ଭୁବନେଶ୍ୱର: କେଉଁଠି ଖୁଣ୍ଟି ଅଛି ଲାଇଟ୍ ନାହିଁ ତ କେଉଁଠି ଗୋଟିଏ ପଟେ ଲାଇଟ ଥିଲେ ଅନ୍ୟ ପଟେ ନାହିଁ। ଆଉ କେଉଁଠି ଖୁଣ୍ଟି ମୂଳ ଡଷ୍ଟବିନ୍ ପାଲଟିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନ ମାର୍କେଟ ବିଲ୍ଡିଂରେ। ପ୍ରତିଦିନ ମାର୍କେଟ ବିଲଡିଂରେ ଶହ ଶହ ଲୋକଙ୍କ ଭିଡ଼ ଜମେ। କେବଳ ରାଜଧାନୀ ନୁହେଁ ରାଜଧାନୀ ବାହାରୁ ମଧ୍ୟ ବହୁ ଲୋକ ଏଠାକୁ ଆସନ୍ତି। ହେଲେ ବର୍ତ୍ତମାନ ରକ୍ଷଣାବେକ୍ଷଣା ଅଭାବରୁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି।
ମାର୍କେଟ ବିଲ୍ଡିଂରେ ଥିବା ୱାଟର ଫାଉଣ୍ଟେନ୍ ଦୁଇ ବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ପୂର୍ବରୁ ଏଠାରେ ଗ୍ରାହକମାନେ ଫଟୋ ଓ ଭିଡିଓ ସୁଟ୍ କରି ମଜା ନେଉଥିଲେ। ହେଲେ ବର୍ତ୍ତମାନ ଏହାକୁ ନ ସଜାଡ଼ି ଚାରିପଟେ କେବଳ ଫୁଲକୁଣ୍ଡ ରଖାଯାଇଛି। ଵାଟର ଏଟିଏମ୍ ମଧ୍ୟ ଦୁଇ ବର୍ଷ ଧରି ଅଚଳ ପଡ଼ିଛି। ବର୍ତ୍ତମାନ ଏହା ପୋଷ୍ଟର ଲଗାଇବା ପାଇଁ ବ୍ୟବହୃତ ହେଉଛି। ଯଦିଓ ମାର୍କେଟ ପରିସରରେ ପାନୀୟ ଜଳ ପାଇଁ ଆଉ ଏକ କିଓସ୍କ ରହିଛି। ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ଏତେ ସଂଖ୍ୟକ ବ୍ୟବସାୟୀ ଓ ଗ୍ରାହକମାନଙ୍କ ପାଇଁ ଏହା ଯଥେଷ୍ଟ ହେଉନାହିଁ। ସେହିପରି ବିଲଡିଂ ପରିସରରେ ଥିବା ସ୍ମାର୍ଟ କିଓସ୍କ ଅଚଳ ହୋଇପଡ଼ିଛି। ପୂର୍ବରୁ ମାର୍କେଟ ବିଲ୍ଡିଂଙ୍କୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ଗ୍ରାହକଙ୍କୁ ମୋବାଇଲ୍ ଫୋନ୍ ଟକଟାଇମ ସୁବିଧା ଦେବା ପାଇଁ ଥିବା ପ୍ଲାଷ୍ଟିକ ରିଭର୍ସ ଭେଣ୍ଡିଂ ମେସିନ ଖରାପ ହୋଇ ପଡ଼ିଛି।
ସମସ୍ତେ ଏହା ଜାଣିଥିଲେ ମଧ୍ୟ ତାହାକୁ ସଜଡ଼ା ଯାଉନାହିଁ। ସେହିପରି ଏହା ପରିସରରେ ଥିବା ଶ୍ରୀରାମ ମନ୍ଦିର ପ୍ରତିକୃତି ମଡେଲରେ ଥିବା କାଠଗୁଡ଼ିକ ନଷ୍ଟ ହୋଇଗଲାଣି। ବହୁତଳ ପାର୍କିଂ ସହ ମାର୍କେଟ ପରିସରରେ ପାର୍କିଂ ସୁବିଧା ଥିବା ସତ୍ତ୍ୱେ ଯେଉଁଠି ଦେଖିବ ସେଠାରେ ମନଇଚ୍ଛା ଗାଡ଼ି ପାର୍କିଂ ହେଉଛି। ଫଳସ୍ୱରୁପ ରାସ୍ତା ସଙ୍କୁଚିତ ହୋଇ, ଯିବା ଆସିବାରେ ଅସୁବିଧା ହେଉଛି। ଏ ସଂକ୍ରାନ୍ତରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ବର୍ତ୍ତମାନ ଆସୋସିଏସନ ତରଫରୁ ଟାଇଲ, ଶୌଚାଳୟ ତଥା ଅନ୍ୟାନ୍ୟ ମରାମତି କାମ ଚାଲିଛି। ଆଗକୁ ମାର୍କେଟ ବିଲ୍ଡିଂ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସରକାରଙ୍କ ସହ ଆଲୋଚନା ହେବ।