ରମାଦେବୀ ବିଶ୍ୱବିଦ୍ୟାଳୟରେ ମାର୍କ ଜାଲିଆତି ଅଭିଯୋଗ, ପରୀକ୍ଷା ନିୟନ୍ତ୍ରକଙ୍କ ବହିଷ୍କାର ଦାବି

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ୫ ଛାତ୍ର ସଙ୍ଗଠନ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନ ଯୁକ୍ତ ୩(ସ୍ନାତକ) କଲେଜ ଶେଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି। ମାତ୍ର ଟପର୍‌ ତାଲିକା ପ୍ରକାଶ ପାଇ ନ ଥିବାରୁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ମ‌ାର୍କ ଜାଲିଆତି ହୋଇଥିବାରୁ ଟପର୍‌ ତାଲିକା ପ୍ରକାଶ କରାଯାଇନାହିଁ ବୋଲି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଏଭଳି ଦୁର୍ନୀତିମୂଳକ କାର୍ଯ୍ୟ ପାଇଁ ଶହ ଶହ ଛାତ୍ରୀ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିବାରୁ ପରୀକ୍ଷା ନିୟନ୍ତ୍ରକଙ୍କୁ ତୁରନ୍ତ ହଟାଇବା ଲାଗି ଛାତ୍ରୀମାନେ ଅଡ଼ି ବସିଛନ୍ତି। ବିଜୁ ଛାତ୍ର ଜନତା ଦଳ ସମେତ ରାଜ୍ୟର ୫ଟି ଛାମୁଆ ଛାତ୍ର ସଙ୍ଗଠନ ଏକ ସ୍ବରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ପରୀକ୍ଷା ନିୟନ୍ତ୍ରକଙ୍କ ମନମାନୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଟପର୍‌ ତାଲିକା ପ୍ରକାଶ ନ କଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି।

ଟପର୍‌ ତାଲିକା ପ୍ରକାଶ ପାଇ ନଥିବାରୁ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆଜି ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଟପର୍‌ ତାଲିକା ପ୍ରକାଶ କରିବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ସୋମବାର ଦିନ ଟପର୍‌ ତାଲିକା ପ୍ରକାଶ କରାଯିବ ବୋଲି କୁଳପତି ପ୍ରଫେସର ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ନିରଞ୍ଜନ ଦାଶ କହିଛନ୍ତି ଯେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଟପର୍‌ ତାଲିକା ପ୍ରକାଶ କରିଥିବାବେଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାଦ୍ୱାରା ୪୮ ସ୍ନାତକ କଲେଜର ଅନେକ ଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ୱରେ ଅଛନ୍ତି। ଏହି ତାଲିକା ପ୍ରକାଶ କରାନଯାଇଥିବାରୁ ମାର୍କ ଜାଲିଆତି ହୋଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଏଭଳି ହେବାର ଅନେକ ଦୃଷ୍ଟାନ୍ତ ରହିଛି। ଏହାଦ୍ବାରା ରାଜ୍ୟ ସରକାର ଓ ପରୀକ୍ଷା ନିୟନ୍ତ୍ରକଙ୍କ ଦୁର୍ନୀତି ପଦାରେ ପଡ଼ିଛି। ତେଣୁ ଏଭଳି ପରୀକ୍ଷା ନିୟନ୍ତ୍ରକଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ପରୀକ୍ଷା ପରିଚାଳନାରେ ତ୍ରୁଟି ଥିଲା ଓ ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଦଳିବା ଭଳି ବିଭିନ୍ନ ସମସ୍ୟା ପରୀକ୍ଷା ସମୟରେ ଦେଖା ଦେଇଥିଲା। ତେବେ କର୍ତ୍ତୃପକ୍ଷ ଟପର୍‌ ତାଲିକା ପ୍ରକାଶ ନ କରିବା ଦ୍ୱାରା ହେରଫେର୍‌ ହୋଇଥିବା ସମ୍ଭାବନାକୁ ଦର୍ଶାଉଛି। ପରୀକ୍ଷା ଫଳ ସାଙ୍ଗରେ ଟପର୍‌ ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ବୋଲି ଏବିଭିପି ପ୍ରଶ୍ନ ଉଠାଇବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ବହିଷ୍କାର ଦାବି କରିଛି। ଯଥା ଶୀଘ୍ର ଏହି ଟପର୍‌ ତାଲିକା ପ୍ରକାଶ କରାଯାଉ ବୋଲି ଏବିଭିପିର ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଶାଖା ସଭାପତି ଲିନା ନନ୍ଦିତା ପରିଡ଼ା ଦାବି କରିଛନ୍ତି। ଏଆଇଡିଏସ୍‌ଓ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛନ୍ତି। ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଘଟଣାକୁ ନିନ୍ଦା କରିବା ସହ ଟପର୍‌ ତାଲିକା ପ୍ରକାଶ ନ ପାଇବା ଦ୍ୱାରା ଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଟପର୍‌ ତାଲିକା ପ୍ରକାଶ ନ ପାଇଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଯିବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି। ସେହିଭଳି ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଟପର୍‌ ତାଲିକା ପ୍ରକାଶ କରାନଯିବା ପଛରେ ପରୀକ୍ଷା ନିୟନ୍ତ୍ରକଙ୍କ ନ୍ୟସ୍ତସ୍ୱାର୍ଥ ଜଡ଼ିତ ଥିବା ମନେ ହେଉଛି। ପୂର୍ବରୁ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିଲା। ଏଭଳି ବାରମ୍ବାର କରି ଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରୁଥିବା ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋରଙ୍କ ବିରୋଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର