ଭୁବନେଶ୍ୱର: ମାର୍କେଟ୍‌ ବିଲ୍‌ଡିଂ ଭିତରେ ମୁଖା ପିନ୍ଧି ଆତଙ୍କରାଜ ଘଟାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ତିନିଜଣଙ୍କ ବିରୋଧରେ ସଙ୍ଗିନ୍‌ ଦଫା ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲାଗିଛି। ସେମାନେ ହେଉଛନ୍ତି, ଲିଙ୍ଗରାଜ ଥାନା ଗୋପବନ୍ଧୁ କମ୍ପ୍ଲେକ୍ସରେ ରହୁଥିବା ବ୍ରହ୍ମପୁର ଗୋଲାପଲ୍ଲୀ ସାହି ଗେଟ୍‌ ବଜାରର ସ୍ମୃତିସାଗର ମହାପାତ୍ର ଓରଫ ପିନୁ, ବଡ଼ଗଡ଼ କେନାଲ ରୋଡ୍‌ରେ ରହୁଥିବା ଭଞ୍ଜନଗର ଠେଙ୍ଗାଧରର ଗୋପୀନାଥ ନାୟକ ଓରଫ ଗୋପୀ ଓ ବଡ଼ଗଡ଼ ବିଜେବି ନଗରରେ ରହୁଥିବା ବିହାର ବକରପୁରର ସୂରଜ ଶାହ। ତିନିଜଣଙ୍କ ନାମରେ ବଡ଼ଗଡ଼ ଓ ଅନ୍ୟାନ୍ୟ ଥାନାରେ ମାମଲା ରହିଛି। ଏହି ତିନିଜଣଙ୍କ ସମେତ ଅଦ୍ୟାବଧି ଏନ୍‌ଏସ୍‌ଏ ଦଫା ବଳରେ ଗିରଫଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ପୂର୍ବରୁ ବଡ଼ଗଡ଼ ଥାନା ବିଜେବି ନଗରର ପ୍ରତ୍ୟୁଷ କହଁର ଓରଫ ଗୁଡୁ ଓରଫ ଅକାଳି, ମଇଁଷାଖାଲ ବସ୍ତିର ବିଶ୍ବନାଥ ପ୍ରଧାନ, ରସୁଲଗଡ଼ର ଉଦିତ ପ୍ରଧାନ, ଚନ୍ଦନ ଦାସ ଓ ପଙ୍କଜ ରାଜ ଓରଫ ବାପି ବିରୋଧରେ ଏହି ଦଫା ଲାଗିଛି। ଏମାନଙ୍କର ଆଚରଣ ଭବି‌ଷ୍ୟତରେ ସମାଜ ପାଇଁ ବିପଦ ହୋଇଥିବାରୁ ସେମାନଙ୍କୁ ଏଭଳି ସଂଗିନ୍‌ ଦଫାରେ ଗିରଫ କରାଯାଇଥିବା ସୂଚନା ମିଳିଛି।

Advertisment

ଗତ ୧୦ ତାରିଖ ସନ୍ଧ୍ୟାରେ ମାର୍କେଟ୍‌ ବିଲ୍‌ଡିଂରେ ଘଟିଥିବା ଗଣ୍ଡଗୋଳରେ ଏହି ତିନିଜଣ ଅନ୍ୟ ଅଭିଯୁକ୍ତଙ୍କ ସହ ସାମିଲ ହୋଇଥିଲେ। ଏମାନେ ହାତରେ ଖଣ୍ଡା, ଲାଠି ଧରି ମାର୍କେଟ୍ ବିଲଡିଂକୁ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ। ଦୋକାନ ପିଟି ଭାଙ୍ଗିବା ସହ ବ୍ୟବସାୟୀଙ୍କୁ ପିଟିଥିଲେ। ୧୦ରୁ ଅଧିକ ବ୍ୟବସାୟୀଙ୍କ ସହ ୨ ପୁଲିସ କର୍ମଚାରୀ ଓ ଗ୍ରାହକ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୬ ନାବାଳକଙ୍କୁ ଅବଜରଭେସନ୍‌ ହୋମ୍‌କୁ ପଠାଇଥିଲେ।