ଭୁବନେଶ୍ବର: ଦୀର୍ଘ ୩ ଦିନ ବନ୍ଦ ହେଲା ପରେ ମାର୍କେଟ ବିଲ୍ଡିଂ ଖୋଲିବା ପାଇଁ ଆଜି ବାଟ ଖୋଲିଛି। ମାର୍କେଟ ବିଲ୍ଡିଂ ଭିତରେ ଉଠାଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍ସି ଓ ପୁଲିସ ପ୍ରତିଶ୍ରୁତି ଦେବା ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି। କମିସନରେଟ୍ ପୁଲିସ, ମାର୍କେଟ୍ ବିଲ୍ଡିଂ ବ୍ୟବସାୟୀ ସଂଘ ଓ ବିଏମ୍ସିର ୨ଘଣ୍ଟିଆ ମାରାଥାନ୍ ବୈଠକ ପରେ ଉଠାଦୋକାନୀଙ୍କୁ ଭିତରେ ନ ବସାଇବାକୁ ବିଏମ୍ସି ଲିଖିତ ପ୍ରତିଶ୍ରୁତି ଦେଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏଠାରେ ବିଏମ୍ସିର ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୁଲିସର ଏକ ଟିମ୍ ଉପସ୍ଥିତ ରହିବେ। ଉଠାଦୋକାନୀ ପୁଣି ବସିଲେ, ସଙ୍ଗେସଙ୍ଗେ ସେମାନଙ୍କୁ ଉଠାଇ ଦିଆଯିବ। ଉଠାଦୋକାନୀ ଆଉ ଥରେ ବସିଲେ, ବ୍ୟବସାୟୀ ସଂଘ ପୁଣି ବଜାର ବନ୍ଦ ରଖିବ ବୋଲି ଚେତାବନୀ ଦେଇଛି।
ଏଣେ ଉଠାଦୋକାନୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇନଥିବାରୁ ସେମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପଛରେ ଥିବା ରାଜନୀତିକୁ ନେଇ ଆଲୋଚନା କିମ୍ବା ତର୍ଜମା କରାଯାଇନଥିବାରୁ ପୁଣି ଉତ୍ତୋଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି।
ସୂଚନାନୁଯାୟୀ, ଗତ ଜୁଲାଇ ୩୧ ତାରିଖ ଦିନ ମାର୍କେଟ୍ ବିଲ୍ଡିଂରେ ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀମାନଙ୍କ ଭିତରେ ତୁମୁଳକାଣ୍ଡ ହୋଇଥିଲା। ଉଠାଦୋକାନୀମାନଙ୍କୁ ସ୍ଥାୟୀଦୋକାନୀମାନେ ଉଠାଇବାକୁ ଉଦ୍ୟମ କରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ‘ପୁଲିସ କିମ୍ବା ବିଏମ୍ସି ଉଠାଇବ, କିନ୍ତୁ ତୁମେ କିଏ’ କହି ଉଠାଦୋକାନୀମାନେ ରକ୍ତମୁଖା ହୋଇଥିଲେ। ସ୍ଥାୟୀ ବ୍ୟବସାୟୀଙ୍କୁ ସେମାନେ ପିଟିଥିଲେ। ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
କିନ୍ତୁ ସ୍ଥାୟୀ ବ୍ୟବସାୟୀମାନେ ଉଠାଦୋକାନୀଙ୍କୁ ପରିସର ମଧ୍ୟରେ ନବସାଇବା ଓ ସଂପୂର୍ଣ୍ଣ ଭାବେ ଉଠାଦୋକାନୀଙ୍କୁ ଉଠାଇବା ଜିଦ୍ରେ ମାର୍କେଟ ବନ୍ଦ ରଖିଥିଲେ। ଗତକାଲି ବିଏମ୍ସି ବ୍ୟବସାୟୀମାନଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ଫଳ ମିଳିନଥିଲା। ଆଜି ପୁଣି ବ୍ୟବସାୟୀ ସଂଘ ଓ କ୍ୟାପିଟାଲ ଥାନା ପୁଲିସକୁ ଡାକି ବିଏମ୍ସି ଆଲୋଚନା କରିଥିଲା। ସଂଘକୁ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ ୭୨ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ଆଜି ମାର୍କେଟ୍ ବିଲ୍ଡିଂ ଖୋଲିଛି।
ଆଜି ସଂଧ୍ୟାରେ ପୁଲିସ ଓ ବିଏମ୍ସିର ଗୋଟିଏ ଟିମ୍ ସେଠାରେ ପଇଁତରା ମାରିବା ସହ କଡ଼ା ନଜର ରଖିଛନ୍ତି। ତେଣୁ ଜଣେ ହେଲେ ଉଠାଦୋକାନୀ ଭିତରେ ବସିବା ପାଇଁ ସୁଯୋଗ ପାଇନାହାନ୍ତି। ଅନ୍ୟପଟେ ପ୍ରାୟ ୨୦୦ରୁ ଅଧିକ ଉଠାଦୋକାନୀ କେତେକ ଲୋକପ୍ରତିନିଧିଙ୍କ ସହ ଗୁପ୍ତ ବୈଠକ କରିଛନ୍ତି। ଥଇଥାନ ଦାବି କରି ଆସନ୍ତାକାଲି ବିଏମ୍ସି କର୍ତ୍ତୃପକ୍ଷଙ୍କରୁ ଭେଟିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ଦୀର୍ଘ ୭୨ଘଣ୍ଟା ପରେ ମାର୍କେଟ ବିଲ୍ଡିଂ ଖୋଲିବା ପରେ ଭିଡ଼ ଜମିଛି। ଆଗକୁ ରାଖୀ ଓ ଗଣେଷ ପୂଜା ଥିବାରୁ ଲୋକମାନେ କିଣାକିଣି ପାଇଁ ପହଞ୍ଚିଛନ୍ତି।