ଉଠାଦୋକାନୀଙ୍କ କବ୍‌ଜାରେ ମାର୍କେଟ୍‌ ବିଲ୍ଡିଂ ପାର୍କିଂସ୍ଥଳ, ହାତଗୁଞ୍ଜାରେ ଅଧିକାରୀ ଚୁପ୍‌

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂ ପାର୍କିଂ ସ୍ଥଳ ଏବେ ଅଣଓଡ଼ିଆ ଉଠାବେପାରୀଙ୍କ କବ୍‌ଜାରେ। ସେମାନେ ପାର୍କିଂ ସ୍ଥଳକୁ ଜବରଦଖଲ କରି ପସରା ମେଲାଇ ବସୁଛନ୍ତି। ଫଳରେ ମାର୍କେଟ୍‌ ବିଲ୍ଡିଂର ଗ୍ରାହକମାନେ ଗାଡ଼ି ରଖିବାକୁ ହନ୍ତସନ୍ତ ହେଉଛନ୍ତି ଓ ରାସ୍ତା ଜାମ୍ ଯୋଗୁଁ ଯାତାୟାତ କରୁଥିବା‌ ସାଧାରଣ ଲୋକେ ସମସ୍ୟ‌ାରେ ପଡ଼ୁଛନ୍ତି। ଅଥଚ ପାର୍କିଂ ତଦାରଖ କରୁଥିବା ବିଏମ୍‌ସି ଅଧିକାରୀ ସବୁ ଦେଖି ନ ଦେଖିବା ଭଳି ଚୁପ୍‌ ରହୁଛନ୍ତି। ଏହି ଅଧିକାରୀ ଉଠାଦୋକାନୀଙ୍କଠାରୁ ହାତଗୁଞ୍ଜା ନେଇ ସେମାନଙ୍କୁ ଏହି ବେଆଇନ କାମ କରିବାକୁ ପରୋକ୍ଷରେ ସୁଯୋଗ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ ଏଠାରେ ପାର୍କିଂ ସ୍ଥଳକୁ ଜବରଦଖଲ କରି ରଖିଥିବା ଉଠାଦୋକାନୀମାନେ ପ୍ରାୟ ସବୁ ଅଣଓଡ଼ିଆ। ସେମାନଙ୍କ ଭିତରେ ଗୁଜୁରାଟୀ ଓ ରାଜସ୍ଥାନୀ ବେପାରୀ ଅଛନ୍ତି। କିଛି ଦିନ ପୂର୍ବେ ଏମାନଙ୍କୁ ଏହି ପାର୍କିଂ ସ୍ଥଳରୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କ ପାଇଁ ଅନ୍ୟ ସ୍ଥାନ ଚିହ୍ନଟ କରାଯାଇଥିଲା। କିନ୍ତୁ ସେହି ବ୍ୟବସ୍ଥା ମାତ୍ର କେଇ ଦିନ ପରେ ଅଚଳ ହୋଇଗଲା। ଏବେ ପୁଣି ସେହି ଉଠାଦୋକାନୀମାନେ ରାସ୍ତା ଉପରେ ବସୁଛନ୍ତି। ଫଳରେ ଏଜି ଛକରୁ ରାଜମହଲକୁ ଯିବା ବେଳେ ପ୍ରାୟ ସବୁ ସମୟରେ ରାସ୍ତା ଜାମ୍ ସମସ୍ୟା ଉପୁଜୁଛି। ଉଠାଦୋକାନୀମାନେ ମୁଖ୍ୟ ରାସ୍ତାକୁ ମଡ଼ାଇ ପସରା ମେଲାଇ ବସୁଥିବାରୁ ଗ୍ରାହକମାନେ ରାସ୍ତାରେ ଗାଡ଼ି ରଖି କିଣାକିଣି କରୁଛନ୍ତି। ଫଳରେ ଏହି ବାଟ ଦେଇ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ରାସ୍ତା ଜାମ୍‌ରେ ଫସି ହନ୍ତସନ୍ତ ହେଉଛନ୍ତି। ବଡ଼ କଥା ହେଉଛି, ମଝିରେ ମଝିରେ ତଦାରଖ କରିବା ପାଇଁ ବିଏମ୍‌ସିର ଗାଡ଼ି ଆସୁଛି। କିନ୍ତୁ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ଅଧିକାରୀଙ୍କ ଗାଡ଼ି ଦେଖିବା ମାତ୍ରେ ପସରାକୁ ଲୁଚାଇ ଦେଉଛନ୍ତି। ତେବେ ଏହା କେବଳ ନାମକୁ ମାତ୍ର ହେଉଛି।

ଉଠାଦୋକାନୀମାନେ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଚୁପ୍‌ କରାଇ ପାରୁଛନ୍ତି। ବଡ଼ ସମସ୍ୟା ହେଉଛି ଏହି ଉଠାଦୋକାନୀମାନେ ପାର୍କିଂ ସ୍ଥାନରେ ବସି ବେପାର କରୁଛନ୍ତି। ସେମାନଙ୍କ ସମର୍ଥନରେ ବିଏମ୍‌ସି ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବାରୁ ପାର୍କିଂ କର୍ମଚାରୀମାନେ ନିରୁପାୟ ହୋଇ ଚୁପ୍‌ ରହୁଛନ୍ତି। ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ କହିବା କଥା, ପାର୍କିଂ ସ୍ଥଳକୁ ଜବରଦଖଲ କରୁଥିବା ବେପାରୀମାନେ ରାଜସ୍ଥାନୀ ବା ଗୁଜରାଟୀ। ଭୁବନେଶ୍ବରରେ ମାର୍କେଟ୍‌ ବିଲ୍ଡିଂ ଭଳି ସ୍ଥାନରେ ଭଲ କାରବାର ହେଉଥିବାରୁ ଉଠାବେପାରୀମାନେ ବିଏମ୍‌ସି ଅଧିକାରୀଙ୍କୁ ମନାଇ ନେଇଛନ୍ତି। ଉକ୍ତ ବ୍ୟବସାୟୀଙ୍କଠାରୁ ମୁଣ୍ଡିପିଛା ୨ ଶହରୁ ୩ଶହ ଟଙ୍କା ନିଆଯାଉଛି ବୋଲି କୁହାଯାଉଛି। ଉଠାଦୋକାନୀଙ୍କ ସହ ମିଶି ଯାଇଛନ୍ତି କିଛି ଅଟୋଚାଳକ। ଅଟୋ ଚାଳକମାନେ ରାସ୍ତା ଅଧାକୁ କବ୍‌ଜା କରିଛନ୍ତି। ଏ ବାବଦରେ ଅତିରିକ୍ତ ବିଏମ୍‌ସି କମିସନରଙ୍କୁ ପଚାରିବାରୁ ସେ ଏବାବଦରେ ଅବଗତ ନାହାନ୍ତି ବୋଲି କହିଥିଲେ। ଯଦି ଏପରି ହେଉଥିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହାଲୁକା ମନ୍ତବ୍ୟରେ ସେ କହିଛନ୍ତି।

ସମ୍ବନ୍ଧିତ ଖବର