ଭୁବନେଶ୍ୱର : ମଞ୍ଚ ଉପରେ ଚାଲିଥିଲା ଓଡ଼ିଶାର ଚାରି ପଦ୍ମ ପୁରସ୍କାର ବିଜେତାଙ୍କ ଅନନ୍ୟ ସୃଷ୍ଟିର ପ୍ରଦର୍ଶନ। ମହାଭାରତର ମହାନାୟିକା ଦ୍ରୌପଦୀଙ୍କ ଚରିତ୍ରକୁ ନେଇ ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ଲିଖିତ ବହୁଚର୍ଚ୍ଚିତ ପୁସ୍ତକ ‘ଯାଜ୍ଞସେନୀ’ ନୃତ୍ୟନାଟିକାର ରୂପ ନେଇଥିଲା। ସେହି ନୃତ୍ୟନାଟିକାକୁ ଚମତ୍କାର ଭାବେ ମଞ୍ଚରେ ଦର୍ଶକଙ୍କୁ ପରଷି ଦେଉଥିଲେ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି। ଏହି ନୃତ୍ୟ ନାଟିକାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପଦ୍ମବିଭୂଷଣ ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ର। ୨୩ ବର୍ଷ ତଳେ ଏହାର ସଂଗୀତ ସଂଯୋଜନା କରିଥିବା ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ବି ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ଏପରି ଏକ ଅନୁପମ ସୃଷ୍ଟିକୁ ଦେଖିବାର ଅବସରକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ ଦର୍ଶକ। ସେଥିପାଇଁ ଆଜି ନୃତ୍ୟପ୍ରେମୀ ଦର୍ଶକଙ୍କ ଭିଡ଼ ଜମିଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ଅବସର ଥିଲା ‘ନୃତ୍ୟଶାଳା’ ଓ ମାସିକ ସାଂସ୍କୃତିକ ପତ୍ରିକା ‘କଳାକୃତି’ର ମିଳିତ ସହଯୋଗରେ ଆୟୋଜିତ ଅଷ୍ଟମ ଶାସ୍ତ୍ରୀୟ ନୃତ୍ୟୋତ୍ସବ ‘ମାର୍ଗୀ’ର ଉଦ୍‌ଯାପନୀ ସଂଧ୍ୟା। ‘ଯାଜ୍ଞସେନୀ’ରେ କୁମ୍‌କୁମ୍‌ ମହାନ୍ତିଙ୍କ ନିଖୁଣ ନୃତ୍ୟାଭିନୟ ଦର୍ଶକଙ୍କୁ ଏମିତି ତଲ୍ଲୀନ କରି ଦେଇଥିଲା ଯେ ନାଟିକା ସରୁ ସରୁ ଦର୍ଶକମାନେ ନିଜ ନିଜ ଆସନରୁ ଠିଆ ହୋଇ ତାଳି ମାରିଥିଲେ।

Advertisment

୨୦ ବର୍ଷ ପରେ ପୁଣିଥରେ ଦେଖିଲେ ପ୍ରଫୁଲ୍ଲ

publive-image

ଯାଜ୍ଞସେନୀର ସଂଗୀତ ସଂଯୋଜନା ଦେଉଥିବା ବେଳର ଅନୁଭୂତି ବଖାଣି ପ୍ରଫୁଲ୍ଲ କର କହିଲେ, ଏଭଳି ଏକ ବଡ଼ ଗ୍ରନ୍ଥକୁ ସଂଗୀତ ନିର୍ଦ୍ଦେଶନା ଦେବା ବହୁ କଷ୍ଟ ଥିଲା। କିଛି ତ୍ରୁଟି ରହିଯିବାର ଆଶଙ୍କା ଭିତରେ ଏହାର ସଙ୍ଗୀତ ନିର୍ଦ୍ଦେଶନା କାମ ସରିଥିଲା। ଦୀର୍ଘ ୨୦ ବର୍ଷ ପରେ ଏହି ନୃତ୍ୟନାଟିକାକୁ ପୁଣି ମଞ୍ଚରେ ଦେଖି ଖୁସି ଲାଗୁଛି।

ତେବେ ଆଜିର ଏହି ଚମତ୍କାର ପରିବେଷଣ ସମୟରେ ସମସ୍ତେ ସ୍ମରଣ କରୁଥିଲେ ଦିବଂଗତ ଗୁରୁ କେଳୁଚରଣ ମହାପାତ୍ରଙ୍କୁ। ଏହା ପରେ ପରେ ନୃତ୍ୟଶିଳ୍ପୀ ଦୀପ୍ତି ମିଶ୍ରଙ୍କ ଏକକ ନୃତ୍ୟାଭିନୟ, ପ୍ରଭାତ ସ୍ୱାଇଁ ଓ ଶୁଭଲକ୍ଷ୍ମୀ ପାଢ଼ୀଙ୍କ ଅର୍ଦ୍ଧନାରୀଶ୍ୱର ଏବଂ ‘ଜୟଦେବ ଗୀତ ଗୋବିନ୍ଦ’ ରଚନାର ସମ୍ପୂର୍ଣ୍ଣ କାହାଣୀକୁ ନେଇ ଦଳଗତ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ମିନତି ମିଶ୍ର, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା, କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ ଓ ଓଡ଼ିଶୀ ନୃତ୍ୟଗୁରୁ ନବକିଶୋର ମିଶ୍ର ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ନୃତ୍ୟଶାଳାର ନିର୍ଦ୍ଦେଶକ ଅଶୋକ କୁମାର ଘୋଷାଲ ଧନ୍ୟବାଦ ଜଣାଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

publive-imageଭାବପ୍ରବଣ ହୋଇପଡ଼ିଲେ ପ୍ରତିଭା

ମଞ୍ଚ ଉପରେ ନିଜ ରଚିତ ବହୁଚର୍ଚିତ ପୁସ୍ତକ ‘ଯାଜ୍ଞସେନୀ’ର ଏଭଳି ନୃତ୍ୟନାଟିକା ଦେଖି ପ୍ରତିଭା ରାୟ ବି ଭାବପ୍ରବଣ ହୋଇ ପଡ଼ିଥିଲେ। ଏହି ଅବସରରେ ସେ କହିଥିଲେ, ‘ଯାଜ୍ଞସେନୀ ରଚନା ମୁଁ କରିଛି ସତ। କିନ୍ତୁ ଏହା ଆଉ ମୋର ହୋଇ ନାହିଁ। ଏହା ଜଗତର ହୋଇ ଯାଇଛି। ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସୃଷ୍ଟି ହେଉଛି। ଯାହର ଖବର ମୋ ପାଖରେ ନାହିଁ। କିନ୍ତୁ ଏହା ଜାଣି ବହୁତ ଖୁସି ଓ ଗର୍ବ ଅନୁଭବ ହେଉଛି।’ କେବଳ ସେତିକି ନୁହେଁ, ମଞ୍ଚରେ କୁମ୍‌କୁମ ମହାନ୍ତିଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ପରେ ଶ୍ରୀମତୀ ରାୟ ଖୁସିରେ କୁମ୍‌କୁମ୍‌ଙ୍କୁ ଆଲିଙ୍ଗନ କରି ଚୁମ୍ବନ କରି ପକାଇଥିଲେ।