ଭୁବନେଶ୍ବର: ଉଠା ଦେକାନୀ ବିବାଦକୁ ନେଇ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଜାରି ରହିଛି। ଦାବି ପୂରଣ ହୋଇ ନଥିବାରୁ ଆଜି ବି ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଥିଲା। ବ୍ୟବସାୟୀ ସଂଘ ସହିତ ବିଏମ୍ସିର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବିଏମ୍ସି ନିଦାବିଷ୍ଣୁ ସାଜିଛି। ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିଏମ୍ସି କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନଥିବା ପରିଲକ୍ଷିତ ହୋଇଛି। ଏଣେ ଦାବି ପୂରଣ ହେଲେ ଯାଇ ମାର୍କେଟ୍ ବିଲ୍ଡିଂ ଖୋଲିବ ବୋଲି ସଂଘ ଅଡ଼ି ବସିଛି। ଫଳରେ ଆଜି ସାରା ଦିନ ବଜାର ବନ୍ଦ ରହିଥିଲା। ସନ୍ଧ୍ୟାରେ ଖୋଲିବ ବୋଲି କେହି ଗୁଜବ କରିଥିବାରୁ ଶହ ଶହ ଲୋକ ମାର୍କେଟ୍ ବିଲ୍ଡିଂରେ ପହଞ୍ଚି ଯାଇଥିଲେ। କିନ୍ତୁ ବଜାର ଶୂନ୍ଶାନ୍ ଥିବାରୁ ହତାଶ ହୋଇ ଫେରିଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଏଠାକାର ଦର ସୁହାଉଥିବାରୁ କିଣାକିଣି ପାଇଁ ଏହି ବଜାର ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଆସିଛି। ହେଲେ ବିଏମ୍ସିର ଅପାରଗତା ଯୋଗୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏହା ବନ୍ଦ ହୋଇପଡ଼ିବାରୁ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଅଚଳାବସ୍ଥା ପଛରେ ଉଭୟ ବିଏମ୍ସି ଓ ପୁଲିସ ସମପରିମାଣରେ ଦାୟୀ ବୋଲି ଅଭିଯୋଗ ହୋଇଛି। ସୂଚନା ମୁତବାକ, ପୂର୍ବରୁ ଏଠାରେ ଉଠା ଦୋକାନୀଙ୍କ ସର୍ବେକ୍ଷଣ କରାଯାଇଥିଲା। ଏଠାରେ ୨୪୨ ଜଣ ଉଠାଦୋକାନୀ ଥିବା ବିଏମ୍ସି ତାଲିକା କରିଥିଲା। ସେମାନଙ୍କୁ ଉଠାଇ ପୁରୁଣା ବସ୍ଷ୍ଟାଣ୍ଡ କଡ଼ରେ ବସିବାକୁ ବିଏମ୍ସି ଜାଗା ଚିହ୍ନଟ କରିଥିଲା।
ଏଠାରେ ପୁଣି ଆସି ବସିଲେ ପୁଲିସ ଉଠାଇବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ କ୍ରମାଗତ ଭାବରେ ଉଠା ଦୋକାନୀ ଏଠାରେ ବସିବାକୁ ଆରମ୍ଭ କଲେ। କିନ୍ତୁ କ୍ୟାପିଟାଲ ଥାନାକୁ ଖବର ଦେଲେ ମଧ୍ୟ ପୁଲିସ ଆସିଲା ନାହିଁ। ଫଳରେ ବିଭିନ୍ନ ସମୟରେ ଏଠାରେ ସ୍ଥାୟୀ-ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେଲେ। ସେହିଭଳି ଉଠାଦୋକାନୀ ବସିଲେ ମାର୍କେଟ୍ ଉପବିଭାଗ ଏହି ଦୋକାନୀଙ୍କ ନାମରେ ଏତଲା ଦେବା କଥା। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀ ତାହା କଲେ ନାହିଁ। ଫଳରେ ଉଠା ଦୋକାନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପୂର୍ବରୁ ୨୪୨ ଥିବା ବେଳେ ଏହା ବଢ଼ି ବଢ଼ି ୫ଶହ ଅତିକ୍ରମ କଲା। ଏବେ ବିଏମ୍ସି ଓ ପୁଲିସ ଗୋଟିଏ ପଟୁ ଉଠାଇଲେ ଅନ୍ୟପଟୁ ଏମାନେ ପଶିଯାଉଛନ୍ତି। ଖାଲି ବସୁ ନାହାନ୍ତି, ବରଂ ବସିବାକୁ ବାରଣ କଲେ ସ୍ଥାୟୀ ଦୋକାନୀଙ୍କୁ ହାତ ଉଠାଉଛନ୍ତି। ଏମାନଙ୍କ ଠାରୁ ହାତଗୁଞ୍ଜା ନେଇ ବସିବାକୁ ସୁଯୋଗ ଦିଆଯାଇଛି ନା କାହା ଚାପରେ ବିଏମ୍ସି ଏହି ସମସ୍ୟାର ସମାଧାନ କରୁନି, ତାହା ଏବେ ବି ରହସ୍ୟମୟ ହୋଇ ରହିଛି।
ବ୍ୟବସାୟୀ ସଂଘର ଜଣେ ସଦସ୍ୟଙ୍କ ଅଭିଯୋଗ ମୁତାବକ, ଏଠାରେ ଜଣେ ଉଠା ଦୋକାନୀ ବ୍ରାଉନ୍ସୁଗାର ବ୍ୟବସାୟ କରିବା ଅଭିଯୋଗରେ ଗିରଫ ହୋଇଥିଲା। ଅନେକ ଅଣଓଡ଼ିଆ ବ୍ୟବସାୟୀ ବିଭିନ୍ନ ନିଶା ବେପାରରେ ସମ୍ପୃକ୍ତ ଅଛନ୍ତି। ପୁଲିସ ସବୁ ଜାଣି ଚୁପ୍ ରହୁଛି। ବିଏମ୍ସି ମଧ୍ୟ ବାଟ ବାହାର କରୁନାହିଁ। ଏଣୁ ଏହି ସମସ୍ୟା ସମାଧାନ ହେବା ଭଳି ଦିଶୁନି।
ଉଠାଦୋକାନୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ସ୍ଥାୟୀ ବ୍ୟବସାୟୀମାନେ ସେମାନଙ୍କ ବାରଣ୍ଡାରେ ମେହେନ୍ଦି, ଆଇସ୍କ୍ରିମ୍ ବିକ୍ରି କରିବାକୁ ଅନ୍ୟ ଉଠା ଦୋକାନୀଙ୍କୁ ସୁଯୋଗ ଦେଇଛନ୍ତି। କିନ୍ତୁ ଆମେ ରାସ୍ତା କଡ଼ରେ ବସିଲେ କାହିଁକି ଠେଙ୍ଗା ଆଣି ଉଠାଇବାକୁ ଆସୁଛନ୍ତି? ଜିନିଷ ଫିଙ୍ଗି ଦେଉଛନ୍ତି। ଆମେ ଯିବୁ କୁଆଡ଼େ? ବିଏମ୍ସି କହିଛି ଆମେ ସ୍ଥାୟୀ ସମାଧାନ ବାହାର କରୁଛୁ।