ହୃତ୍‌ପିଣ୍ଡ ପାଇଁ ୫ କିଲୋମିଟର : ‘ବି.ଆର୍‌ ଲାଇଫ୍‌ କଳିଙ୍ଗ ସୁପର ସ୍ପେସାଲିଟି ହସ୍ପିଟାଲ୍‌’ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଆୟୋଜିତ ‘ଗଣଦୌଡ଼’ରେ ୫ କ‌ିଲୋମିଟର ଦୌଡ଼ିଲେ ଶହଶହ ଉତ୍ସାହୀ ଯୁବକ ଯୁବତୀ

ଭୁବନେଶ୍ବର : ଦେହରେ ଜାଗି ଉଠିଥିଲା ଅମାପ ବଳ। ମୁହଁରୁ ବାରି ହୋଇ ପଡ଼ୁଥିଲା ଅପୂର୍ବ ଉତ୍ସାହ। କେବେ ପାହାନ୍ତି ସକାଳର ଉଦିତ ସୂର୍ଯ୍ୟ ଦେଖୁନଥିବା ଅନେକ ସହରିଆଙ୍କୁ ବି ଆଜି ରାତି ନପାହୁଣୁ ନିଦରୁ ଉଠେଇ ଦେଇଥିଲା ବିଶ୍ବ ହୃତ୍‌ପିଣ୍ଡ ଦିବସ। ‘ବି.ଆର୍‌ ଲାଇଫ୍‌ କଳିଙ୍ଗ ସୁପର ସ୍ପେସାଲିଟି ହସ୍ପିଟାଲ୍‌’ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଆୟୋଜିତ ‘ଗଣଦୌଡ଼’ ଏଥିପାଇଁ ଆଉ ଟିକେ ଖୋରାକ ଯୋଗାଇ ଦେଇଥିଲା। ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରହିବାର ବାର୍ତା ଦେଇ ଆଜି କଳିଙ୍ଗ ହସ୍ପିଟାଲ୍‌ରୁ ୫ କ‌ିଲୋମିଟର ଦୌଡ଼ିଥିଲେ ଶହଶହ ଉତ୍ସାହୀ ଯୁବକ ଯୁବତୀ। କାମ ପାଇଁ ସାରା ଦିନ ସମୟ ଦେଉଥିବା ବ୍ୟକ୍ତିବିଶେଷ ନିଜ ଶରୀର ପାଇଁ ଅନ୍ତତଃ ଅଧଘଣ୍ଟା ସମୟ ଦେଇ ବ୍ୟାୟାମ କରିବାର ବାର୍ତା ଦେଇଥିଲା ଏହି ଗଣଦୌଡ଼।

କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ତଥା ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ଭାରତୀୟ ଫୁଟବଲ୍‌ ଟିମ୍‌ର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ସାଇ‌ନା ସଲୋନିକା, ଅନ୍ତର୍ଜାତୀୟ କରାଟେ ଖେଳାଳି ଅନୁପମା ସ୍ବାଇଁ, ଅଭିନେତା ଅଭିଷେକ ରଥ, ତପି ମିଶ୍ର, ଅଭିନେତ୍ରୀ ଅଙ୍କିତା, ରାଗିଣୀ, ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ବି.ଆର୍‌ କଳିଙ୍ଗ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ମଞ୍ଜିନ୍ଦର ସିଂହ ଭଟ୍ଟି, ଡାକ୍ତର କରୁଣାକର ପାଢ଼ୀ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ବ୍ୟସ୍ତବହୁଳ ସମାଜରେ ବଞ୍ଚୁଥିବା ଆମ ଭଳି ବସ୍ତୁବାଦୀ ମଣିଷକୁ ଜାଗ୍ରତ କରିବା ପାଇଁ ‘ବିଶ୍ବ ହୃତପିଣ୍ଡ ଦିବସ’ର ଏହି ଗଣଦୌଡ଼ ସହାୟକ ହେବ। ସବୁ ସକାଳେ ଦୌଡ଼ିବା ସହ ନିଜକୁ ଫିଟ୍‌ ରଖିବାକୁ ସେ ପରାମର୍ଶ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ, ହୃତପିଣ୍ଡର କାମ ରକ୍ତକୁ ପରିଷ୍କାର କରିବା। ଏଥିପାଇଁ ଦୌଡ଼ିବା ଓ ବ୍ୟାୟାମର ଆବଶ୍ୟକତା ରହିଛି। ରକ୍ତ ସଫା ସହ ହୃଦୟ ନିର୍ମଳ ରଖିବାରେ ମଧ୍ୟ ଏହା ସହାୟକ ହୁଏ। ଆମ ଧମନୀରେ ପ୍ରବାହିତ ଟୋପେ ବି ରକ୍ତ ନଷ୍ଟ କରିବାକୁ ଦେବା ନାହିଁ। ଯଦି ଏହା ଧମନୀରୁ କେବେ ବାହାର କରିବାକୁ ପଡ଼େ, ତେବେ ‘ରକ୍ତଦାନ’ ଭଳି ମହତ୍‌ ଦାନ କରି ଅନ୍ୟର ଆବଶ୍ୟକତାକୁ ପୂରଣ କରିବା।

ଗଣଦୌଡ଼ରେ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ଫିଚର ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ, ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ, କଳିଙ୍ଗ ହସ୍ପିଟାଲ୍‌ର ଡାକ୍ତର ଏସ୍‌.ସି ଚୌଧୁରୀ, ଡାକ୍ତର ସୁଶାନ୍ତ ପାତ୍ର, ଡାକ୍ତର ସୁଶାନ୍ତ ଶୈଳ, ହସ୍ପିଟାଲ୍‌ର ମାର୍କେଟିଂ ମୁଖ୍ୟ ଶଙ୍କର୍ଷଣ ରାଉତ ପ୍ରମୁଖ ସାମିଲ୍‌ ହୋଇ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥିଲେ। ଆର୍‌.ଜେ କୋମଲ୍‌ ଓ ଆର୍‌ଜେ ଅଭି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର