ଏସ୍‌ପ୍ଲାନେଡ଼୍‍ ମଲରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମଲ୍‌ର ମାର୍କେଟିଂ ଅଧିକାରୀ ଗିରଫ

ଭୁବନେଶ୍ୱର: ଏସ୍‌ପ୍ଲାନେଡ଼୍‍ ମଲ୍‌ରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ସନ୍ଧ୍ୟାରେ ମଲ୍‌ର ମାର୍କେଟିଂ ଅଧିକାରୀ ଶ୍ୟାମା ଝାଙ୍କୁ ଗିରଫ କରିଛି। ସାମ୍ବାଦିକମାନେ ଆଜି ଦିନ ତମାମ ମଲ୍‌ ସମ୍ମୁଖରେ ଧାରଣା ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମୂଳକ ଏହି ପଦକ୍ଷେପ ନେଇଛି। ଏହା ପୂର୍ବରୁ ସାମ୍ବାଦିକାଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ମଲ୍‌ର ସୁରକ୍ଷା ଦାୟିତ୍ୱରେ ଥିବା ୨ ଜଣ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୂର୍ବରୁ ଗିରଫ କରି ସାରିଥିଲା।

ପାର୍କିଂ ଫି’ ନାରେ ଏସ୍‌ପ୍ଲାନେଡ଼୍‍ ମଲ୍‌ କରୁଥିବା ଜୁଲମ୍‌ ଏବଂ ବେଆଇନ୍‌ ପାର୍କିଂ ଆଦାୟ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ସ୍ଥାନୀୟ ଏକ ୱେବ୍‌ ଚ୍ୟାନେଲର ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ନେଇ ଏବେ ଚାରିଆଡ଼େ ପ୍ରତିକ୍ରିୟା ସୃଷ୍ଟିକରିଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରି ଆଜି ଏସପ୍ଲାନେଡ ମଲ୍‌ ସମ୍ମୁଖରେ ଓଡ଼ିଶାର ସମସ୍ତ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧିମାନେ ରୁଣ୍ଡ ହୋଇ ଘଟଣାର ପ୍ରତିବାଦ କରିଛନ୍ତି।

ଏହି ପ୍ରତିବାଦରେ କେବଳ ଯେ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଛନ୍ତି ତାହା ନୁହେଁ, ବରଂ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତାମାନେ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ କର୍ତ୍ତବ୍ୟରତ ସାମ୍ବାଦିକ ଓ ସାମ୍ବାଦିକାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏସ୍‌ପ୍ଲାନେଡ୍‌ରେ ହୋଇଥିବା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ କରି ରାଜ୍ୟର ବହୁ ସାମ୍ବାଦିକ, ରାଜନେତା ଓ ସାମାଜିକ କର୍ମୀ ମିଳିତ ଭାବେ ଡିଜିପି ଅଫିସ୍‌ ଆଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ସାମ୍ବାଦିକାଙ୍କ ଆକ୍ରମଣ ଘଟଣାରେ ଲିପ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଏକ ସୁରକ୍ଷା ଆଇନ୍‌ ଆଣିବାକୁ ଦାବି କରିଥିଲେ।

ଏପଟେ ସାମ୍ବାଦିକଙ୍କ ପ୍ରତିବାଦକୁ ଦେଖି ଏସ୍‌ପ୍ଲାନେଡ଼୍‍ ମଲ୍‌ ସମ୍ମୁଖରେ ଭୁବନେଶ୍ୱର ଡିସିପି ଅନୂପ ସାହୁ ପହଞ୍ଚି ଥିଲେ। ଏବଂ ଘଟଣାର ତର୍ଜମା କରାଯାଇ, ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ସେ ଧାରଣାରତ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ ଶନିବାର ଏସ୍‌ପ୍ଲାନେଡ଼୍‍ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତି ଜେନା ଓ ଜଣେ କ୍ୟାମେରାମ୍ୟାନ୍‌ ସହିତ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲ୍‌ର ସୁରକ୍ଷା କର୍ମୀମାନେ ଆକ୍ରମଣ କରିଥିଲେ। ଏପରିକି ମଲ୍‌ର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରି ଭିତରେ ବନ୍ଦ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର