ଚେତୁ ନାହାନ୍ତି ଅମାନିଆ, ସିଲ୍‌ ହେଲା ମାର୍କେଟ୍ ବିଲ୍‌ଡିଂ

୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ, ସୋମବାର ଖୋଲିବ

ଭିଏସ୍‌ଏସ୍‌ ନଗର ହାଟ ବି ବନ୍ଦ ହେଲା
ବହୁ ଫାଷ୍ଟଫୁଡ୍‌ ଓ ଆମିଷ ଦୋକାନ ସିଲ୍‌

ଭୁବନେଶ୍ବର : ଯେତେ ଚେତାଇଲେ ବି ଚେତୁ ନାହାନ୍ତି। ହାଟବଜାରରେ ପୁଣି ଜମୁଛି ଅସମ୍ଭାଳ ଭିଡ଼। ତେଣୁ ଆରମ୍ଭ ହୋଇଛି କାର୍ଯ୍ୟ‌ାନୁଷ୍ଠାନ। ବିଏମ୍‌ସି ଓ ବିଡିଏ ସ୍କ୍ବାଡ୍‌ ଆଜି ୟୁନିଟ-୨ ମାର୍କେଟ୍ ବିଲ୍‌ଡିଂ, ଭିଏସ୍‌ଏସ୍‌ ନଗର ହାଟ ସମେତ ବହୁ ରାସ୍ତା କଡ଼ ଫାଷ୍ଟଫୁଡ୍‌ ଦୋକାନ, ଆମିଷ ବଜାର ଆଦିକୁ ୪୮ଘଣ୍ଟା ପାଇଁ ସିଲ୍‌ କରିଛନ୍ତି। ବଜାର ଅଞ୍ଚଳରେ କୋଭିଡ୍‌ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଗୁରୁବାର ଓ ଶୁକ୍ରବାର ପାଇଁ ଦୋକାନ ବନ୍ଦ କରାଯାଇଥିବା ବେଳେ ସଟ୍‌ଡାଉନ୍ ପାଇଁ ଶନି ଓ ରବିବାର ବନ୍ଦ ରହିବ। ସିଲ୍‌ ହୋଇଥିବା ସମସ୍ତ ହାଟ, ବଜାର ସୋମବାର ଖୋଲିବ। ଏହାପରେ ଯଦି କୋଭିଡ୍‌ କଟକଣା ନ ମାନନ୍ତି ତେବେ ଅଧିକ ଦିନ ପାଇଁ ଦୋକାନ ବଜାର ବନ୍ଦ କରିଦିଆଯିବ ବୋଲି କୁହାଯାଇଛି।

ବୁଧବାର ସଂଧ୍ୟାରେ ବିଭିନ୍ନ ହାଟ ଓ ବଜାରରେ ଜୋନାଲ୍‌ ସ୍କ୍ବାଡ୍‌ ଓ ବିଡିଏ ସ୍କ୍ବାଡ୍ ଚଢ଼ଉ କରିଥିଲେ। ଦକ୍ଷିଣ-ପୂର୍ବ ଜୋନ୍ ଜେଡ୍‌ଡିସି ଅଂଶୁମାନ ରଥଙ୍କ ପକ୍ଷରୁ ଚଢ଼ଉ ସମୟରେ ୟୁନିଟ-୨ ମାର୍କେଟ୍ ବିଲ୍‌ଡିଂରେ କୌଣସି ଦୋକାନରେ ବି କେହି କୋଭିଡ୍‌ କଟକଣା, ସାମାଜିକ ଦୂରତା ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା। ଆଜି ଆମିଷ ବାରି ଥିବାରୁ ଏଠାରେ ପକୋଡ଼ା ଖାଇବାକୁ ଲୋକଙ୍କ ଭିଡ଼ ଜମିଥିଲା। ତେଣୁ ଏହାକୁ ୪୮ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଥିଲା। ଏହା ସହ ବାପୁଜୀନଗରରେ ଥିବା ଭେଣ୍ଡିଂ ଜୋନ୍ ଲେନ୍ ତଥା ଆମିଷ ମାର୍କେଟକୁ ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଜେଡ୍‌ଡିସି ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ରେଣ୍ଟାଲ ଛକ ସ୍ଥିତ ଆମିଷ ମାର୍କେଟ୍, ନୂଆପଲ୍ଲୀସ୍ଥିତ ଆଇଡି ମାର୍କେଟରେ ୧୨ଟି ରାସ୍ତାକଡ଼ ଖାଦ୍ୟ ଦୋକାନ, ବରମୁଣ୍ଡା ରୁଚିକା ମାର୍କେଟରେ ଗୋଟିଏ ଫଳ ଦୋକାନ, ଏବଂ କିଛି ରାସ୍ତା କଡ଼ ଦୋକାନକୁ ସିଲ୍‌ କରାଯାଇଛି। ଉତ୍ତର ଜୋନ୍ ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ନେତୃତ୍ବରେ ଗଠନ ହୋଇଥିବା ସ୍କ୍ବାଡ୍‌ ଭିଏସ୍‌ଏସ୍‌ ନଗର ହାଟ ସମେତ ଡମଣା ଛକ ଓ ପଟିଆ ଛକରେ ୬ଟି ରାସ୍ତା କଡ଼ ଦୋକାନକୁ ସିଲ୍‌ କରିଛି। ଏହି ସବୁ ଦୋକାନ ବଜାରରେ ପ୍ରବଳ ଭିଡ଼ ହେବା ସହ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେବାରୁ ସିଲ୍‌ ହୋଇଥିବା କୁହାଯାଇଛି।

ଅପରପକ୍ଷେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଆମେ କୌଣସି ଦୋକାନ ବଜାର ସିଲ୍‌ କରିବାକୁ ଚାହୁଁନୁ। କିନ୍ତୁ ଅଧିକାଂଶ ସ୍ଥାନରେ ଲୋକ ନିୟମ ମାନୁନଥିବାରୁ ସ୍ଥିତି ଅଣାୟତ୍ତ ହୋଇଯାଉଛି। ଯେଉଁଠି ନିୟମ ମାନିବେନି ସେଠାରେ ସିଲ୍‌ କରାଯିବ। ଆଗକୁ ଏହା ବ୍ୟାପକ କରାଯିବ।

ସମ୍ବନ୍ଧିତ ଖବର