ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ର ବିନ୍ଦୁସାଗରର ପଶ୍ଚିମ-ଦକ୍ଷିଣ କୋଣ ବଡୁସାହି ନିକଟରେ ରହିଛି ମାର୍କଣ୍ଡେଶ୍ୱର ମନ୍ଦିର। ଏଥି ସହ ଏହାର ପାଖରେ ରହିଛି ଅନ୍ୟ ଏକ ପୁରାତନ ଐତିହ୍ୟ ଅଖଣ୍ଡଚଣ୍ଡୀ ମନ୍ଦିର। ଐତିହାସିକଙ୍କ ମତ ଅନୁଯାୟୀ ସୋମେଶ୍ୱର ଶିବମନ୍ଦିର ପରି ମାର୍କଣ୍ଡେୟ ଋଷିଙ୍କ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଏହି ମାର୍କଣ୍ଡେଶ୍ୱର ଶିବମନ୍ଦିର ନିର୍ମାଣ ହୋଇଥଲା। କିଂବଦନ୍ତି ଅନୁଯାୟୀ, ମନ୍ଦିରଟି ଦଶମରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ମାର୍କଣ୍ଡେଶ୍ବର ମନ୍ଦିର ଏପରି ଏକ ସ୍ଥାନ ଯେଉଁଠାରେ ପ୍ରଭୁ ଶିବଙ୍କ ପରମଭକ୍ତ ଋଷି ମାର୍କଣ୍ଡେୟ ଭଗବାନ ଶିବଙ୍କୁ  ଧ୍ୟାନ କରିଥିଲେ।

Advertisment

ମନ୍ଦିର ଗଠନ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ହୋଇଥିବା ବେଳେ ଏହାର ଜଗମୋହନ ରେଖା ଦେଉଳ ଶୈଳୀରେ ନିର୍ମିତ ଓ ଏହା ପଞ୍ଚରଥ ବିଶିଷ୍ଟ। ପାର୍ଶ୍ୱଦେବତା ଭାବେ କାର୍ତ୍ତିକେୟଙ୍କ ଉପରେ ବାମ ହାତରେ ମୟୂର ଏବଂ ତଳ ଡାହାଣ ହାତରେ ବରଦ ମୁଦ୍ରାରେ ଅନ୍ୟ ଏକ ମୟୂର ଧାରଣ କରିଛନ୍ତି। ଉତ୍ତର ପାର୍ଶ୍ୱରେ ପଦ୍ମାସନ ଉପରେ ଦଣ୍ଡାୟମାନ ପାର୍ବତୀଙ୍କ ଏକ ଭଗ୍ନ ପ୍ରତିମା ବିରାଜମାନ। ମନ୍ଦିରର ଶିଖର କାରୁକାର୍ଯ୍ୟପୂର୍ଣ୍ଣ ଅଟେ। ସେହିପରି ମନ୍ଦିରର ଗର୍ଭଗୃହ ଦ୍ୱାରରେ ନବଗ୍ରହମାନେ ରହିଛନ୍ତି। ପୂର୍ବ ଦିଗକୁ ମୁହଁ କରିଥିବା ଏହିମନ୍ଦିରକୁ ସ୍ଥାନୀୟ ବାସିନ୍ଦା ସଫା ରଖିବା ସହ ପୂଜା କରିଥାନ୍ତି। ସାହି ବାସିନ୍ଦାଙ୍କ ସହ ପୁରାତନ ଘର ଓ ସେବାୟତଙ୍କ ଘର ଏହି ମନ୍ଦିର ନିକଟରେ ବହୁ କାଳରୁ ରହିଛି। ସୁନ୍ଦର କାରୁକାର୍ଯ୍ୟଭରା ମନ୍ଦିରକୁ ଲୋକ ବାଟ ନ ପାଇବାରୁ ତା’ ପରିସରରେ ଲୋକ ଗହଳି ଦେଖିବାକୁ ମିଳୁନାହିଁ। ଏହା ସହିତ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରର ବାହାରପାର୍ଶ୍ୱର ରଙ୍ଗ ବଦଳିବା ସହ କାରୁକାର୍ଯ୍ୟ ମଧ୍ୟ କ୍ଷୟ ହେବାକୁ ବସିଲାଣି। ବର୍ଷାଦିନେ ମନ୍ଦିର ମଧ୍ୟରେ ଛାତରୁ ପାଣି ଗଳୁଥିବା ସ୍ଥାନୀୟ ଲୋକ କୁହନ୍ତି। ମନ୍ଦିରର ଇତିହାସ କିମ୍ବା ତା’ର ସଂକ୍ଷିପ୍ତ ବିବରଣୀ ଲେଖାଥିବା ବୋର୍ଡ ଭାଙ୍ଗିଯାଇଛି। ଯାହା ଫଳରେ ଏହା କେଉଁ ମନ୍ଦିର ଏବଂ ତା’ର ସ୍ଥାପତ୍ୟ ସବୁ ଅଜଣା ରହିଯାଉଛି। 

ଐତିହାସିକଙ୍କ କହିବା ଅନୁଯାୟୀ, ରାଜଧାନୀର ଏପରି ଅନେକ ଐତିହ୍ୟ ମନ୍ଦିର ରହିଛି ଯେଉଁଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ନଷ୍ଟ ହେବାକୁ ବସିଲାଣି। ସେହିପରି ଦଶମ ଶତାବ୍ଦୀର ଜରାଜୀର୍ଣ୍ଣ ଅବସ୍ଥାକୁ ଗତିକରୁଥିବା ଏହି ମାର୍କଣ୍ଡେଶ୍ୱର ମନ୍ଦିରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କିଛି ଐତିହାସିକ। ସେମାନଙ୍କ ମତରେ ଏଏସ୍‌ଆଇର ଅବହେଳା ଯୋଗୁଁ ରାଜ୍ୟର ଏପରି ଅନେକ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଲାଣି। ବର୍ତ୍ତମାନ ସମୟରେ ଉଚିତ ପଦକ୍ଷେପ ନିଆ ନ ଗଲେ ଏସବୁ ବିଷୟରେ ପରବର୍ତ୍ତୀ ପିଢ଼ି ଅଜଣା ହୋଇ ରହିଯିବେ ବୋଲି ଆଶଙ୍କା କରାଯାଉଛି।