ଭୁବନେଶ୍ବର: ମାର୍କେଟ୍ ବିଲ୍ଡିଂରେ ଗମ୍ଭୀର ସ୍ଥିତି। ବିଏମ୍ସି ଶୁଣୁନି। ବ୍ୟବସାୟୀ ନଛୋଡ଼ବନ୍ଧା। ୧୭ ତାରିଖରୁ ୫ ଦିନ ଧରି ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଛି। ନା ସ୍ଥାୟୀ ବ୍ୟବସାୟୀ ଖୋଲିଛନ୍ତି ନା ଉଠା ଦୋକାନୀ ବସୁଛନ୍ତି। ୫ ଦିନ ଧରି ବନ୍ଦ ହୋଇ ଯାଇଥିବାରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟବସାୟ କ୍ଷତି ହୋଇଛି। ୨ ହଜାର ପରିବାର ଆର୍ଥିକ ଚାପରେ ରହିଛନ୍ତି। ଏଭଳି ସ୍ଥିତିରେ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ଆଉ ଏକ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ସାରା ଭୁବନେଶ୍ବରରେ ଥିବା ପ୍ରମୁଖ ବଜାର ସବୁକୁ ବନ୍ଦ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଭୁବନେଶ୍ବରର ବଡ଼ ବଡ଼ ବଜାରର ସଂଘ କର୍ମକର୍ତ୍ତାମାନଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସମସ୍ତ ବଡ଼ ବଡ଼ ବଜାର ବନ୍ଦ ରହିବ। ବ୍ୟବସାୟୀମାନେ ହାତରେ ଥାଳ ଧରି ଭିକ୍ଷା ବୃତ୍ତି କରିବେ। ଯାହା ଅର୍ଥ ରୋଜଗାର ହେବ ସେ ସବୁକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ କୁହାଯାଇଛି।
ଏକାଠି ହେଲେ ସବୁ ବ୍ୟବସାୟୀ ସଂଘ
ଭିକ୍ଷା ମାଗିବେ ବ୍ୟବସାୟୀ, ରବିବାର ନିଷ୍ପତ୍ତି
ଏଭଳି ଏକ ଚରମ ନିଷ୍ପତ୍ତି ଯୋଗୁ ଜଟିଳ ପରିସ୍ଥିତି ଉପୁଜିବାକୁ ଯାଉଛି। ରବିବାର ଭୁବନେଶ୍ବରର ସାରା ଯେତେ ସବୁ ମାର୍କେଟ୍ ସଂଘ ରହିଛି ସେମାନଙ୍କୁ ଡକାଯାଇଛି। ଯେଉଁଠି ସଂଘ ନାହିଁ ସେଠାରେ ବ୍ୟବସାୟୀମାନଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରାଯାଉଛି। ଫଳରେ ରବିବାର ପର ଠାରୁ ସହରର ସମସ୍ତ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଯେଭଳି ବନ୍ଦ ରହିବ ସେଭଳି ବ୍ୟବସ୍ଥା ହେଉଥିବା ସୂଚନା ମିଳିଛ। ଏହା ଫଳରେ ହଜାର ହଜାର ବ୍ୟବସାୟୀ ଓ ସେଠାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ। ତା’ ସହିତ ଗ୍ରାହକ ମଧ୍ୟ ପ୍ରଭାବିତ ହେବେ। ଏ ଯାବତ୍ ବିଏମ୍ସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ’ ଦୂରର କଥା, ବ୍ୟବସାୟୀଙ୍କ ସହ ଆଲୋଚନା ମଧ୍ୟ କରୁନାହିଁ। ଏଣୁ ରବିବାର ପର ଠାରୁ ପରିସ୍ଥିତି ଗୁରୁତର ହେବ ବୋଲି ଆଶଙ୍କା ପାଇଛି।
