ରାମମନ୍ଦିରରେ ସାମୂହିକ ବିବାହ

ଭୁବନେଶ୍ୱର: ରାମମନ୍ଦିର ପରିସରରେ ‘ପ୍ରୟାସ’ ପକ୍ଷରୁ ୫ମ ସାମୂହିକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ‌ଯୋଡ଼ା ବର-କନ୍ୟା ହିନ୍ଦୁ ବୈଦିକ ରୀତିରେ ବିବାହ କରିଛନ୍ତି। ଶୋଭାଯାତ୍ରାରେ ବର ପହଞ୍ଚିବା ପରେ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୃଷ୍ଟିବାଧିତ ଦୁଇଜଣ ପରସ୍ପରକୁ ଜୀବନସାଥୀ ଭାବେ ବାଛିଛନ୍ତି। ଅସହମତି, ଅସଙ୍ଗତି, ଅନାବଶ୍ୟକ ସାମାଜିକ ପ୍ରଥା ଓ ମନସ୍ତାତ୍ତ୍ବିକ ତାଳମେଳ ଅଭାବରୁ ଅନେକ ବିବାହ କରିପାରୁନଥିବାରୁ ‘ପ୍ରୟାସ’ ପକ୍ଷରୁ ଏଭଳି ଏକ ନିଆରା ଆୟୋଜନ ହୋଇଆସୁଥିବା କୌସ୍ତୁଭ ଦାସ ସୂଚନା ଦେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭ୍ୟର୍ଥନା କମିଟି ମୁଖ୍ୟ ବଦ୍ରିନାଥ ପଟ୍ଟନାୟକ ଯୋଗଦେଇ ମହୋତ୍ସବର ମାନ୍ୟତା ଦେବାକୁ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଚାରପତି ସଞ୍ଜୟ ପଣ୍ଡା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ନମ୍ରତା ଚଢ଼ା, ସନ୍ଧ୍ୟା ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ଟ୍ରଷ୍ଟି ସନ୍ତୋଷ ଅଗ୍ରୱାଲ, ପ୍ରଶାନ୍ତ ଦାସ, ପ୍ରମୋଦ ପଣ୍ଡା, କମଳ ମହାନ୍ତି, ଚନ୍ଦନ ନାୟକ, ରବୀନ୍ଦ୍ର ସ୍ବାଇଁ, ଜୟନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର