ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଏକ ଅଢ଼େଇ ବର୍ଷର ମାଈ ମାର୍ମୋସେଟ୍ ମାଙ୍କଡ଼ର ମୃତ୍ୟୁ ହୋଇଛି। ମାଙ୍କଡ଼ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଲାଗି ଥିବା ନୂଆ ଖୁଆଡ଼ ମଧ୍ୟରେ ଅନ୍ୟ ୩ ସାଥୀଙ୍କ ସହ ରହୁଥିଲା। ବୁଧବାର ପ୍ରଚଣ୍ତ ଗରମରେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲା। ତାକୁ ତୁରନ୍ତ ଆଣ୍ଟିଟ୍ରେସ୍ ଓ ଭିଟାମିନ୍ ଦେଇ ଚିକିତ୍ସା କରାଯାଇଥିଲା। ଗୁରୁବାର ତା’ର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଥିବା ଦେଖାଯାଇଥିଲା। ହେଲେ ଆଜି ସକାଳେ ସେ ହାଲିଆ ହୋଇ ଶୋଇ ରହୁଥିବା ଦେଖାଯାଇଥିଲା। ତା ସହିତ ରହୁଥିବା ଅନ୍ୟ ସାଥୀମାନେ ତାକୁ କାମୁଡ଼ି ଉଠାଇବାକୁ ଚେଷ୍ଟା କରିଥିଲେ। ତା’ ଦେହରେ କ୍ଷତ ଚିହ୍ନ ରହିଥିଲା। ଲାଞ୍ଜ ଭାଙ୍ଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ନନ୍ଦନକାନନ ପରିସରରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସୋଲେସନ୍ରେ ଭର୍ତି କରାଯାଇଥିଲା। ଅପରାହ୍ଣରେ ତା’ର ମୃତ୍ୟୁ ହୋଇଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୨ଟି ମାଈ ଓ ଗୋଟିଏ ଅଣ୍ତିରାକୁ ମିଶାଇ ମୋଟ ଏହି ପ୍ରଜାତିର ୩ଟି ମାଙ୍କଡ଼ ଅଛନ୍ତି। ୨୦୧୮ରେ ତାମିଲଲାଡୁର ମଦୁରାଇରୁ ୪ଟି ମାର୍ମୋସେଟ୍ ମାଙ୍କଡ଼ଙ୍କୁ ଏକ ଘରୋଇ ସଂସ୍ଥାଠାରୁ କ୍ରୟ କରି ନନ୍ଦନନକାନନକୁ ଅଣାଯାଇଥିଲା। ଏହି ପ୍ରଜାତିର ମାଙ୍କଡ଼ ଦକ୍ଷିଣ ଆମେରିକାରେ ଦେଖାଯାଆନ୍ତି। ଗଛର କଅଁଳ ପତ୍ର, ଫଳ, କୋଳି, କୀଟପତଙ୍ଗ ଏମାନଙ୍କର ଆହାର। ଏମାନଙ୍କ ଆୟୁଷ ୧୨ ବର୍ଷ ମଧ୍ୟରେ ରହିଥିବା ବେଳେ ଶରୀରର ଓଜନ ୨୬୦ ଗ୍ରାମ ହୋଇଥାଏ।
ମାର୍ମୋସେଟ୍ ମାଙ୍କଡ଼ର ମୃତ୍ୟୁ
/sambad/media/post_attachments/wp-content/uploads/2019/06/mar.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)