ମାଲକାନଗିରି ଜଙ୍ଗଲରୁ ନୁହେଁ, ଭୁବନେଶ୍ୱରର ହସ୍ପିଟାଲରୁ ମାଓବାଦୀ ଗିରଫ 

ଭୁବନେଶ୍ୱର: କୋରାପୁଟ, ରାୟଗଡ଼ା କିମ୍ବା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଜଙ୍ଗଲ ଭିତରୁ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଜଣେ ମାଓବାଦୀ ଗିରଫ ହୋଇଛି। ଗିରଫ ହୋଇଥିବା ମାଓବାଦୀର ନାମ ଅଲିକ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି। ସବୁଠାରୁ ସମ୍ବେଦନଶୀଳ ମାମଲା ହେଲା ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ମାଓବାଦୀ ଜଣକ ଗିରଫ ହୋଇଛିି। ମାଓବାଦୀ ଜଣକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସ ଚଢ଼ାଉ କରିଥିଲା।

ସୂଚନା ଅନୁସାରେ ମାଓବାଦୀ ଜଣକ ପଶ୍ଚିମବଙ୍ଗ ପୁଲିସ ପାଇଁ ଦରାକାର ଥିଲା। ରେଡ ଷ୍ଟାର ଲିଡରକୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ପୁଲିସ ଅନେକ ଦିନ ପୂର୍ବରୁ ଜାଲ ବିଛାଇ ଥିଲା। ଏଥି ପାଇଁ ଓଡ଼ିଶା ଓ ଅନ୍ୟ ପଡ଼ୋଶୀ ରାଜ୍ୟର ପୁଲିସ ସହିତ ସମ୍ପର୍କରେ ଥିଲା।

ରାଜଧାନୀରୁ ମାଓବାଦୀ ଜଣକ ଗିରଫ ହେବା ପରେ ବୁଦ୍ଧିଜୀବୀମାନେ ଅନେକ ଆଲୋଚନା କରୁଛନ୍ତି। ସୁରକ୍ଷା ପାଇଁ କମିସନରେଟ ପୁଲିସର ଶକ୍ତ ବ୍ୟବସ୍ଥା ଥାଇ ମଧ୍ୟ ମାଓବାଦୀ ଜଣକ କେମିତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ସାହାସ କରିଛି ତାହା ଆଶ୍ଚର୍ଯ୍ୟ ମାମଲା। ମାଓବାଦୀ ଅଲିକ ଚକ୍ରବର୍ତ୍ତୀର ଚିକିତ୍ସା ପାଇଁ ଆଉ କେହି ବାହାର ଲୋକ କାମ କରୁଥାଇପାରେ ବୋଲି ସନ୍ଦେହ ହେଉଛି। ଓଡ଼ିଶା ମାଓବାଦୀ ସଂଗଠନ ସହିତ ଅଲିକର ସଂପୃକ୍ତି ଥାଇ ପାରେ ବୋଲି ସନ୍ଦେହ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର