ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ ଘୋଷଣା କରିଛି। ପୂର୍ବରୁ ଏ ନେଇ ନିଷ୍ପତ୍ତି ହେବା ସହ ବିଏମ୍‌ସିକୁ ୩ ଦିନ ସମୟ ଦିଆଯାଇଥିଲା। କିନ୍ତୁ ବିଏମ୍‌ସି ଭ୍ରୂକ୍ଷେପ କରି ନଥିବାରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ସଂଘ କହିଛି। ପ୍ରାୟ ୧୬୫ ବ୍ୟବସାୟୀ ଆସନ୍ତାକାଲି ସକାଳୁ ଦୋକାନ ବନ୍ଦ କରି ମାର୍କେଟ୍‌ ବିଲ୍ଡିଂ ପରିସରରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।

Advertisment

ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମଠାରୁ ଆରମ୍ଭ କରି ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏହି ମାର୍କେଟ୍‌ରେ ଶସ୍ତା ଦରରେ ମିଳୁଥିବାରୁ ଏଠାରେ ବର୍ଷ ସାରା ଭିଡ଼ ଜମିଥାଏ। ଏହାର ବିପରୀତ ପାର୍ଶ୍ବରେ ୧ ନମ୍ବର ହାଟ ରହିଥିବାରୁ ଉଭୟ ବଜାରରେ କିଣାକିଣି କରିବାକୁ କେବଳ ସହରବାସୀ ନୁହନ୍ତି ବରଂ ଗ୍ରାମାଞ୍ଚଳର ଲୋକ ମଧ୍ୟ ପସନ୍ଦ କରିଥାନ୍ତି। ଏବେ ଏହି ମାର୍କେଟ୍‌ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ହେବ, ସେ ନେଇ ନିଶ୍ଚିତ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେ‌ବେ। ତା’ ଛଡ଼ା ଏଠାରେ ଥିବା ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ବହୁ କର୍ମଚାରୀ କାମ କରୁଛନ୍ତି। ମାର୍କେଟ୍‌ ବନ୍ଦ ରହିଲେ ସେମାନେ ମଧ୍ୟ ପ୍ରଭାବିତ ହେବେ ବୋଲି କହିଛନ୍ତି। କାଲିଠାରୁ କାମ ବନ୍ଦ ବୋଲି ମାଲିକମାନେ କହିଥିବାରୁ ସେମାନେ ପ୍ରମାଦ ଗଣିଛନ୍ତି। କିନ୍ତୁ ବିଏମ୍‌ସି ଏ ବାବଦରେ ସଂଘ ସହ ଆଲୋଚନା କରିନାହିଁ କିମ୍ବା ନିଷ୍ପତ୍ତି ମଧ୍ୟ ନେଇ ନାହିଁ। ଏଣୁ ବିଏମ୍‌ସିର ବେପରୱା ମନୋଭାବ ପାଇଁ ୧୬୫ ବ୍ୟବସାୟ ପ୍ରତିଷ୍ଠାନ ସହ ଏଠାରେ କାମ କରୁଥିବା ୩୦୦ରୁ ଅଧିକ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବ ବୋଲି ସଂଘ ଆଶଙ୍କା କରିଛି।

publive-image Discover Bhubaneswar

ଏହି ମାର୍କେଟ୍‌ ବିଲ୍ଡିଂ ପ୍ରଥମଥର ପାଇଁ ବନ୍ଦ ହେଉ ନାହିଁ। ସମାନ କାରଣ ପାଇଁ ଗତ ଜାନୁଆରିରେ ଦୁଇ ଦିନ ବନ୍ଦ ରହିଥିଲା। ବିଏମ୍‌ସି ଉଠାଦୋକାନୀମାନଙ୍କୁ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉଠାଇ ପାରିନଥିଲା। ଫଳରେ ଜାନୁଆରି ୬ ଓ ୭ ତାରିଖରେ ଏହା ବନ୍ଦ ରହିଥିଲା।

ଶହ ଶହ ବ୍ୟବସାୟୀ ଓ କର୍ମଚାରୀ ପ୍ରଭାବିତ ହୋଇଥିବା ବେଳେ ହଠାତ୍‌ ନିଷ୍ପତ୍ତି ହୋଇଥିବାରୁ ଗ୍ରାହକ ମଧ୍ୟ ହନ୍ତସନ୍ତ ହୋଇଥିଲେ। ସୂଚନା ନ ପାଇ କିଣାକିଣି କରିବାକୁ ଆସି ଗ୍ରାହକ ହତାଶ ହୋଇଥିଲେ। ବିଏମ୍‌ସି ପ୍ରତିଶ୍ରୁତି ଦେବା ପରେ ୮ ତାରିଖରେ ବଜାର ଖୋଲିଥିଲା। ବିଏମ୍‌ସି ଲଗାତାର ଚଢ଼ଉ କରି ଉଠାଦୋକାନୀଙ୍କୁ ହଟାଇଥିଲା। କିନ୍ତୁ ହଟାଇବା ପରେ ପରେ ସେମାନେ ପୁଣିଥରେ ବସି ଯାଉଥିଲେ। ଇତିମଧ୍ୟରେ କେତେକ ବ୍ୟବସାୟୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କୁ ନ ହଟାଇବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ଏହାକୁ ଆଳ କରି ବିଏମ୍‌ସି ଉଚ୍ଛେଦ ବନ୍ଦ କରି ଦେଇଥିଲା। ଯେଉଁମାନେ କୋର୍ଟରୁ ସୁରକ୍ଷା ପାଇ ନାହାନ୍ତି, ସେମାନଙ୍କୁ ବାଛି ବାଛି ହଟାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କୋର୍ଟ ଆଦେଶରେ କୌଣସି ପ୍ଲଟ୍‌ ନମ୍ବର ନ ଥିବାରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରିବାରେ କୌଣସି ସମସ୍ୟା ନଥିବା ସଂଘ କହିଥିଲା। ଏହାକୁ ନେଇ ବିବାଦ ବଢ଼ିବା ସହ ସମସ୍ତ ଦୋକାନ ନ ହଟାଇଲେ ମାର୍କେଟ୍‌ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଥିଲା। ଯାହାର ଫଳସ୍ବରୂପ ଆସନ୍ତାକାଲିଠାରୁ ମାର୍କେଟ୍‌ ବନ୍ଦ ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସିଛନ୍ତି। ସେମାନଙ୍କଠାରୁ କିଛି ଲୋକ ଟଙ୍କା ନେଇ ବସାଉଥିବା ଅଭିଯୋଗ ହୋଇଛି। ୨ଶହ ଦେକାନୀ ବସିଯିବା ପରେ ବାଇକ୍‌ ପାର୍କ ‌ହେଉଥିବାରୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହୋଇଛି। ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି। ଏଣୁ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ସଂଘ ଦାବି କରିଛି।