ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା : ମାଷ୍ଟରମାଇଣ୍ଡ ଚିଣ୍ଟୁ ଏନ୍ଏସ୍ଏରେ ଗିରଫ

ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ, ୫ ମାସରେ ୧୪

ଭୁବନେଶ୍ବର : ପୁଣି ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିସନରେଟ୍ ପୁଲିସ। ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାର ମାଷ୍ଟରମାଇଣ୍ଡ ଚିଣ୍ଟୁ ମହାନ୍ତି ବିରୋଧରେ ଏନ୍ଏସ୍ଏ ଲଗାଇଛି କମିସନରେଟ ପୁଲିସ। ଚିଣ୍ଟୁ ଏବେ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଥିବା ବେଳେ ପୁଲିସ ଏନଏସ୍ଏ ଲାଗୁ କରିଛି। ଏହି ମାମଲାରେ ଚିଣ୍ଟୁକୁ ମିଶାଇ ଏବେ ସୁଦ୍ଧା ୮ ଜଣଙ୍କ ବିରୋଧରେ ଏନ୍‌ଏସଏ ଲାଗୁ କଲାଣି ପୁଲିସ। ପୁଲିସ ସୂଚନା ଅନୁସାରେ, ବଡ଼ଗଡ଼ ଅଞ୍ଚଳର ଚିଣ୍ଟୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଡକାଇ ମାର୍କେଟ ବିଲ୍ଡିଂର କିଛି ଦୂରରେ ଏକାଠି କରାଇଥିଲା। ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଡ଼ କରିଥିଲା। ଏହାପରେ ଅତର୍କିତ ଭାବେ ମାର୍କେଟ୍ ବିଲ୍‌ଡିଂରେ ଆକ୍ରମଣ କରି ଆତଙ୍କରାଜ ଖେଳା‌ଇଥିଲା। ଉଠା ଦୋକାନୀଙ୍କୁ ଆକ୍ରମଣ ସହ ଭଙ୍ଗାରୁଜା ଓ ସାଧାରଣଲୋକଙ୍କୁ ମାରପିଟ୍ କରିଥିଲେ। ସର୍ବସାଧାରଣ ସ୍ଥାନରେ ଆତଙ୍କ ସୃଷ୍ଟି କରୁଥିବା ଅପରାଧୀ, ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜିରୋ-ଟଲେରାନ୍ସ ଆଭିମୁଖ୍ୟ ନିଆଯିବ ବୋଲି କମିସନରେଟ୍‌ ପୁଲିସ୍‌ ସ୍ପଷ୍ଟ କରିଛି। ଚିଣ୍ଟୁକୁ ମିଶାଇ କମିସନରେଟ୍‌ ପୁଲିସ ୫ମାସ ମଧ୍ୟରେ ୧୪ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇ ସାରିଛି।

ସମ୍ବନ୍ଧିତ ଖବର