ବିଏମ୍‌ସି ହସ୍ପିଟାଲ୍‌; ସବୁ ଥାଇ କିଛି ନାହିଁ

ସିଏମ୍‌ଓଙ୍କ ଦଖଲରେ କ୍ୟାବିନ୍‌, ଏଣ୍ଡୋସ୍କୋପି ଓ ଲାପ୍ରୋସ୍କୋପି ମେସିନ୍‌ ଅଚଳ, ସର୍ଜରି ସେବା ଠପ୍‌

ପୁରୁଣା ଭୁବନେଶ୍ୱର: ଦିନ ଥିଲା ରାଜଧାନୀରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରେ ତଥାକଥିତ ଗଦାଧର ମେଡିକାଲ ବା ବିଏମ୍‌ସି ହସ୍ପିଟାଲ ଉପରେ ଅଧିକ ଲୋକ ନିର୍ଭର କରୁଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଏହା ଏକ ନାହିଁ ନାହିଁର ହସ୍ପିଟାଲ୍‌ରେ ପରିଣତ ହୋଇଛି। ସବୁ ଥାଇ କିଛି ନଥିଲା ଭଳି ପ୍ରତୀୟମାନ ହେଉଛି। ଏଣ୍ଡୋସ୍କୋପି ମେସିନ୍‌, ଲାପ୍ରୋସ୍କୋପି ମେସିନ୍‌ ଦୀର୍ଘ ୬/୭ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ଅଲଟ୍ରାସାଉଣ୍ଡ ମେସିନ୍‌ ଥାଇ ନଥିଲା ଭଳି। ଚର୍ମ ବିଭାଗ ପୂରା ବନ୍ଦ। ସର୍ଜରି ସେବା ବି ବନ୍ଦ। ଏଣେ ରୋଗୀଙ୍କୁ କ୍ୟାବିନ୍ ମିଳୁନଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀ ଏକ କ୍ୟାବିନ୍‌କୁ ଦଖଲ କରି ରଖିଛନ୍ତି। ଶତାଧିକ ଶଯ୍ୟାରୁ ଏବେ ମାତ୍ର ୬୦ ପାଖା‌ପାଖି ଶଯ୍ୟା ରହିଛି। ଏମିତି ବହୁ ସମସ୍ୟା‌ରେ ଛନ୍ଦି ହୋଇ ବିଏମ୍‌ସି ହସ୍ପିଟାଲ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥାକୁ ଚାଲି ଆସିଥିବା କୁହାଯାଉଛି।

ଏହି ହସ୍ପିଟାଲକୁ ଏକ ଉପ ଜିଲ୍ଲା ଡାକ୍ତରଖାନା (ଏସ୍‌ଡିଏଚ୍) ମାନ୍ୟତା ଦେବାକୁ କସରତ ଆରମ୍ଭ ହୋଇଛି। ଏହି ଡାକ୍ତରଖାନାର ଭିତ୍ତିଭୂମି ଅତ୍ୟାଧୁନିକ ସ୍ତରକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପରିତାପର କଥା ଏହି ଡାକ୍ତରଖାନା ଆଧୁନିକସ୍ତରରୁ ଖସିଗଲାଣି। ଏବେ ଏହା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ କୌଣସି ଗୁଣରେ ବି ଅଧିକ ନୁହେଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଠାକୁ ଆସୁଥିବା ବହୁ ରୋଗୀଙ୍କୁ ଅନ୍ୟତ୍ର ରେଫର୍‌ କରାଯାଉଛି। ସାମାନ୍ୟ ସର୍ଜରି ପାଇଁ ବି ରେଫର୍‌ କରି ଦିଆଯାଉଛି। ସ୍ଥାୟୀ ନିଶା ଡାକ୍ତର ନଥିବାରୁ ଏଭଳି କରାଯାଉଛି। ଚର୍ମ ବିଭାଗ ୨ମାସ ହେବ ବନ୍ଦ ହୋଇ ପଡ଼ିଛି। ୨ ବର୍ଷ ହେବ ହସ୍ପିଟାଲର ହୃଦ୍‌ରୋଗ ବିଭାଗ ପାଇଁ ଘର ତିଆରି ସରିଛି। କିନ୍ତୁ ସେଠି ଅନ୍ୟ ବିଭାଗ ଚାଲୁଛି।

ଲାପ୍ରୋସ୍ କୋପି ମେସିନ୍‌ ୭ବର୍ଷ ହେଲା ଅଚଳ। ଏଣ୍ଡୋସ୍ କୋପି ମେସିନ୍ ବି ୬ ବର୍ଷ ହେଲା କାମରେ ଲାଗୁନାହିଁ। ଅଲଟ୍ରାସାଉଣ୍ଡ୍ ବିଭାଗର ଅନୁରୂପ ଅବସ୍ଥା। ଅଲଟ୍ରାସାଉଣ୍ଡ୍ ମେସିନ ଅଚଳ ହୋଇଯାଇଥିବା ବେଳ ଟ୍ରେନିଙ୍ଗପ୍ରାପ୍ତ ଡାକ୍ତର ନଥିବାରୁ ଏହି ବିଭାଗ ବନ୍ଦ ରହିଛି। ତେଣୁ କେବଳ ମେଡିସିନି ବିଭାଗକୁ ଛାଡ଼ିଦେଲେ ଅନ୍ୟ କେଉଁ ବିଭାଗରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ହସ୍ପିଟାଲର ଶଯ୍ୟା ସଂଖ୍ୟା ଥିଲା ୧୦୮। ଏବେ ମାତ୍ର ୫୬ଟି ଶଯ୍ୟା କାର୍ଯ୍ୟ କରୁଛି। ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା କିଛି ଉତ୍ତର ରଖି ନାହଁନ୍ତି।

ସମ୍ବନ୍ଧିତ ଖବର