କରୋନା ବିଧିରେ ବାହାଘର, ଅଭ୍ୟାସରେ ପଡ଼ିଗଲେଣି ଲୋ‌କେ

ଭୁବନେଶ୍ବର: ମହାମାରୀ କୋଭିଡ୍‌-୧୯ ପାଇଁ ଆମ ସାମାଜିକ ବିଧିବିଧାନ, ପର୍ବପର୍ବାଣୀରେ ବହୁ ପରିବର୍ତ୍ତନ ଆସିଛି। କରୋନା କଟକଣା ପାଇଁ କିଛି ପରମ୍ପରା ଓ ବିଧି ବନ୍ଦ ହୋଇଯାଇଥିବାରୁ ବହୁ ରଙ୍ଗିନ୍‌ ଉତ୍ସବ ଫିକା ପଡ଼ି ଯାଇଛି। ସେମିତି ବାଦ୍‌ ପଡ଼ିନି ଆମ ବିବାହ ଉତ୍ସବ। ବାଜା, ବାଣ ଓ ରୋଶଣୀ ନାହିଁ କି ଭୋଜିଭାତର ଆସର ନାହିଁ। ବରଂ ଏହି ରଙ୍ଗିନ୍‌ ଉତ୍ସବରେ କରୋନା କଟକଣା ଧସେଇ ପଶି ଥିବାରୁ ଏହା ଫିକା ଫିକା ଲାଗୁଛି। ବରକନ୍ୟାଙ୍କଠାରୁ ଆରମ୍ଭ କରି ବ୍ରାହ୍ମଣ ଓ ବାରିକ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ସେଥିରେ ପୁଣି ସାମାଜିକ ଦୂରତା ରକ୍ଷା କରିବାର ବାଧ୍ୟବାଧକତା ଯୋଡ଼ି ହୋଇ ଯାଇଛି। ଏଭଳି ଏକ ଆନନ୍ଦମୟ ଉତ୍ସବରେ କେହି କାହା ସହିତ କରମର୍ଦ୍ଦନ କରିପାରିବେ ନାହିଁ କି କୋଳାକୋଳି ହୋଇପାରିବେ ନାହିଁ। ତେଣୁ କରୋନା କଟକଣାରେ ହେଉଥିବା ଏହି ବିବାହକୁ ଲୋକେ କରୋନା ବିଧି ବିବାହ ବୋଲି ଆଖ୍ୟା ଦେଇଛନ୍ତି।

ଆଜି ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରରେ ହେଉଥିବା ଏକ ବାହାଘର ଉତ୍ସବରୁ ଏହା ବାରି ହୋଇ ପଡ଼ିଥିଲା। ଉପସ୍ଥିତ ସ୍ବଳ୍ପସଂଖ୍ୟକ ଅତିଥି ଏହି ବିବାହକୁ ଏକ ନୂଆ ରୂପରେ ଉପଭୋଗ କରୁଥିଲେ। ବିନା ରୋଶଣୀରେ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ବର ପହଞ୍ଚିଥିଲା ଉକ୍ତ ସେଣ୍ଟରରେ। ମାସ୍କ ପିନ୍ଧି ବିବାହ ବେଦିରେ ବସିଥିଲେ ବରକନ୍ୟା। ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧି ବ୍ରାହ୍ମଣ ପଢ଼ି ଚାଲିଥିଲେ ମନ୍ତ୍ର। ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ହୋମ ଅଗ୍ନି ଜଳୁଥିଲା। ବର କନ୍ୟାଙ୍କର ସାତଫେରି ହେଲା। ଦୁଇ ସମୁଦି କୋଳାକୋଳି ହେଲେ ସିନା, କିନ୍ତୁ ପ୍ରଶାସନର କଟକଣା କଥା ମନେ ପଡ଼ିଯିବାରୁ ଏଥିପାଇଁ ଖୁବ୍‌ କମ୍ ସମୟ ନେଇଥିଲେ। ବରକନ୍ୟାଙ୍କ ପାଇଁ ବନ୍ଦାପନାରେ ବି ରୋକ୍‌ ଲାଗିଥିଲା। ଶାଶୂଙ୍କ ସହ ମାତ୍ର ହାତଗଣତି କେତେଜଣ ବିଶିଷ୍ଟ ବନ୍ଧୁ ବନ୍ଦାଣ କରିଥିଲେ। ତାହା ପୁଣି ସାମାଜିକ ଦୂରତା ରଖି। କେବଳ ଅତି ଦରକାରୀ ବିଧିଗୁଡ଼ିକ ଛାଡ଼ିଦେଲେ ଅନ୍ୟ ସବୁ ବିଧିରେ କରୋନା କଟକଣା ଦେଖିବାକୁ ମିଳିଥିଲା। ତେଣୁ କଉଡ଼ି ଖେଳ ଭଳି ବିଧି ବାଦ୍‌ ପଡ଼ି ଯାଇଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ଏହି ବିବାହ ଉତ୍ସବରେ ଉପସ୍ଥିତ ଥିଲେ। କରୋନା କଟକଣା ପରଖିବା ପାଇଁ ସେମାନେ ଯାଇଥିଲେ। ଲୋକେ କଟକଣା ମାନୁଥିବା ଦେଖି ସେମାନେ ବେଶି ସମୟ ନରହି ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର