ଭୁବନେଶ୍ୱର : ବଜାର ଖୋଲିବାକୁ ଅନୁମତି ମିଳିଛି। ବ୍ୟବସାୟୀମାନେ ବି ପସରା ମେଲାଉଛନ୍ତି। କରୋନା କିନ୍ତୁ ବେପାରରେ ବେଡ଼ି ପକାଇ ଦେଇଛି। ଶହଶହ ପରିବାରର ଭାତ ହାଣ୍ଡି ସାଜିଥିବା ମାର୍କେଟ୍ ବିଲ୍ଡିଂ ଏବେ ଶୂନଶାନ୍। ରାଜଧାନୀରେ କରୋନା ଏମିତି ଜାଲ ବିଛେଇଛି ଯେ ଅନେକ ଘରୁ ବାହାରିବା ଆଗରୁ ୧୦ଥର ଚିନ୍ତା କରୁଛନ୍ତି। ସଂକ୍ରମଣର ଭୟ ଘାରୁଛି। ଏହାର ପ୍ରଭାବ ବଜାର ଉପରେ ସିଧାସଳଖ ପଡ଼ିଛି। ସ୍ଥିତି ଏମିତି ଯେ ମୂଳ ପଇସା ତ ଦୂରେ ଥାଉ, ମହାଜନକୁ ପଇସା ଦେଇ ହେଉନାହିଁ। ଏ ହେଉଛି ରାଜଧାନୀର ସବୁଠୁ ଚଳଚଞ୍ଚଳର ମାର୍କେଟ୍ର ଚିତ୍ର।
ମାର୍କେଟ୍ ବିଲ୍ଡିଂର ଦୈନିକ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ପର୍ଯ୍ୟଟନ ବଜାର ଭାବେ ଜଣାଶୁଣା ଏହି ମାର୍କେଟ୍ ପରିସର ଭିତରେ ଓ ବାହାରେ ଶତାଧିକ ବ୍ୟବସାୟୀଙ୍କ ସମେତ କିଛି ବଡ଼ ଡ୍ରେସ୍ ମଲ୍ ମଧ୍ୟ ରହିଛି। ମାର୍କେଟ୍ ବାହାରେ ୪୬ ଜଣ ସ୍ଥାୟୀ ବ୍ୟବସାୟୀଙ୍କ ବ୍ୟତୀତ ବହୁ ଅସ୍ଥାୟୀ ବ୍ୟବସାୟୀଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଥିବା ମାର୍କେଟ୍ ବିଲ୍ଡିଂରେ ଗ୍ରାହକଙ୍କ ଦେଖା ମିଳିବା ସ୍ବପ୍ନ ହୋଇଗଲାଣି। ବିହାରରୁ ଆସି ଦୀର୍ଘ ୨୦ ବର୍ଷ ହେଲା ଏଠାରେ ପର୍ସ ଓ ବ୍ୟାଗ୍ ବିକ୍ରି କରୁଥିବା ଅମରନାଥ ଶାହା କହିଛନ୍ତି, ଏବେ ଦୈନିକ ବେପାର ୫ଶହ ଟଙ୍କା ଡେଇଁବା ଦୁରୂହ ବ୍ୟାପାର ହୋଇପଡ଼ୁଛି। କରୋନା ଯୋଗୁଁ ଗାଁ’କୁ ଚାଲି ଯାଇଥିଲୁ। ମାର୍କେଟ୍ ଖୋଲିବା ପାଇଁ ଅନୁମତି ମିଳିବା କଥା ଶୁଣି ଅଗଷ୍ଟରେ ଆସିଥିଲୁ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ବ୍ୟବସାୟ ନହେବା ସ୍ବାଭାବିକ ଥିଲା। ମାତ୍ର ଏବେ ସବୁ କଟକଣା ଉଠିଥିଲେ ବି ଲୋକଙ୍କ ଦେଖା ମିଳୁନି। ସେ କହିଛନ୍ତି, ଏ ମାର୍କେଟ୍ରେ ବିହାରର ଅଧିକାଂଶ ବାସିନ୍ଦା ପସରା ଖୋଲିଛନ୍ତି। ଘରଭଡ଼ା ନେଇ ରହୁଛୁ। ପୂର୍ବରୁ ଯେଉଁ ମୂଳଧନରେ ଜିନିଷ କିଣାଯାଇଥିଲା, ସେଥିରୁ ଯାହା ବିକ୍ରି ହେଉଛି ସେସବୁ ପେଟକୁ ଓ ଘର ଭଡ଼ାକୁ ବି ନିଅଣ୍ଟ ପଡ଼ୁଛି। ତେଣୁ ଟଙ୍କା ସଞ୍ଚି ନୂଆ ଜିନିଷ ମଗାଇବା ସମ୍ଭବ ହେଉନାହିଁ। ଏଣେ ବାକି ଗଡ଼ୁଥିବାରୁ ମହାଜନ ବିଗିଡ଼ିଲାଣି। ଋଣ ଭାର ବଢ଼ି ଚାଲିଛି। ଏମିତି ଯଦି ଆଉ କିଛିଦିନ ଚାଲିବ, ତେବେ ଋଣରେ ବୁଡ଼ିଯିବୁ ବୋଲି ସେ କହିଛନ୍ତି।
ଅନ୍ୟତମ ବେପାରୀ ଜୀବନ ଶାହା କହିଛନ୍ତି ଏହା ଅନ୍ୟ ବଜାରମାନଙ୍କଠୁ ଭିନ୍ନ। ଏଠିକୁ ଭୁବନେଶ୍ବର ବ୍ୟତୀତ କଟକ, ପୁରୀ, ଯାଜପୁରର ଲୋକେ ବି କିଣାକିଣି କରିବାକୁ ଆସିଥାନ୍ତି। ଜୁନ୍ ମାସ ପୂର୍ବରୁ ବେପାର ଜମେ। ରଜରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହୁଏ। ମାତ୍ର ବ୍ୟବସାୟ ସମୟ କରୋନାରେ ଖାଇଗଲା। ଏଣେ ଟ୍ରେନ୍ ଚଳାଚଳ ସ୍ବାଭାବିକ ନହେବାରୁ ବାହାର ଲୋକ ବି ଆସୁନାହାନ୍ତି। ତେଣୁ ମାସକୁ ୧୨-୧୫ ହଜାର ଟଙ୍କା ରୋଜଗାର କରୁଥିବା ବେବେଳ ଏବେ ଆୟ ୪ ହଜାର ଟଙ୍କା ବି ହେଉନାହିଁ। ଏମିତିରେ ଘର ଭଡ଼ା ଉଠୁନଥିବାରୁ ଆଉ ବେପାରରେ ମନ ଲାଗୁନାହିଁ। ଗାଁ’କୁ ଗଲେ ବେକାର ହୋଇ ବସି ରହିବା ଚିନ୍ତା, ଏଣେ ରାଜଧାନୀରେ ପଡ଼ି ରହିଲେ ଭଡ଼ା ଚିନ୍ତା ପ୍ରତିଦିନ ଘାରୁଛି। ଆମକୁ ଏବେ କେବଳ ଭଗବାନ ହିଁ ଭରସା।