ଭୁବନେଶ୍ୱର: ଆଜି ବିବାଦୀୟ ପରିବେଶରେ ମାର୍କେଟ୍‌ ବିଲ୍‌ଡିଂ ଖୋଲିଥିଲା। ଉଠାଦୋକାନୀମାନେ ଜବରଦସ୍ତ ମାର୍କେଟ୍‌ ବିଲ୍‌ଡିଂ ଭିତରେ ବସିବାକୁ ଉଦ୍ୟମ କଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାୟୀ ବ୍ୟବସାୟୀମାନେ ଉଠା ଦୋକାନୀଙ୍କୁ ବସିବାକୁ ଦେଇନଥିଲେ। ଏନେଇ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା। ସ୍ଥାୟୀ ବ୍ୟବସାୟୀମାନେ ଉଠା‌ଦୋକାନ ଭାଙ୍ଗି ଦେଇଥିବା ଅଭିଯୋଗ କରି ଅରୁଣ କୁମାର ରାୟ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ମାମଲା ରୁଜୁ ହୋଇ ନାହିଁ। ଅନ୍ୟପଟେ ନିଖିଳ ଓଡ଼ିଶା ଉଠାଦୋକାନୀ ମହାସଂଘ ଆସନ୍ତାକାଲି(ଶନିବାର) ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଶହଶହ ଉଠାଦୋକାନୀ ମାର୍କେଟ୍‌ ବିଲ୍ଡିଂ ଭିତରେ ପ୍ରବେଶ କରି ବ୍ୟବସାୟ କରିବେ ବୋଲି ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି।

Advertisment

ଏଣୁ ସେଠାରେ ପୁଣି ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କା ରହିଛି। ସେଥିପାଇଁ କ୍ୟାପିଟାଲ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିଏମ୍‌ସି ସହ ହୋଇଥିବା ଚୁକ୍ତି ଅନୁଯାୟୀ ଉଠାଦୋକାନୀମାନେ ମାର୍କେଟ ବିଲ୍ଡିଂ ଭିତରେ ଆଉ ବ୍ୟବସାୟ କରିପାରିବେ ନାହିଁ। ସେମାନଙ୍କୁ ବିଏମ୍‌ସି ଥଇଥାନ କରିବ। ତେଣୁ ଉଠାଦୋକାନୀଙ୍କୁ ଆଉ ମାର୍କେଟ୍‌ ବିଲ୍‌ଡିଂ ଭିତରକୁ ପଶିବାକୁ ଦିଆଯିବ ନାହିଁ ବୋଲି ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ରଞ୍ଜିତ୍‌ ମହାନ୍ତି କହିଛନ୍ତି।