ଭୁବନେଶ୍ୱର: ମାର୍କେଟ୍ ବିଲ୍ଡିଂ ବ୍ୟବସାୟୀ ବିବାଦ ଉଗ୍ର ରୂପ ନେଉଛି। ଆଜି ମାର୍କେଟ୍ ବିଲ୍ଡିଂ ଭିତରକୁ ଗାଡ଼ି ପଶିବାକୁ ନେଇ ଧାରଣା ଦେଇଥିବା ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏଣେ ମାର୍କେଟ୍ ବିଲ୍ଡିଂ ପରିସରରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସମଗ୍ର ପ୍ରସଙ୍ଗ ଆଲୋଚନା ହେବା ସହ ଭୁବନେଶ୍ବରର ସମସ୍ତ ବଜାର ବନ୍ଦ ରଖିବାର ଚରମ ନିଷ୍ପତ୍ତି ନେଇ ସହମତି ଲୋଡ଼ାଯାଇଛି। ଶତପ୍ରତିଶତ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତିରେ ରାଜି ହେବା ସହ ଶନି ଓ ରବିବାର ଛୁଟି ଥିବାରୁ ଏହି ବିବାଦର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କୁ ସୁଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏଣୁ ବିଏମ୍ସିକୁ ଗୋଟିଏ ଦିନ ସମୟ ଦିଆଯାଇଛି। ଆସନ୍ତାକାଲି(ସୋମବାର) ସନ୍ଧ୍ୟା ସୁଦ୍ଧା ବିଏମ୍ସି କୌଣସି ଠୋସ୍ ନିଷ୍ପତ୍ତି ନ ନେଲେ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ଚରମ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।
କାର୍ଯ୍ୟପନ୍ଥା ପାଇଁ କୋର କମିଟି ଗଠିତ
ଭୁବନେଶ୍ବର ବନ୍ଦ ନେଇ ଆଜି ନିଷ୍ପତ୍ତି
ହାତ ଟେକି ଦେଇଛି ବିଏମ୍ସି
ମାର୍କେଟ୍ ବିଲ୍ଡିଂ ବନ୍ଦ ହେବା ଘଟଣାକୁ ଆଜି ୭ ଦିନ ପୂରିଛି। ହେଲେ ବିଏମ୍ସି ଘଟଣାର ସମାଧାନ କରିବାକୁ ଚିନ୍ତା କରିନାହିଁ। ଯଦିଓ ଜବରଦଖଲ ଉଚ୍ଛେଦ କରିବା ବିଏମ୍ସିର କାମ, ତାହା ସେ କରୁନାହିଁ। ବରଂ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଜାରି ରହିଛି। ହାଇକୋର୍ଟ ଆଳ ଦେଖାଇ ବିଏମ୍ସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେଣ୍ଟ୍ରାଲ ମାର୍କେଟ୍ ସଂଘ ଅଭିଯୋଗ କରିଛି। ଆଜି ଅପରାହ୍ନରେ ରାଜଧାନୀର ପ୍ରମୁଖ ବଜାର ସଂଘକୁ ନେଇ ମାର୍କେଟ୍ ବିଲ୍ଡିଂ ପରିସରରେ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ବର ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ଗିରୀଶ ପ୍ରସାଦ ରଥ, ସହିଦ ନଗର ବ୍ୟବସାୟୀ ସଂଘ ସମ୍ପାଦକ ହରୀଶ ପ୍ରସାଦ ରଥ, ୟୁନିଟ୍-୧ ଡେଲି ମାର୍କେଟ୍ ଆସୋସିଏସନ ସଭାପତି ବ୍ରଜବନ୍ଧୁ ନରେନ୍ଦ୍ର, ବାପୁଜୀନଗର ବ୍ୟବସାୟୀ ସଂଘ ସଭାପତି ମହମ୍ମଦ କଲିମ୍, ରୁଚିକା ମାର୍କେଟ୍ ବ୍ୟବସାୟୀ ସଂଘ ସମ୍ପାଦକ ଗୋପାଳକୃଷ୍ଣ ଗୌଡ଼, ପ୍ରିୟଦର୍ଶିନୀ ମାର୍କେଟ୍ ବ୍ୟବସାୟୀ ସଂଘ ସଭାପତି ଶରତ ରାଉତ, ଆଇଡି ମାର୍କେଟ୍ ବ୍ୟବସାୟୀ ସଂଘ ସଭାପତି ଗଦାଧର ବେହେରା ପ୍ରମୁଖ ଯୋଗଦେଇ ପ୍ରସ୍ତାବ ଉପରେ ମତ ରଖିଥିଲେ। ଦୀର୍ଘ ଦୁଇ ଘଣ୍ଟା ମାନସମନ୍ଥନ ହୋଇଥିଲା। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସେଣ୍ଟ୍ରାଲ ମାର୍କେଟ୍ ଆସୋସିସନର ୪ ଜଣ ସଦସ୍ୟ ଓ ଅନ୍ୟ ସଂଘର ୮ ଜଣ ସଦସ୍ୟଙ୍କୁ ନେଇ କୋର କମିଟି ଗଠନ ହୋଇଥିଲା। ଏଥର ଏହି କମିଟି ବିଏମ୍ସି ସହ ଆଲେଚାନା କରିବ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନେବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ମାର୍କେଟ୍ ବିଲ୍ଡିଂ ଭିତରେ ବସୁଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ଦାବି କରୁଛି। ବାହାରେ କୌଣସି ଜାଗାରେ କେହି ବସିଲେ ସେଥିରେ ସଂଘ ହସ୍ତକ୍ଷେପ କରେନାହିଁ।
ଅନ୍ୟପଟେ ବିଏମ୍ସି ତାଲିକାରେ ‘ଷ୍ଟ୍ରିଟ୍ ଭେଣ୍ଡର’ ଭାବରେ ଚିହ୍ନଟ ହୋଇଥିବା ତଥା ମାର୍କେଟ୍ ବିଲ୍ଡିଂ ଭିତରେ ବ୍ୟବସାୟ କରୁଥିବା ବାଲୁଙ୍କେଶ୍ବର କ୍ଷୁଦ୍ର ବ୍ୟବସାୟୀ ସଂଘ ମଧ୍ୟ ପୂର୍ବବତ୍ ଧାରଣା ଜାରି ରଖିଛି। ସଂଘର ସଦସ୍ୟମାନେ ମାର୍କେଟ୍ ବିଲ୍ଡିଂର ତାଲା ପଡ଼ିଥିବା ଫାଟକ ସାମ୍ନାରେ ବସି ରହିଥିଲେ। ଆଜି ବୈଠକ ପାଇଁ ବିଭିନ୍ନ ବଜାର ସଂଘର କର୍ମକର୍ତ୍ତାମାନେ ଆସିବାକୁ ଥିବାରୁ ତାଲା ଖୋଲା ଯାଇଥିଲା। କିନ୍ତୁ ଉଠାଦୋକାନୀମାନେ ନ ହଟିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଉଠାଦୋକାନୀ ଫାଟକ ପାର୍ଶ୍ବକୁ ଉଠି ଯାଇ ଧାରଣା ଦେଇଥିଲେ। ୭ ଦିନ ଧରି ବ୍ୟବସାୟ ବନ୍ଦ ରହିବାରୁ ସେମାନଙ୍କର ପରିବାର ପୋଷିବା କଷ୍ଟକର ହୋଇପଡ଼ିଛି। ଆସନ୍ତାକାଲି ନିଷ୍ପତ୍ତି ନ ହେଲେ ଚରମ ନିଷ୍ପତ୍ତି ନିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଅନ୍ୟପଟେ ଆସନ୍ତାକାଲି ବିଏମ୍ସି ଏମାନଙ୍କ ସହ ଆଲୋଚନା କରିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/35-14.jpg)