ପରୀକ୍ଷାର୍ଥୀଙ୍କୁ ତର ନାହିଁ

୨୩ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ୨୩ରୁ ମାଟ୍ରିକ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ପରୀକ୍ଷାର୍ଥୀମାନେ ମଧ୍ୟ ଯୁଦ୍ଧକାଳୀନ ଭାବେ ନିଜକୁ ପସ୍ତୁତ କରିନେଇଛନ୍ତି। ବହିରୁ ସେମାନଙ୍କ ନଜର ହଟୁନି। ମନେ ରହୁ ନ ଥିବା ପାଠକୁ ବାରମ୍ବାର ଅଭ୍ୟାସ କରୁଛନ୍ତି। କେଉଁ ସମୟରେ ନିଜକୁ ପ୍ରସ୍ତୁତ କରିବେ, କେଉଁ ବହି ପଢ଼ିବେ, କେତେ ସମୟ ଆବଶ୍ୟକ ତାହା ଉପରେ ନଜର ଦେବାକୁ ଶିକ୍ଷାବିତ୍‌ମାନେ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଅଭିଭାବକମାନେ ମଧ୍ୟ ପିଲାମାନଙ୍କ ଯତ୍ନ ନେଉଛନ୍ତି। କିଏ ପିଲାଙ୍କୁ ଟିପ୍ସ ଦେଉଛନ୍ତି ତ ଆଉ କିଏ ଭଲ ଶିକ୍ଷକଙ୍କୁ ଘରକୁ ଡାକି ପରୀକ୍ଷାରେ କିପରି ଭାବେ ପ୍ରସ୍ତୁତ ହେବେ ସେନେଇ ପରାମର୍ଶ ଦେଉଛନ୍ତି। ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସମୟ ବାହାର କରି ପିଲାଙ୍କୁ ଏବେ ବି ବିଭିନ୍ନ ବିଷୟରେ ଅଭ୍ୟାସ କରାଉଛନ୍ତି। କେତେକ ବିଦ୍ୟାଳୟ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଡାକି ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ପରୀକ୍ଷା ତାରିଖ ନିକଟତର ହେଉଥିବା ବେଳେ ପିଲାମାନେ ଯେପରି ଏହାକୁ ଭୟ ନ କରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର ବୋଲି ଶିକ୍ଷାବିତ୍‌, ବିଭିନ୍ନ ସ୍କୁଲ୍‌ର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଛାତ୍ରଛାତ୍ରୀ କିପରି ଚାପମୁକ୍ତ ଭାବେ ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଛନ୍ତି ସେ ସଂପର୍କରେ ‘ସମ୍ବାଦ’ ପକ୍ଷରୁ ମତାମତ ଲୋଡ଼ିଥିଲେ ପ୍ରଗତି ସାହୁ।

ଚାପମୁକ୍ତ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ପରୀକ୍ଷା ସମୟରେ ଶାରୀରିକ ସହ ମାନସିକ ସୁସ୍ଥତା ଏକାନ୍ତ ଆବଶ୍ୟକ। ପାଠ୍ୟପୁସ୍ତକ ସହ ପୂର୍ବବର୍ଷର ପ୍ରଶ୍ନ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରାମର୍ଶ ଅନୁଯାୟୀ ସଂକ୍ଷିପ୍ତ ଓ ଦୀର୍ଘଉତ୍ତର ମୂଳକ ପ୍ରଶ୍ନଗୁଡ଼ିକ ଅଭ୍ୟାସ କରିବା ଆବଶ୍ୟକ। ନିଷ୍ଠା ଓ ଏକାଗ୍ରତାର ସହ ଚାପମୁକ୍ତ ହୋଇ ପୁସ୍ତୁତ ହେବା ଦରକାର। ପ୍ରଶ୍ନଗୁଡ଼ିକୁ ଭଲ ଭାବେ ପଢ଼ି, ବୁଝି ଉତ୍ତର ଦେବାକୁ ଚେଷ୍ଟା କରିବା ଆବଶ୍ୟକ। କୌଣସି ପ୍ର୍ରଶ୍ନକୁ ବାଦ୍‌ ଦେବେ ନାହିଁ। ଯେଉଁ ପ୍ରଶ୍ନଗୁଡ଼ିକ ସରଳ ଲାଗିବ ପ୍ରରୀକ୍ଷାର୍ଥୀମାନେ ତା’ର ଉତ୍ତର ପ୍ରଥମେ ଲେଖିବା ଦରକାର।
-ଶୈଳାଧିରାଜତନୟା ଶତପଥୀ, ପ୍ରଧାନଶିକ୍ଷୟିତ୍ରୀ, ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟ

ଛାତ୍ରଛାତ୍ରୀ ପରୀକ୍ଷା ସମୟରେ ଚାପମୁକ୍ତ ରହିବା ଆବଶ୍ୟକ। ପୂର୍ବ ଅପେକ୍ଷା ବର୍ତମାନର ପରୀକ୍ଷା ଅଧିକ ସରଳୀକରଣ ହୋଇଥିବାରୁ ପିଲାମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପାଠପଢ଼ା ସହ ଖାଇବା, ଶୋଇବା ଉପରେ ଧ୍ୟାନ ଦେବା ଦରକାର। ପରୀକ୍ଷାକୁ ଅତି ଜଟିଳ ଭାବେ ନ ନେଇ ଏହାର ଗୁରୁତ୍ୱ ବୁଝି ପରିଶ୍ରମ କଲେ ଭଲ ଫଳ ମିଳିବ।
-ସୋନାମିକା ରାୟ, ପ୍ରଧାନ ଶିକ୍ଷୟିତ୍ରୀ, କ୍ୟପିଟାଲ ହାଇସ୍କୁଲ

