ଭୁବନେଶ୍ବର: ବିଏମ୍‌ସି ୨୯ ନମ୍ବର ୱାର୍ଡରେ ମାଳ ମାଳ ସମସ୍ୟା। ୪ଟି ଅଳିଆ ଉଠା ଗାଡ଼ି ନିୟୋଜିତ ହୋଇଥିବା ବେଳେ ଗୋଟିଏ ଗାଡ଼ି କାମ କରୁଛି। ଫଳରେ ବହୁ ଦିନ ଧରି ଅଳିଆ ଗଦା ହୋଇ ରହୁଛି। ୨୦୧୭ ମସିହାରେ ୪୭ ଡଷ୍ଟବିନ୍‌ ମଞ୍ଜୁର ହୋଇଥିବା ବେଳେ ମାତ୍ର ୪ଟି ଡଷ୍ଟବିନ୍‌ ଅଛି। ଡେଙ୍ଗୁ ବ୍ୟାପୁଛି, ହେଲେ ବିଏମ୍‌ସିର ମଶା ଧୂଆଁଗାଡ଼ି ବୁଲୁନାହିଁ। ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ସେଗୁଡ଼ିକ ନଷ୍ଟ ହୋଇଗଲାଣି। ୧୫ ଦିନ ତଳେ ମହାରାଜା ସିନେମା ହଲ୍‌ ନିକଟରୁ ଧବଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ପେଭର ବ୍ଲକ ପକାଇ କାମ କରାଯାଇଥିଲା ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ସେସବୁ ରାସ୍ତାରୁ ଉଠିଗଲାଣି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି କର୍ପୋରେଟର ପ୍ରାର୍ଥୀ ଦୁର୍ଗା ମାଧବ ମହଲା। ଗତ ୨୨ବର୍ଷ ଭିତରେ ୨୯ ନମ୍ବର ୱାର୍ଡରେ କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ସେ ଅଭିଯୋଗ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୱାର୍ଡର ଏକାଧିକ ହିତାଧିକାରୀ ରାସନକାର୍ଡ, ଉଜ୍ଜ୍ବଳା ଗ୍ୟାସ, ବିଧବା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଏହାର ସମାଧାନ କରିବା ପାଇଁ ବିଧାୟକ, ମେୟର ଓ ନବନିର୍ବାଚିତ କର୍ପୋରେଟରଙ୍କୁ ଅନୁରୋଧ କରାଯାଇଛି। ଯଦି ଆଗାମୀ ଦିନରେ ସମାଧାନ ନହେଲେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି। ଏନେଇ ୨୯ ନମ୍ବର କର୍ପୋରେଟର ଅପରୂପ ନାରାୟଣ ରାଉତ କହିଛନ୍ତି, ୱାର୍ଡର ସମସ୍ୟା ଯାହା ହେଉଛି ତାହାର ସମାଧାନ କରାଯାଉଛି। ଅଭିଯୋଗକାରୀଙ୍କ ଅଭିଯୋଗରେ ସତ୍ୟତା ନାହିଁ। ରାସ୍ତା କାମ ଚାଲିଛି, ସଂପୂର୍ଣ୍ଣ ହୋଇନାହିଁ। ଏଣୁ ଏହାକୁ ନେଇ ବିବାଦ ନ କରିବା ଉଚିତ।