ବନ୍ଦରେ ସାମିଲ ହେଲେ ୧୦ ହଜାର ବ୍ୟବସାୟୀ : ୬୦ କୋଟିର ବ୍ୟବସାୟ ଠପ୍‌

ଭୁବନେଶ୍ବର : ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ସହିଦ ‌ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଡାକରା ଦିଆଯାଇଥିବା ଦେଶବ୍ୟାପୀ ଦୋକାନ ବଜାର ବନ୍ଦରେ ରାଜଧାନୀ ବ୍ୟବସାୟୀମାନେ ସାମିଲ ହୋଇଛନ୍ତି। ରାଜଧାନୀର ପ୍ରାୟ ୫ ହଜାର ସୋରୁମ୍ ସମେତ ଫୁଟପାଥକୁ ମିଶାଇ ପ୍ରାୟ ୧୦ ହଜାର ବ୍ୟବସାୟୀ ଏହି ବନ୍ଦରେ ସାମିଲ ହୋଇଛନ୍ତି। ଏଥିଯୋଗୁ ରାଜଧାନୀରେ ଆଜି ଗୋଟିଏ ଦିନରେ ପ୍ରାୟ ୬୦ କୋଟି ଟଙ୍କା ପାଖାପାଖି ବ୍ୟବସାୟ ବନ୍ଦ ହୋଇଥିବା ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଆକଳନରୁ ଜଣାଯାଇଛି।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ହୋଇଥିଲା। ଏଥିରେ ପାଇକାରୀ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟୀ ଓ ରାସ୍ତାପାର୍ଶ୍ବର ବ୍ୟବସାୟୀମାନେ ସାମିଲ ହୋଇଥିଲେ। ୟୁନିଟ ୧ ମାର୍କେଟ, ମାର୍କେଟ ବିଲଡିଂ, ୟୁନିଟ ୪ ମାର୍କେଟ ସମେତ ସହରର ଅନ୍ୟାନ୍ୟ ପ୍ରମୁଖ ବଜାରରେ ବ୍ୟବସାୟୀମାନେ ଦୋକାନ ଖୋଲି ନଥିଲେ। ସହରର ଗଳି କନ୍ଦିରେ ଥିବା ଅଧିକାଂଶ ଦୋକାନ ବନ୍ଦ ରହିଥିଲା। ପରିବା ଦୋକାନଠାରୁ ଆରମ୍ଭ କରି ଚା, ପାନ ଓ ତେଜରାତି ଦୋକାନ ଆଦି ବନ୍ଦ ରହିଥିଲା। ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ବନ୍ଦରେ ଔଷଧ ଦୋକାନକୁ ସାମିଲ କରାଯାଇ ନଥିବାରୁ ଏଗୁଡ଼ିକ ଖୋଲା ରହିଥିଲା। ସେହିଭଳି ପେଟ୍ରୋଲ ପମ୍ପଗୁଡ଼ିକୁ ବନ୍ଦ ଡାକରାରେ ସାମିଲ କରାଯାଇ ନଥିଲେ ମଧ୍ୟ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ଏହି ବନ୍ଦକୁ ନୈତିକ ସମର୍ଥନ ଜଣାଇଥିଲା। ଫଳରେ ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରଖାଯାଇଥିଲା। ରାଜଧାନୀରେ ସରକାରୀ ତେଲ କମ୍ପାନି ଗୁଡ଼ିକର ଥିବା ପ୍ରାୟ ୩୫ଟି ଯାକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ବିକ୍ରି ୮ ଘଣ୍ଟା ଧରି ବନ୍ଦ ରହିଥିଲା। ଏଥିଯୋଗୁ ପେଟ୍ରୋଲ ପମ୍ପ ଗୁଡ଼ିକର ପାଖାପାଖି କୋଟିଏ ଟଙ୍କାର ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରଭାବିତ ହୋଇଛି। ତେଲ ଟାଙ୍କି ଗୁଡ଼ିକ ଏହି ୮ ଘଣ୍ଟା ମଧ୍ୟରେ ରାଜଧାନୀରେ ୫୬ ହଜାର ଲିଟର ପେଟ୍ରୋଲ ଏବଂ ୭୫ ହଜାର ଲିଟର ଡିଜେଲ ବିକ୍ରି କରିପାରି ନାହାନ୍ତି। ଫଳରେ ମୋଟ ପ୍ରାୟ କୋଟିଏ ଟଙ୍କା ପର୍ଯ୍ୟନ୍ତ ତେଲ ବିକ୍ରି ରାଜଧାନୀରେ ପ୍ରଭାବିତ ହୋଇଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ କୁହାଯାଇଛି। ବ୍ୟବସାୟୀମାନେ ଏକଜୁଟ ହୋଇ ଏହି ବନ୍ଦକୁ ସମର୍ଥନ ଜଣାଇଥିବାରୁ ଏହା ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ପରିବହନ କ୍ଷେତ୍ରକୁ ବନ୍ଦରୁ ବାଦ ଦିଆଯାଇଥିବାରୁ ଲୋକଙ୍କ ଯାତାୟାତ ସ୍ବାଭାବିକ ରହିଥିଲା। ବ୍ୟବସାୟୀମାନେ ସଂଧ୍ୟାରେ ସଂଘର ୟୁନିଟ-୬ ସ୍ଥିତ କାର୍ଯ୍ୟାଳୟରୁ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏଥିରେ ଶତାଧିକ ବ୍ୟବସାୟୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର