ମାର୍କେଟ୍‌ ବିଲ୍‌ଡିଂ ଆକ୍ରମଣ ଘଟଣା : ପୁଲିସ ପୁଅ ନାଁରେ ଏନ୍‌ଏସ୍‌ଏ

ଭୁବନେଶ୍ବର : ମାର୍କେଟ୍‌ ବିଲ୍‌ଡିଂ ଭିତରେ ମୁଖା ପିନ୍ଧି ଆତଙ୍କରାଜ ଘଟାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ଜଣଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ)ର ସଙ୍ଗିନ୍‌ ଦଫା ଲାଗିଛି। ସେ ହେଉଛି, ସାଇ ପ୍ରୀତମ ପଟ୍ଟନାୟକ। ସେ ଜଣେ ପୁଲିସ ଅଧିକାରୀଙ୍କ ପୁଅ। ତା’ ନାମରେ ପୂର୍ବରୁ କୌଣସି ମାମଲା ନାହିଁ। ତେବେ ଏ ନେଇ ପୁଲିସ କିଛି କହିବା ପାଇଁ ଚାହିନାହିଁ। ପ୍ରୀତମ୍‌ ସମେତ ଅଦ୍ୟାବଧି ଏନ୍‌ଏସ୍‌ଏ ଦଫା ବଳରେ ଗିରଫଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ପୂର୍ବରୁ ବଡ଼ଗଡ଼ ଥାନା ବିଜେବି ନଗରର ପ୍ରତ୍ୟୁଷ କହଁର ଓରଫ ଗୁଡୁ ଓରଫ ଅକାଳି, ମଇଁଷଖାଲ ବସ୍ତିର ବିଶ୍ବନାଥ ପ୍ରଧାନ, ରସୁଲଗଡ଼ର ଉଦିତ ପ୍ରଧାନ, ଚନ୍ଦନ ଦାସ ଓ ପଙ୍କଜ ରାଜ ଓରଫ ବାପି, ଲିଙ୍ଗରାଜ ଥାନା ଗୋପବନ୍ଧୁ କମ୍ପ୍ଲେକ୍ସରେ ରହୁଥିବା ବ୍ରହ୍ମପୁର ଗୋଲାପଲ୍ଲୀ ସାହି ଗେଟ୍‌ ବଜାରର ସ୍ମୃତିସାଗର ମହାପାତ୍ର ଓରଫ ପିନୁ, ବଡ଼ଗଡ଼ କେନାଲ ରୋଡ୍‌ରେ ରହୁଥିବା ଭଞ୍ଜନଗର ଠେଙ୍ଗାଧରର ଗୋପୀନାଥ ନାୟକ ଓରଫ ଗୋପୀ ଓ ବଡ଼ଗଡ଼ ବିଜେବି ନଗରରେ ରହୁଥିବା ବିହାର ବକରପୁରର ସୂରଜ ଶାହ। ଏମାନଙ୍କର ଆଚରଣ ଭବି‌ଷ୍ୟତରେ ସମାଜ ପାଇଁ ବିପଦର କାରଣ ହୋଇପାରେ ବୋଲି ଆଶଙ୍କା କରି ସେମାନଙ୍କୁ ଏଭଳି ସଂଗିନ୍‌ ଦଫାରେ ଗିରଫ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉକି, ଗତ ୧୦ ତାରିଖ ସନ୍ଧ୍ୟାରେ ମାର୍କେଟ୍‌ ବିଲ୍‌ଡିଂରେ ଘଟିଥିବା ଗଣ୍ଡଗୋଳରେ ପ୍ରୀତମ୍‌ ମୁଖ୍ୟ ଅଭିଯୁକ୍ତ ସହ ସାମିଲ ହୋଇଥିଲା। ଏମାନେ ହାତରେ ଖଣ୍ଡା, ଲାଠି ଧରି ମାର୍କେଟ୍ ବିଲଡିଂକୁ ପଶି ଆତଙ୍କ ସୃଷ୍ଟି କରିଥିଲେ। ଦୋକାନୀ, ଗ୍ରାହକ ଓ ପୁଲିସକୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଅଧିକ ବ୍ୟବସାୟୀଙ୍କ ସହ ୨ ପୁଲିସ କର୍ମଚାରୀ ଓ ଗ୍ରାହକ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ମୋଟ୍‌ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୬ ନାବାଳକଙ୍କୁ ଅବଜରଭେସନ୍‌ ହୋମ୍‌କୁ ପଠାଇଥିଲେ। ଏଥିରେ ଗିରଫ ସମସ୍ତ ୧୩ ଜଣଙ୍କ ନାଁରେ ଏନ୍‌ଏସ୍‌ଏ ଲାଗୁ କରାଯିବା ପାଇଁ ଯୋଜନା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର