ଦୁଷ୍କର୍ମ ପରେ ବିବାହ, ଏବେ ନିବୁଜ୍‌ ଘରେ ନିର୍ଯାତନା

ରେଳଧାରଣାରୁ ଦିବ୍ୟାଙ୍ଗ ମହିଳା ଉଦ୍ଧାର

ଚନ୍ଦ୍ରଶେଖରପୁର: ଦିବ୍ୟାଙ୍ଗ ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ଅଭିଯୁକ୍ତ ରାଜୁ ଦିଗାଲ୍‌ ତାଙ୍କୁ ଦୁଷ୍କର୍ମ କଲା। ଯୁବତୀ ଜଣକ ମୁକ ବଧିର ହୋଇଥିବାରୁ ତାଙ୍କ ଅଭିଯୋଗକୁ ସହଜରେ ଏଡ଼ାଇଦେବା ଯୋଜନା କରି ରାଜୁ ଏହି କାଣ୍ଡ କରିଥିଲା। ହେଲେ ଗାଁ ଲୋକଙ୍କ ହାବୁଡ଼ରୁ ସେ ଖସି ପାରିଲା ନାହିଁ। ଗ୍ରାମସଭା ନିଷ୍ପତ୍ତି ଅନୁସାରେ ରାଜୁ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ ହେଲା। ବିବାହ ପରେ ରାଜୁ ତାଙ୍କୁ ଭୁବନେଶ୍ବର ନେଇ ଆସିଲା। କିନ୍ତୁ ପତ୍ନୀର ମର୍ଯ୍ୟାଦା ଦେବା ତ ଦୂରର କଥା, ତାଙ୍କୁ ଭଲରେ ଖାଇବାକୁ ମୁଠାଏ ଦେଲା ନାହିଁ। ତାଙ୍କୁ ଏକ ନିବୁଜ୍‌ କୋଠରୀରେ ବନ୍ଦ ରଖି ନିର୍ଯାତନା ଦେଲା। ପାଖାପାଖି ୩ ମାସ ହେଲା ଚାଲିଥିବା ଏହି ଅମାନବୀୟ ଘଟଣାଟି ଗତକାଲି ରାତିରେ ପଦାକୁ ଆସିଛି। ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଗ୍ରାମର ଲୋକେ ପୀଡ଼ିତାଙ୍କୁ ରେଳଧାରଣାରୁ ଉଦ୍ଧାର କରିବା ପରେ ଘଟଣା ଜଣାପଡ଼ିଛି।

ସୂଚନାନୁସାରେ ଗତକାଲି ରାତିରେ ଜଣେ ଯୁବତୀ ରେଳଧାରଣାକୁ ଧାଉଁଥିବା‌ ବେଳେ ରାଜୁ ଦିଗାଲ୍‌ ଓ ଅନ୍ୟ ଜଣେ ଯୁବତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିଲେ। ରାଜୁ ତାଙ୍କୁ ଟଣାଓଟରା କରି ଘରକୁ ଫେରାଇ ନେବାକୁ ଉଦ୍ୟମ କରୁଥିଲା ଓ ଜିନ୍‌ସ ପିନ୍ଧା ଯୁବତୀ ଜଣକ ତାକୁ ମାଡ଼ ମାରୁଥିଲା। ପୀଡ଼ିତା ଜଣଙ୍କ କେବଳ ଚିତ୍କାର କରୁଥିଲେ ହେଁ କିଛି କହି ପାରୁନଥିଲେ। ସେ ରେଳ ଧାରଣା ଆଡ଼କୁ ପଳାଇବାକୁ ଚେଷ୍ଟା କରୁଥିଲେ। ଗାଁ ଲୋକେ ପ୍ରଥମେ ଏହାକୁ ଏକ ପାରିବାରିକ କଳହ ବୋଲି ଧରି ନେଇ କିଛି କହିନଥିଲେ। ତେବେ ପୀଡ଼ିତା ଜଣକ ସେମାନଙ୍କୁ ହାତଠାରି ଡାକିବାରୁ ଲୋକଙ୍କ ସନ୍ଦେହ ହୋଇଥିଲା। ପୀଡ଼ିତା ମୁକ ବୋଲି ଜଣାପଡ଼ିବା ପରେ ଗାଁ ଲୋକେ ରାଗି ଯାଇଥିଲେ। ସେତେବେଳକୁ ପୀଡ଼ିତା ରେଳଧାରଣାରେ ଠିଆ ହୋଇଥିବା ମାଲବାହୀ ଗାଡ଼ି ଚକା ତଳେ ଶୋଇ ପଡ଼ିଥିଲେ। କିନ୍ତୁ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରିବା ସହ ଦିବ୍ୟାଙ୍ଗ ମହିଳାଙ୍କୁ ଭଡ଼ାଘରର ମାଲିକ ଓ ଅଭିଯୁକ୍ତ ରାଜୁ ଦିଗାଲର ମାଉସୀଙ୍କ ଜିମା ଦେଇଥିଲା। ଆଜି ରାଜୁର ମାଉସୀ ପୀଡ଼ିତାଙ୍କୁ କନ୍ଧମାଳ ନେଇ ଯାଇଥିବା ଜଣାପଡ଼ିଛି।

ଅଭିଯୁକ୍ତ ରାଜୁର ମାଉସୀଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଦିବ୍ୟାଙ୍ଗ ଯୁବତୀ ରାଜୁ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଗ୍ରାମବାସୀମାନେ ସେମାନଙ୍କ ବିବାହ କରାଇଛନ୍ତି। କିନ୍ତୁ ଏହି ଅଭିଯୋଗ ମିଛ। ମାତ୍ର ଆଦିବାସୀ ସମ୍ପ୍ରଦାୟ ନିୟମର ଦ୍ବାହି ଦେଇ ଗ୍ରାମବାସୀମାନେ ରାଜୁ କାନ୍ଧରେ ଯୁବତୀଙ୍କୁ ବାନ୍ଧି ଦେଇଛନ୍ତି। ଏହି ମାମଲା ମଧ୍ୟ କନ୍ଧମାଳ ପୁଲିସ ପାଖରେ ବିଚାରାଧୀନ ରହିଛି। ଗ୍ରାମବାସୀଙ୍କ ଚାପରେ ବିବାହ କରିଥିଲେ ବି ରାଜୁ ତାଙ୍କୁ ପତ୍ନୀର ମର୍ଯ୍ୟାଦା ଦେଉନଥିବାରୁ ଯୁବତୀ ଜଣଙ୍କ ଏଭଳି ନାଟକ କରୁଥିବା ମାଉସୀ ସଫେଇ ଦେଇଛନ୍ତି। ତେବେ ରଙ୍ଗମାଟିଆ ଗ୍ରାମବାସୀମାନେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ସେମାନଙ୍କ କହିବା କଥା ଗାଁ ଭିତରେ ଏଭଳି ଟଣାଓଟରା ମାର୍‌ପିଟି ହେଲେ ବରଦାସ୍ତ କରାଯିବ ନାହିଁ। କନ୍ଧମାଳ ମାମଲା କନ୍ଧମାଳ‌ରେ ଯାଇ ସମାଧାନ କର ବୋଲି ସେମାନଙ୍କୁ ଚେତାବନୀ ଦିଆଯାଇଛି। ତେଣୁ ଆଜି ରାଜୁର ମାଉସୀ ପୀଡ଼ିତାଙ୍କୁ କନ୍ଧମାଳ ନେଇ ଯାଇଥିବା ଜଣାପଡ଼ିଛି। ଗତକାଲିର ମାମଲା ରାଜଧାନୀରେ ଘଟିଥିବାରୁ କମିସନରେଟ୍‌ ପୁଲିସ ଏହି ମାମଲାର ସତ୍ୟାସତ୍ୟ ସନ୍ଧାନ କରିବା ଉଚିତ ଥିଲା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର