ବାଲିଅନ୍ତା: ଆଜି ଥିଲା ବାହାଘର। ମାତ୍ର କେଇ ଘଣ୍ଟା ପରେ ବରବେଶ ସାଜି କନ୍ୟା ଘରକୁ ବାହାରିଥାନ୍ତେ ଅକ୍ଷୟ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ବରବେଶ ପାଇଁ ଚକ୍ଚକିଆ ରଙ୍ଗିନ୍ ପୋଷାକ ବଦଳରେ ତାଙ୍କ ଦେହରେ ବିଛାଇ ଦିଆଗଲା ନୂଆ ଧଳା ଧୋତି। ମୁହଁରେ ଚନ୍ଦନ ଟିପା ବଦଳରେ ବିଞ୍ଚି ଦିଆଗଲା ଅବିର। ଫୁଲରେ ସଜ୍ଜିତ କାର୍ ବଦଳରେ ୬ ଖଣ୍ଡ ବାଉଁଶରେ ତିଆରି କୋକେଇରେ ତାଙ୍କୁ ଶୁଆଇ ଦିଆଗଲା। ବାହାବେଦି ବଦଳରେ ତାଙ୍କୁ ବୋହି ନିଆଗଲା ଗାଁ ମଶାଣିକୁ। ବାହାବେଦିର ହୋମ ନିଆଁ ବଦଳରେ ଜଳିଲା ଜୁଇ। ବାଲିଅନ୍ତା ଥାନା ସତ୍ୟଭାମାପୁର ରୋକଟ ଭୋଇସାହିର ଅକ୍ଷୟଙ୍କ ଏହି ହୃଦୟ ବିଦାରକ ଅନ୍ତିମ ଯାତ୍ରା ଆଜି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ଆଜି ସକାଳୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ରୋକଟ ଭୋଇସାହି ନାରାୟଣ ଭୋଇଙ୍କ ବଡ଼ପୁଅ ଅକ୍ଷୟ କୁମାର ଭୋଇ (୩୦)ଙ୍କ ବାହାଘର ପାଇଁ ସାହି ଦାଣ୍ଡ ଗହଳଚହଳ ଥିଲା। ବର ନିମନ୍ତ୍ରଣ ପାଇଁ ଆସିଥିବା ବରଧରା ଲୋକଙ୍କୁ ବିଦାୟ ଦିଆ ଯାଉଥିଲା। ଅକ୍ଷୟଙ୍କ ସାଙ୍ଗମାନେ କାର୍ରେ ଫୁଲ ସଜାଉଥିଲେ। କିନ୍ତୁ ହଠାତ୍ ସବୁ ଖୁସିରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ସ୍ତବ୍ଦ ହୋଇଗଲା ସବୁ କୋଳାହଳ। ନିକଟସ୍ଥ ଏକ ନିର୍ମାଣାଧୀନ ଘରେ ଅକ୍ଷୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। କେହି କିଛି ବୁଝି ପାରିନଥିଲେ। ହସଖୁସିର ମାହୋଲ୍ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ଓ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଅପରାହ୍ଣରେ ଗାଁ ମଶାଣିରେ ଅକ୍ଷୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଠିକ୍ ବାହାଘର ଦିନ ଅକ୍ଷୟଙ୍କ ଏଭଳି ଚରମ ନିଷ୍ପତ୍ତିକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। ଏହା ପଛରେ ନିଶ୍ଚିତ ଏକ ପ୍ରେମ ବ୍ୟାପାର ନିହିତ ଅଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଅକ୍ଷୟଙ୍କ ପରିବାର ଲୋକମାନେ ମୁହଁ ଖୋଲୁନାହାନ୍ତି। ସେପଟେ ବରର ବାଟ ଚାହିଁ ବସିଥିବା ମଙ୍ଗୁଳା କନ୍ୟା ଓ ତାଙ୍କ ସମ୍ପର୍କୀୟମାନେ ବେଶ୍ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/marriage-1.jpg)