ଭାବ୍ୟ ତିନି ଆଶାୟୀଙ୍କ ନାଁ ଦେବାକୁ ସମସ୍ତ ବିଧାୟକଙ୍କୁ କୁହାଯାଇଥିବାରୁ ସେମାନେ ଦୁଇଦିନ ହେଲା ଘନଘନ ବୈଠକ କରି ତାଲିକା ପ୍ରସ୍ତୁତି ଶେଷ କରିଛନ୍ତି। ରାତି ସୁଦ୍ଧା ଯାହା ଖବର ମିଳିଛି, ବିଧାୟକମାନେ ନିଜ ଅଞ୍ଚଳରେ ଥିବା ୱାର୍ଡର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଶୀର୍ଷ ନେତୃତ୍ବଙ୍କ ନିକଟରେ ଦାଖଲ କରିଛନ୍ତି।  ପ୍ରାୟ ୨୦ଟି ୱାର୍ଡରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବା ସହ ସେମାନଙ୍କୁ ବ୍ୟକ୍ତିଗତ ଭାବେ ସବୁଜ ସଙ୍କେତ ଦିଆସରିଛି। କେବଳ ଔପଚାରିକ ଘୋଷଣା ବାକି ଅଛି।

୨୦୧୪ ବିଏମ୍‌ସି ନିର୍ବାଚନରେ ବିଜେଡି ୪୯ଟି ୱାର୍ଡ ହାତେଇଥିଲା। ସ୍ବାଧୀନ ଭାବେ ଲଢ଼ି ଜିତିଥିବା ୧୨ଜଣ କର୍ପୋରେଟର ପରବର୍ତୀ ସମୟରେ ବିଜେଡିରେ ମିଶିବାରୁ ସଂଖ୍ୟା ୬୦ ଟପିଥିଲା। ଯେଉଁମାନେ ବିଜେଡିରୁ କର୍ପୋ‌ରେଟର୍‌ ହୋଇଥିଲେ କିମ୍ବା ସ୍ବାଧୀନ ଭାବେ ଜିତି ବିଜେଡିରେ ମିଶିଥିଲେ, ସେମାନେ ଏଥରକ ବି ବିଜେଡି ଟିକେଟ୍‌ ପାଇଁ ଆଶାବାଦୀ ଅଛନ୍ତି। ଏହା ଏବେ ବିଧାୟକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ୱାର୍ଡ ସଂରକ୍ଷଣ ପ୍ରକ୍ରିୟାରେ କିଛି ପୂର୍ବତନ କର୍ପୋରେଟରଙ୍କ ଟିକେଟ୍‌ ଏକ ପ୍ରକାର କଟିଯାଇଛି। ତା’ ଛଡ଼ା ଆଉ କିଛି ପୂର୍ବତନ କର୍ପୋରେଟର୍‌ ନିଜ ସମ୍ପର୍କୀୟଙ୍କୁ ଟିକେଟ୍‌ ଦେବାକୁ ଲବି କରୁଛନ୍ତି। ଏଭଳି ସମୟରେ ବିଜେଡିର ଶୀର୍ଷନେତୃତ୍ବଙ୍କୁ ଦିଆଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଅଧାରୁ ଅଧିକ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ଟିକେଟ୍‌ କଟୁଥିବା ନେଇ ସୂଚନା ମିଳିଛି।

ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନରେ ୧ ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟର୍‌ ମମତା ରାଉତଙ୍କ ସ୍ବାମୀ ମିହିର ରାଉତ, ୬ ନମ୍ବରରେ ପ୍ରୀତିନନ୍ଦା ରାଉତରାୟ, ୯ ନମ୍ବରରେ ସୂର୍ଯ୍ୟକାନ୍ତି ଜେନା, ୧୬ ନମ୍ବରରେ ଭାରତୀ ସିଂହ, ୨୧ ନମ୍ବରରେ ପ୍ରେମାନନ୍ଦ ଜେନା, ୨୫ ନମ୍ବରରେ ମାନସୀରାଣୀ ସୁନ୍ଦରାୟ ବିଜେଡି ଟିକେଟ ପାଇବା ଆପାତତଃ ଚୂଡ଼ାନ୍ତ ହୋଇଛି।

ଭୁବନେଶ୍ବର (ମଧ୍ୟ) ନିର୍ବାଚନମଣ୍ଡଳୀର ୨୯ ନମ୍ବରରେ ପୂର୍ବତନ କର୍ପୋରେଟର୍‌ ସେଖ୍‌ ନିଜାମ୍‌ଉଦ୍ଦିନ୍‌, ୩୧ନମ୍ବରରେ କୁମାରେନ୍ଦ୍ର ମହାପାତ୍ର, ୩୨ ନମ୍ବରରେ ପୂର୍ବତନ କର୍ପୋରେଟର୍‌ ସୁଷମା ଜେନାଙ୍କ ସ୍ବାମୀ ଶ୍ରୀଧର ଜେନା, ୩୭ନମ୍ବର ୱାର୍ଡରେ ନବକିଶୋର ବେହେରାଙ୍କ ପତ୍ନୀ ରଞ୍ଜିତା ବେହେରା ଓ ୪୫ନମ୍ବରରେ ଅମ‌ରେଶ ଜେନା ଟିକେଟ୍‌ ପାଇବାକୁ ଯାଉଛନ୍ତି।

ଭୁବନେଶ୍ବର ଏକାମ୍ର ନିର୍ବା‌ଚନମଣ୍ଡଳୀର ୨୩ ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟର୍‌ ଦିଲ୍ଲୀପ ମାଝୀଙ୍କ ପତ୍ନୀ କିରଣବାଳା ମାଝୀ, ୫୦ ନମ୍ବରରେ ସୁଜିତ୍‌ ସ୍ବାଇଁ, ୫୨ ନମ୍ବରରେ ଶ୍ରୀଧର ବେହେରା, ୫୩ନମ୍ବର‌ରେ ମହାମାୟା ସ୍ବାଇଁ, ୫୫ନମ୍ବରରେ ସୀମା ନାୟକଙ୍କ ସ୍ବାମୀ ନୃପେଶ ନାୟକ, ୫୬ନମ୍ବରରେ ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ୫୮ନମ୍ବରରେ ପୁଷ୍ପା ଦାସ ଓ ୫୯ନମ୍ବରରେ ବିରଞ୍ଚି ନାରାୟଣ ମହାସୂପକାର ଟିକେଟ୍‌ ପାଇବେ। ୬୨ ନମ୍ବର ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ପୂର୍ବତନ କର୍ପୋରେଟର୍‌ ହୃଦୟବଲ୍ଲଭ ସାମନ୍ତରାୟଙ୍କ ପରିବାରରୁ ଜଣେ ଟିକେଟ୍‌ ପାଇବାର ସମ୍ଭାବନା ରହିଛି।

ଏହି ପୂର୍ବତନ କର୍ପୋରେଟର୍‌ଙ୍କୁ ଟିକେଟ୍‌ ସମ୍ପର୍କରେ ସବୁଜ ସଙ୍କେତ ଦିଆଯାଇଛି। ସେମାନେ ମଧ୍ୟ ୱାର୍ଡରେ ଅଘୋଷିତ ଭାବେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପାଖାପାଖି ୧୦ଟି ୱାର୍ଡରେ ପ୍ରାର୍ଥୀ ଚୟନକୁ ନେଇ ବିଧାୟକମାନେ ଏବେ ବି ଦ୍ବନ୍ଦ୍ବ‌ରେ ରହିଛନ୍ତି। ଯେଉଁଥିପାଇଁ କୌଣସି ନାଁ ସୁପାରିସ୍‌ କରିପାରିନାହାନ୍ତି।

ବିଜେଡିର ଆଭ୍ୟନ୍ତରୀଣ ମହଲରୁ ମିଳୁଥିବା ସୂଚନା ଅନୁଯାୟୀ, ଏଥର ବିଜେଡି ତିନିଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଯେଉଁମାନଙ୍କ ଟିକେଟ୍‌ ପକ୍କା ହୋଇଛି, ତାଙ୍କ ନାଁ ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଘୋଷଣା କରିବ। ଆସନ୍ତା ୨ତାରିଖଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବାରୁ ଗୁରୁବାର ଦ୍ବିତୀୟ ଓ ଶନିବାର ତୃତୀୟ ପର୍ଯ୍ୟାୟ ଟିକେଟ୍‌ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଯେଉଁମାନେ ଅସନ୍ତୁଷ୍ଟ ରହିବେ ସେମାନଙ୍କୁ କିଭଳି ସନ୍ତୁଷ୍ଟ କରାଯିବ, ସେନେଇ ବି ରଣନୀତି ପ୍ରସ୍ତୁତ କରୁଛି ଦଳ।

ସମ୍ବନ୍ଧିତ ଖବର