ବାଲିପାଟଣା: ଏକତରଫା ଭଲ ପାଇବସିଲା। ମାତ୍ର ନାବାଳିକା ବାହା ହେବାକୁ ରାଜି ନହେବାରୁ ଅପହରଣ କଲା। ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରି ନାବାଳିକାକୁ ବାହା ହେବାକୁ ବାଧ୍ୟ କରାଇଲା। ପୁଲିସ କେସ୍‌ ହେବା ପରେ ଫେରାର୍ ହୋଇଗଲା। ଏହା ଭିତରେ ୩ ବର୍ଷ ବିତିଗଲା। ନାବାଳିକା ପାଲଟିଗଲେ ସାବାଳିକା। ଦୁଇ ପରିବାର ମଧ୍ୟରେ ଆପୋସ ବୁଝାମଣା ହେଲା ଏବଂ ବାହାଘର ହୋଇଗଲା। ଏମିତିକି ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ବି ଜନ୍ମ ନେଲା। କିନ୍ତୁ ଥାନାରେ ୩ ବର୍ଷ ତଳର ମାମଲା ସେମିତି ଗଡ଼ୁଥିଲା। ପୁଲିସ ପାଇଁ ଅପହର୍ତ୍ତା ତଥା ଦୁ‌ଷ୍କର୍ମ ଅଭିଯୁକ୍ତ ଥିଲା ଫେରାର୍‌। ଗତକାଲି ରାତିରେ ଅଭିଯୁକ୍ତକୁ ପୁଲିସ ଘରୁ ଉଠାଇବା ପରେ ଆଜି କୋର୍ଟ ଚାଲାଣ କରିଛି। ବାଲିପାଟଣା କୁଶୁପଦା ଅଞ୍ଚଳର ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଘଟଣାଟି ଥିଲା ଏମିତି। ୨୦୧୮ ମସିହାର କଥା। କୁଶୁପଦା ଗ୍ରାମର ଶିବ ଜେନା ଜଣେ ନାବାଳିକାକୁ ଭଲ ପାଇଲା। କିନ୍ତୁ ନାବାଳିକା ଶିବଙ୍କ କଥାରେ ରାଜି ହୋଇନଥିଲେ। ତେଣୁ ଶିବ ତାଙ୍କୁ ଅପହରଣ କରିନେଲା। ଏମିତିକି ନାବାଳିକାଙ୍କୁ ସେ ଦୁଷ୍କର୍ମ କଲା। ପରିବାର ପକ୍ଷରୁ ଅପହରଣ ଅଭିଯୋଗ ହେବା ପରେ ଶିବ ନାବାଳିକାଙ୍କୁ ଛାଡ଼ି ଫେରାର୍ ହୋଇଗଲା। ଓଡ଼ିଶା ଛାଡ଼ି ଶିବ ଗୋଆ ପଳାଇବା ପ‌ରେ ପୁଲିସ ତା’ ଟେର୍‌ ପାଇନଥିଲା। କିନ୍ତୁ ଏହା ଭିତରେ ନାବାଳିକାଜଣଙ୍କ ସାବାଳିକା ହୋଇଗଲେ। ତେଣୁ ଦୁଇ ପରିବାର ମଧ୍ୟରେ ଆପୋସ ବୁଝାମଣା ହେଲା ଏବଂ ଲୁଚାଚୋରାରେ ଶିବ ସହ ଯୁବତୀଙ୍କର ହାତଗଣ୍ଠି ପଡ଼ିଗଲା। ଯୁବତୀ ବି ଏକ ପୁତ୍ର ସନ୍ତାନର ଜନନୀ ହେଲେ। କିନ୍ତୁ ପୁଲିସ ଅଗୋଚରରେ ରହିଲା ଏସବୁ ଘଟଣା। ଗତ କିଛି ଦିନ ତଳେ ଶିବ ପିଲାଛୁଆ ଧରି ଗୋଆରୁ ଫେରି ଗାଁରେ ରହୁଥିଲା। ଏଣେ ପୁଲିସ ପୁରୁଣା ମାମଲାସବୁ ଖେଳାଉଥିବା ବେଳେ ଶିବ କେସ୍‌ ସାମ୍ନାକୁ ଆସିଥିଲା। ‌ଖବର ନେଉନେଉ ଶିବ ଗାଁରେ ରହୁଛି ବୋଲି ପୁଲିସ ଜାଣିବା ପରେ ଗତକାଲି ରାତିରେ ତା’ ଘରେ ଚଢ଼ଉ କରିଥିଲା।