ଆଜି ମାର୍କେଟ୍ ବିଲ୍ଡିଂ ପରିସରରେ ବସିଥିବା ବୈଠକରେ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ଭୁବନେଶ୍ବର ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ଗିରିଣ ପ୍ରସାଦ ରଥ, ସହିଦ ନଗର ବ୍ୟବସାୟୀ ସଂଘ ସମ୍ପାଦକ ହରିଶ ପ୍ରସାଦ ରଥ, ୟୁନିଟ୍-୧ ଡେଲି ମାର୍କେଟ୍ ଆସୋସିଏସନ ସଭାପତି ବ୍ରଜବନ୍ଧୁ ନରେନ୍ଦ୍ର, ବାପୁଜୀନଗର ବ୍ୟବସାୟୀ ସଂଘ ସଭାପତି ମହମ୍ମଦ କଲିମ୍, ରୁଚିକା ମାର୍କେଟ୍ ବ୍ରବସା୍ରୟୀ ସଂଘ ସମ୍ପାଦକ ଗୋପାଳକୃଷ୍ଣ ଗୌଡ଼, ପ୍ରିୟଦର୍ଶିନୀ ମାର୍କେଟ୍ ବ୍ୟବସାୟୀ ସଯଂଘ ସଭାପତି ଶରତ ରାଉତ, ଆଇଡି ମାର୍କେଟ୍ ବ୍ୟବସାୟୀ ସଂଘ ସଭାପତି ଗଦାଧର ବେହେରା ପ୍ରମୁଖ ଯୋଗଦେଇ ବିଏମ୍ସିର ଅପାରଗତାକୁ ନିନ୍ଦିଥିଲେ। ‘ଚାରିଆଡ଼େ ଜବରଦଖଲ ଭୟଙ୍କର ସମସ୍ୟା ସୃଷ୍ଟି କଲାଣି। ଆମେ ସରକାରଙ୍କୁ ମୋଟାଅଙ୍କର ଟିକସ ଦେଉଥିଲେ ମଧ୍ୟ ସରକାରଙ୍କ ଟାର୍ଗେଟ୍ରେ ପ୍ରଥମେ ବ୍ୟବସାୟୀ ଆସୁଛନ୍ତି। ସବୁଠି ଜବରଦଖଲକାରୀଙ୍କୁ ସୁରକ୍ଷା ଦିଆଯାଉଛି। ଏହି ଆନ୍ଦୋଳନକୁ କେବଳ ଭୁବନେଶ୍ବର ନୁହେଁ, ବରଂ ସାରା ରାଜ୍ୟକୁ ନିଆଯିବ। ଏଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି’ ଏହି ସବୁ ପ୍ରମୁଖ ବଜାର ସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି।
ପୂର୍ବବତ୍ ବିଏମସି ନିଜ ନିଷ୍ପତ୍ତି ଆଧାରରେ ଯୁକ୍ତି ବାଢ଼ିଛି। ହାଇକୋର୍ଟ ଆଦେଶକୁ ଆଳ କରି ବିଏମ୍ସି ଉଠା ଦୋକାନୀମାନଙ୍କୁ ନ ହଟାଇବା ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ବିକଳ୍ପ ଚିନ୍ତା କରିନାହିଁ। ହାଇକୋର୍ଟ ଆଦେଶକୁ ତର୍ଜମା ମଧ୍ୟ କରିନାହିଁ। ହାଇକୋର୍ଟଙ୍କ ଆଦେଶରେ ପ୍ଲଟ୍ ନମ୍ବର ସୂଚନା ନଥିବାରୁ ସେମାନଙ୍କୁ ଅନ୍ୟତ୍ର ନିଆଯାଇ ପାରେ ବୋଲି ଏକାଧିକ ଆଇନଜୀବୀ ମତବ୍ୟକ୍ତ କରିଛନ୍ତି। ପୂର୍ବରୁ ଏଭଳି ଅନେକ ଉଚ୍ଛେଦ ବିଏମ୍ସି କରିଥିବା ନଜିର ରହିଛି। କିନ୍ତୁ ବିଏମ୍ସି ଆଜି ସୁଦ୍ଧା ଏ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରି ନାହିଁ।
ଅନ୍ୟପଟେ ଏହା ପଛରେ ଏକ ବଡ଼ ରୢାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏକାଧିକ ବାର ବିଏମ୍ସି ଶହଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିଲେ ମଧ୍ୟ ଏବେ ୧୨ଶହରୁ ଊର୍ଦ୍ଧ୍ବ ଉଠାଦୋକାନୀ ଭିତରେ ବସିବା ସହ କୋର୍ଟରୁ ସୁରକ୍ଷା ପାଇଛନ୍ତି। ବ୍ୟବସାୟୀଙ୍କ ମଧ୍ୟରେ ୯୦ ପ୍ରତିଶତ ଅଣଓଡ଼ିଆ ଅଛନ୍ତି। ଏଠାରେ ୩୦ ବର୍ଷ ହେଲା ବ୍ୟବସାୟ କରୁଛନ୍ତି ବୋଲି ଦର୍ଶାଉଥିବା ଶହେରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୩୦ ବର୍ଷରୁ କମ୍ ବୟସର ବ୍ୟବସାୟୀ। ବାସ୍ତବରେ ଏମାନଙ୍କୁ ସେଠାରେ ବ୍ୟବସାୟ କରିବା ପାଇଁ ବସାଯାଇ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଏହା ପଛରେ କିଛି ବାହୁବଳୀ ନେତା ଥିବାରୁ ବିଏମ୍ସି ହାତ ମାରିବାକୁ ଚାହୁନଥିବା ଅଭିଯୋଗ ହୋଇଛି।