ଭୁବନେଶ୍ବର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ୮କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ହାବୁଡ଼ରେ ଏହି ଚୋରାଚାଲାଣ ଧରାପଡ଼ିଛି। ଏହି ଚଢ଼ଉରେ ଗୁଜୁରାଟ ଅହମ୍ମଦାବାଦର ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ଦୁଇଦିନ ତଳେ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା। ପୁଣିଥରେ ସମାନ ବିମାନରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ଗଞ୍ଜେଇ ହବ୍‌ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି। ନୂଆ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବାରୁ ଏହାକୁ ନିଷିଦ୍ଧ ଦ୍ରବ୍ୟ ଚାଲାଣର ଗଳାବାଟ ଭାବେ ବ୍ୟବହାର କରାଯାଉଛି।

Advertisment

୨ଦିନ ତଳେ ୩୦ କେଜି ମିଳିଥିଲା, ଆଜି ପୁଣି ୮ କେଜି
ଭୁବନେଶ୍ବରକୁ ବଦନାମ୍‌ କରିବାକୁ ଚକ୍ରାନ୍ତ
ଗୁରୁରାଟର ଯୁବକ ଅଟକ, ପାସ୍‌ପୋର୍ଟ ଜବତ

ଆଜି ଭୁବନେଶ୍ବର ବିମାନବନ୍ଦରରେ ଥାଇଲାଣ୍ଡ୍‌ରୁ ବିମାନ ପହଞ୍ଚିବା ପୂର୍ବରୁ ଖବର ପାଇ ଡିଆର୍‌ଆଇ ଟିମ୍‌ ପ୍ରସ୍ତୁତ ରହିଥିଲା। ବ୍ୟାଗ୍‌ ସଂଗ୍ରହ କରିବା ସମୟରେ ଗୁଜୁରାଟର ଏହି ଯୁବକଙ୍କୁ ଅଟକାଇ ଥିଲା। ତାଙ୍କୁ ଯାଞ୍ଚ କରିବା ପରେ ବିସ୍କୁଟ୍‌ ପ୍ୟାକେଟ୍‌ରେ ହାଇଡ୍ରୋପୋନିକ୍‌ ୱିଡ୍‌ ମିଳିଥିଲା। ଗୋଟିଗୋଟି କରି ୮ଟି ପ୍ୟାକେଟ୍‌ରୁ ଏହି ଗଞ୍ଜେଇ ମିଳିଥିଲା। ସଂପୃକ୍ତ ଯୁବକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତାଙ୍କୁ ଅଟକ ରଖି ଏହି ଅନ୍ତଃରାଷ୍ଟ୍ରୀୟ ନିଶା ଚାଲାଣ ସମ୍ପର୍କରେ ପଚରାଉଚରା କରାଯାଉଛି। ସମ୍ପୃକ୍ତ ଯୁବକଙ୍କ ପାସ୍‌ପୋର୍ଟ ଯାଞ୍ଚ କରାଯିବା ସହିତ ତାଙ୍କର ଥାଇଲ୍ୟାଣ୍ଡ ଗସ୍ତ ସମ୍ପର୍କିତ ତଥ୍ୟ ଆଧାରରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ତାଙ୍କର ପରବର୍ତ୍ତୀ ଗସ୍ତ, ଭୁବନେଶ୍ବରରେ ଥିବା ସମ୍ପର୍କୀୟ ଓ କଲ୍‌ରେକର୍ଡକୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ଏହି ସିଣ୍ଡିକେଟ୍‌ର ଚେରକୁ ଖୋଜି ବାହାର କରିବାକୁ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛି।

ଗତ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା। ଏହି ଚଢ଼ଉରେ ଉତ୍ତରପ୍ରଦେଶର ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ସମାନ ଢଙ୍ଗରେ ଆଜି ମଧ୍ୟ ଏହି ଗଞ୍ଜେଇ ଚାଲାଣ ହେବା ସମୟରେ ଧରାପଡ଼ିଛି। ତେବେ‌ ଏହି ଗଞ୍ଜେଇ ଚାଲାଣ ରୢାକେଟ୍‌ ପଛରେ କାହାର ହାତ ରହିଛି। ଏହି ଅନ୍ତର୍ଜାତୀୟ ଗ୍ୟାଙ୍ଗ୍‌କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଥାଇଲ୍ୟାଣ୍ଡରୁ ଗଞ୍ଜେଇ ଚାଲାଣ କାହିଁକି
ତିନିଦିନର ବ୍ୟବଧାନରେ ଥାଇଲ୍ୟାଣ୍ଡରୁ ଆସୁଥିବା ବିମାନରୁ ୩୮କେଜିର ମାରିଜୁଆନା ଜବତ ହୋଇଛି। ତେବେ ଥାଇଲ୍ୟାଣ୍ଡରୁ କାହିଁକି ଏହି ଗଞ୍ଜେଇ ଆସୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଥାଇଲାଣ୍ଡରେ ଗଞ୍ଜେଇ ଉପରେ ଲାଗୁ ନିଷେଧାଜ୍ଞା ଉଠାଇଦିଆଯାଇଛି। ଏହା ଫଳରେ ଥାଇଲାଣ୍ଡରେ ଲୋକମାନେ ଗଞ୍ଜେଇ ଚାଷ ଓ ବ୍ୟବସାୟ କରିପାରିବେ। ମାତ୍ର ଏହି ଦେଶରେ ଗଞ୍ଜେଇ ସେବନ ଉପରେ ଏବେ ବି କେତେକ କଟକଣା ଲାଗୁ ରହିଛି। କୃଷି ଓ ଶିଳ୍ପର ବିକାଶ ଲାଗି ଥାଇଲାଣ୍ଡ ସରକାର ୨୦୨୨ରୁ  ଗଞ୍ଜେଇ ଚାଷ ଓ ବ୍ୟବସାୟକୁ ଅନୁମତି ଦେଇଛନ୍ତି। ତେବେ ଥାଇଲାଣ୍ଡରେ ଲୋକମାନେ ଗଞ୍ଜେଇ ଚାଷ ଓ ବ୍ୟବସାୟ କରିପାରିବେ ମାତ୍ର ଗଞ୍ଜେଇ ସେବନ ଉପରେ କଟକଣା ଲାଗୁ ରହିଛି। ଫଳରେ ଥାଇଲ୍ୟାଣ୍ଡରୁ ଗଞ୍ଜେଇ ଚାଲାଣ ସ୍ବାଭାବିକ ବୋଲି ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ।