ଭୁବନେଶ୍ବର: ମାର୍କେଟ୍ ବିଲ୍ଡିଂରେ ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହୋଇଛି। ବିଏମ୍ସିର ପ୍ରତିଶ୍ରୁତି ପରେ ଆଜି ଅପରାହ୍ଣରେ ମାର୍କେଟ୍ ବିଲ୍ଡିଂ ଖୋଲିଛି। ଭିତରେ କୌଣସି ଉଠାଦୋକାନୀ ବସି ନଥିବା ଦେଖାଯାଇଥିଲା। ଆଗକୁ ଯଦି ବସନ୍ତି ଓ ବିଏମ୍ସି ସେମାନଙ୍କୁ ଉଚ୍ଛେଦ ନ କରେ, ତେବେ ପୁଣିଥରେ ବଜାର ବନ୍ଦ କରାଯିବା ସହ ବିଏମ୍ସି ଅଫିସ୍ ଘେରାଉ ହେବ ବୋଲି ସଂଘ ଚେତାବନୀ ଦେଇଛି।
ଗତବର୍ଷ କରୋନା କାଳରେ ଏହି ଉଠାଦୋକାନୀମାନେ ଭିଡ଼ କରିବାରୁ ବିଏମ୍ସି ମାର୍କେଟ୍କୁ ସିଲ୍ କରିଦେଇଥିଲା। ସେତେବେଳେ ଏମାନଙ୍କୁ ଉଚ୍ଛେଦ କରିବାକୁ ସଂଘ ବିଏମ୍ସିକୁ ଅଭିଯୋଗ କରିଥିଲେ ମଧ୍ୟ ବିଏମ୍ସି ଉଚ୍ଛେଦ କରିନଥିଲା। ଉଠାଦୋକାନୀଙ୍କୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବାରୁ ବାରମ୍ବାର ବିଏମ୍ସିକୁ ଅଭିଯୋଗ କରାଯାଉଥିଲା। କିନ୍ତୁ ବିଏମ୍ସି ଉଚ୍ଛେଦ ନ କରି ଖାଲି ପ୍ରତିଶ୍ରୁତି ଦେଇ ଖସି ଯାଉଥିଲା। ଏଥର କିନ୍ତୁ ସଂଘ କଠୋର୍ ନିଷ୍ପତ୍ତି ନେଇଥିଲା।
ବିଏମ୍ସି ଲିଖିତ ପ୍ରତିଶ୍ରୁତି ନ ଦେଲେ ମାର୍କେଟ୍ ନ ଖୋଲିବାକୁ ସଂଘ ନିଷ୍ପତ୍ତି ନେବା ସହ ଦୁଇଦିନ କାଳ ବଜାର ବନ୍ଦ କରି ଦେଇଥିଲା। ତଥାପି ଲିଖିତ ପ୍ରତିଶ୍ରୁତି ନ ମିଳବାରୁ ଆଜି ଶହଶହ ବ୍ୟବସାୟୀ ବିଏମ୍ସି ଅଫିସ୍ରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ସେଠାରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ଲିଖିତ ପ୍ରତିଶ୍ରୁତି ଦେଲେ ଯାଇ ବ୍ୟବସାୟୀମାନେ ହଟିବେ ବୋଲି କହିଥିଲେ। ତେବେ ପୁଲିସ୍କୁ ଏନେଇ ଚିଠି ଲେଖାଯାଇଥିବା ବିଏମ୍ସି କହିଛି। କ୍ୟାପିଟାଲ ଥାନା ପୁଲିସ ମଧ୍ୟ ଉଚ୍ଛେଦ ପାଇଁ ଲିଖିତ ନିର୍ଦ୍ଦେଶ ଆସିଥିବା ସ୍ବୀକାର କରିଥିଲା। ଏଣୁ ବ୍ୟବସାୟୀ ସଂଘ ଫେରିଥିଲା।
ଉଲ୍ଲେଖଯୋଗ୍ୟ, ଜଣେ ଉଠାଦୋକାନୀ ଏଠାରେ ବସିବାକୁ ନେଇ ବିବାଦ ଲାଗି ରହିଥିଲା। ଦୁଇ ଉଠାଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦରେ ଜଣେ ସ୍ଥାୟୀ ଦୋକାନୀଙ୍କ ଗାଡ଼ି ଭାଙ୍ଗିଯିବାରୁ ବିବାଦ ଉଗ୍ରରୂପ ନେଇଥିଲା। ମଙ୍ଗଳବାର ଅପରାହ୍ଣରୁ ଏହି ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଥିଲା।