ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ୍‌ ବିଲ୍‌ଡିଂ ବନ୍ଦ

ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂରେ ପ୍ରାୟ ସପ୍ତାହେ ଧରି ଦୋକାନୀ ଏବଂ ଉଠାଦୋକାନୀଙ୍କ ଭିତରେ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି। ଆରୋପ, ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ଅପରାହ୍‌ଣରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଦୁଇ ଘଣ୍ଟା ଧରି ପ୍ରବଳ ଗଣ୍ଡଗୋଳ ପରେ ଉଠାଦୋକାନୀଙ୍କୁ ନ ଉଠାଯିବା ପର୍ଯ୍ୟନ୍ତ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଛି। ତେବେ ଆସନ୍ତାକାଲି ବିଏମ୍‌ସି ଅଧିକାରୀଙ୍କ ସହ ସଂଘର ବୈଠକ ବସିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମାର୍କେଟ୍ ବିଲ୍ଡିଂ ଭିତରେ ଦୁଇପାର୍ଶ୍ବରେ ଥିବା ଦୋକାନର ମଝି ସ୍ଥାନରେ ଉଠା ଦୋକାନୀମାନେ ବସୁଛନ୍ତି। ଏକ ଡ୍ରେସ୍‌ ସୋ’ରୁମ୍ ଆଗରେ ଜଣେ ମହିଳା ଚପଲ ଦୋକାନ କରି ବସୁଥିଲେ। ସେହି ସ୍ଥାନକୁ ସେ ୩ ଶହ ଟଙ୍କାରେ ଭଡ଼ା ନେଇଥିବା କହୁଛନ୍ତି। ଗତ କିଛି ମାସ ହେଲା ସେହି ସ୍ଥାନକୁ ସେ ଅନ୍ୟ ଜଣଙ୍କୁ ଭଡ଼ାରେ ଦେଇଥିଲେ। ସପ୍ତାହେ ତଳେ ମହିଳାଜଣଙ୍କ ସେହି ଉଠାଦୋକାନୀଙ୍କୁ ଉଠି ଯିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ସୋ’ରୁମ୍ ତାଙ୍କୁ ଭଡ଼ା ଦେଇଥିବା ସେ କହିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏ ନେଇ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ।

ଦୁଇ ଘଣ୍ଟା ଧରି ଗଣ୍ଡଗୋଳ, ପୁଲିସ ଉପସ୍ଥିତିରେ ଉତ୍ତେଜନା

ଅପରାହ୍‌ଣରୁ ଦୋକାନରେ ପଡ଼ିଲା ତାଲା

ଆଜି ବିଏମସି-ସଂଘ ମଧ୍ୟରେ ଆଲୋଚନା

ସେହିପରି ଗତକାଲି ମହିଳାଜଣଙ୍କ ନିଜେ ସେଠାରେ ନିଜ ଦୋକାନ ଖୋଲିଥିଲେ। କିନ୍ତୁ ଆଜି ଦୋକାନ ଖୋଲିବାକୁ ଯିବା ସମୟରେ ସମ୍ପୃକ୍ତ ସୋ’ରୁମ୍‌ର ଏକ ସ୍କୁଟି ରହିଥିଲା। ମହିଳା ସମ୍ପୃକ୍ତ ସୋ’ରୁମ୍ ମାଲିକଙ୍କୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ। ସେମାନଙ୍କ ଭିତରେ ପାଟିତୁଣ୍ଡ ହେବାରୁ ସେ ସ୍କୁଟିକୁ ଠେଲି ଫୋପାଡ଼ି ଦେଇଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଉଠାଦୋକାନୀ-ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ, ବିଏମ୍‌ସି କିଛି ଶୁଣୁ ନ ଥିବା ଅଭିଯୋଗ କରି ବ୍ୟବସାୟୀ ସଂଘ ଆଜି ଅପରାହ୍‌ଣ ୨ଟା ପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ।

ବ୍ୟବସାୟୀ ସଂଘ ସହସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି, ପୂର୍ବରୁ ମଧ୍ୟ ମାର୍କେଟ୍‌ ବିଲ୍ଡିଂରେ ଉଠାଦୋକାନୀଙ୍କୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ପରେ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଥିଲା। କିନ୍ତୁ କୋଭିଡ୍ ଆରମ୍ଭ ହେବା ପରଠାରୁ କିଛି ଅଣଓଡ଼ିଆ ଉଠାଦୋକାନୀ ଧୀରେ ଧୀରେ ପୁଣି ମାର୍କେଟ୍‌ ବିଲ୍ଡିଂ ଭିତରେ ବସିଲେ। ସେତେବେଳେ ଏହା ସେତେଟା ନଜରକୁ ଆସି ନ ଥିଲା। କିନ୍ତୁ ସେମାନଙ୍କ ଉତ୍ପାତ ପୂର୍ବ ଭଳି ବଢ଼ିବାକୁ ଲାଗିଲା। ଅପରପକ୍ଷେ ପ୍ରବଳ ଭିଡ଼ ବି ହେଲା। ଫଳରେ କୋଭିଡ ଗାଇଡଲାଇନକୁ ଆଧାର କରି ମାର୍କେଟ ବିଲ୍ଡିଂ ବନ୍ଦ ମଧ୍ୟ କରାଯାଇଛି।

ଏବେ ସେମାନଙ୍କୁ ଉଠିଯିବାକୁ କୁହା ଯାଉଥିବା ବେଳେ ଗାଲିଗୁଲଜ କରିବା ସହ ଧମକଚମକ ଦେଉଛନ୍ତି। କୌଣସି ସମାଧାନର ବାଟ ବାହାରି ପାରୁନାହିଁ।ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ଆସନ୍ତାକାଲି ଦିନ ୧୧ଟାରେ ବିଏମ୍‌ସି ଅଫିସରେ ବୈଠକ ଡକାଯାଇଛି। ଯଦି ସେଥିରେ କୌଣସି ସମସ୍ୟାର ସମାଧାନ ନ ବାହାରେ କିମ୍ବା ଉଠା ଦୋକାନୀଙ୍କୁ ହଟା ନ ଯାଏ, ତାହେଲେ ମାର୍କେଟ୍‌ ବିଲ୍‌ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ।

ସମ୍ବନ୍ଧିତ ଖବର