ଭୁବନେଶ୍ବର: ଭୁବନେଶ୍ବରକୁ ବିଦେଶୀ ଗଞ୍ଜେଇ ମାରିଜୁଆନା ସୁଅ ଛୁଟୁଛି। ଚଳିତ ବର୍ଷ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଷ୍ଟମ୍ସ ବିଭାଗ ସ୍କ୍ବାଡ୍ ୭ରୁ ଅଧିକ ଥର ଏହି ନିଷିଦ୍ଧ ନିଶା ମାରିଜୁଆନା ଜବତ କଲାଣି। ଆଜି ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହୋଇଛି। ବ୍ୟାଙ୍କକ୍ରୁ ଏହି ନିଶା ଚାଲାଣ କରୁଥିବା କେରଳୀ ଯୁବକକୁ କଷ୍ଟମ୍ସ ଅଧିକାରୀମାନେ ଉଠାଇନେଇ ପଚରାଉଚରା କରୁଛନ୍ତି। ଚାଲାଣକାରୀ କେରଳ ବାସିନ୍ଦା ହୋଇଥିବାରୁ ଜବତ ମାରିଜୁଆନା ଓଡ଼ିଶା ଦେଇ କେରଳ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ମାତ୍ର ବ୍ୟାଙ୍କକ୍ରୁ କେରଳ ଚାଲାଣ କରିବାକୁ ମାଫିଆମାନେ ଓଡ଼ିଶାକୁ କ’ଣ ପାଇଁ ମାଧ୍ୟମ କରିଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇରହିଛି। ମାରିଜୁଆନା ନିଶାର ଚାହିଦା ଓଡ଼ିଶାରେ ଯେ ବଢ଼ିନି, ଏହାକୁ ମଧ୍ୟ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛି। ଆଜି ଇଣ୍ଡିଗୋ ବିମାନରେ ମାରିଜୁଆନା ନେଇ ଜଣେ ଯୁବକ ଆସୁଥିବା ଖବର ପାଇ କଷ୍ଟମ୍ସ ଅଧିକାରୀମାନେ ସଜାଗ ହୋଇ ରହିଥିଲେ। ତେଣୁ ଲଗେଜ୍ ଚେକିଂ କଡ଼ାକଡ଼ି କରାଯାଇଥିଲା। ସନ୍ଦିଗ୍ଧ ଯୁବକଙ୍କ ଲଗେଜ୍ରୁ ୩.୨ କିଲୋ ମାରିଜୁଆନା ମିଳିଥିଲା।
କେରଳର ଏହି ଯୁବକଜଣକ ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସୁଥିଲେ ଏବଂ ପରେ ଅନ୍ୟ ବିମାନ ଯୋଗେ କେରଳ ଯିବାର ଥିଲା ବୋଲି କହିଥିଲେ। ଅଧିକ ତଦନ୍ତ ପାଇଁ କଷ୍ଟମ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୬୦କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଛି। ଅଗଷ୍ଟ ୨୩ ତାରିଖରେ କଷ୍ଟମ୍ସ ଅଧିକାରୀମାନେ ୪ କୋଟି ଟଙ୍କା ମୂଲ୍ୟର ଏହି ନିଶା ଜବତ କରିଥିଲେ। ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଥିଲା। ପୁଣି ସେହି ମାସରେ ଏହି ବିମାନବନ୍ଦରରୁ ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା। କିନ୍ତୁ ସେଥର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ସ୍କ୍ବାଡ୍ ହାବୁଡ଼ରେ ଗୁଜରାଟ ଅହମଦାବାଦର ଚାଲାଣକାରୀ ଯୁବକଜଣକ ଧରାପଡ଼ିଥିଲା। ସେହିପରି ଜୁଲାଇ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା। ସେଥର କଷ୍ଟମ୍ସ ସ୍କ୍ବାଡ୍ ଉତ୍ତରପ୍ରଦେଶର ୩ଜଣ ଯୁବକଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/05/sfsfsxcxc-2025-10-05-04-05-58.jpg)