ପରୀକ୍ଷା ପାଖେଇ ଆସୁଥିବାରୁ ପିଲାମାନେ ଯେପରି ଭଲ ରେଜଲ୍ଟ କରିବେ ସେଥିପାଇଁ ସେମାନଙ୍କୁ ଧ୍ୟାନ ଦେବାକୁ ହେବ। ଦିନକୁ ଅତି କମରେ ୧୦ରୁ୧୨ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ଯେକୌଣସି ଉପାୟରେ ଭଲ ରେଜଲ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷାର୍ଥୀ ଯେତେ ଚାପମୁକ୍ତ ହେବେ ସେତେ ଭଲ। ଯଦି କୌଣସି ପାଠ୍ୟକ୍ରମରେ ସନ୍ଦେହ ସୃଷ୍ଟି ହେଉଛି ଶିକ୍ଷକମାନଙ୍କ ସହ ଆଲୋଚନା କରି ତାହାକୁ ଦୂର କରିବାକୁ ଆମେ ପରାମର୍ଶ ଦେଉଛୁ।
-ମଞ୍ଜୁଶ୍ରୀ ମହାନ୍ତି, ଶିକ୍ଷୟିତ୍ରୀ, ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟ

ଆଉ ୩ ଦିନ ପରେ ପରୀକ୍ଷା ଥିବାରୁ ସେଥିପାଇଁ ଭୋର ୪ଟାରୁ ଉଠି ବାରମ୍ବାର ଅଭ୍ୟାସ କରୁଛି। ଟ୍ୟୁସନ୍‌ରେ ପଢ଼ାଯାଉଥିବା ପାଠକୁ ଘରେ ଆସି ଅଭ୍ୟାସ କରୁଥିଲି। ଏବେ ଗଣିତ ପ୍ରତି ଅଧିକ ଧ୍ୟାନ ଦେଉଛି। ଏଥିସହ ଟେଷ୍ଟ ପେପର୍‌ ଓ ସ୍କୁଲ ନୋଟ୍‌ରୁ ପ୍ରଶ୍ନ ଉତ୍ତର ଅଭ୍ୟାସ କୁରୁଛି।
-ରୂପାଲି ରୁଚିସ୍ମିତା ବେହେରା, ଛାତ୍ରୀ, ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାୟ

ଗତ ସପ୍ତାହେ ହେଲା ପରୀକ୍ଷା ଲାଗି ବାରମ୍ବାର ଅଭ୍ୟାସ କରୁଛି। ସବୁ ବିଷୟକୁ କିଭଳି ଛୁଇଁପାରିବି ଏଥିପ୍ରତି ଧ୍ୟାନ ଦେଉଛି। ପ୍ରତିଦିନ ୮ରୁ ୯ଘଣ୍ଟା ପରିଶ୍ରମ କରୁଛି। କୌଣସି ବିଷୟରେ କିଛି ସନ୍ଦେହ ସୃଷ୍ଟି ହେଲେ ବିଦ୍ୟାଳୟକୁ ଯାଇ ଶିକ୍ଷକ/ଶିକ୍ଷୟିତ୍ରୀଙ୍କଠାରୁ ପଚାରି ବୁଝୁଛି।
-ଅଲିସା ପ୍ରଧାନ, ଛାତ୍ରୀ, ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାୟ

ସବୁ ବିଷୟର ଅଭ୍ୟାସ ସରିଗଲାଣି। ପ୍ରଶ୍ନପତ୍ରରେ ୫୦%ମାର୍କ ସଂକ୍ଷିପ୍ତ ପ୍ରଶ୍ନ ରହୁଥିବାରୁ ସେଥିପ୍ରତି ଗୁୁରୁତ୍ୱ ଦେଉଛିି। ପ୍ରଥମ ଦିନରେ ଥିବା ପରୀକ୍ଷା ଲାଗି ଏବେ ପ୍ରସ୍ତୁତ କରିବି। ଗଣିତ ଓ ବିଜ୍ଞାନରେ ଟିକିଏ ଦୁର୍ବଳ ଥିବାରୁ ସେଥିପ୍ରତି ବେଶି ଧ୍ୟାନ ଦେଉଛି।
-ଅଭିଜିତ ଜେନା, ଛାତ୍ର, କ୍ୟପିଟାଲ ହାଇସ୍କୁଲ

ଏବେ ଦିନକୁ ୬ରୁ ୮ଘଣ୍ଟା ପରିଶ୍ରମ କରୁଛି। ୪ ମାସ ପୂର୍ବରୁ ପରୀକ୍ଷା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗଣିତ ଓ ଇଂରାଜୀ ରଚନା ଓ ରିପୋର୍ଟିଂ ଲେଖା ଉପରେ ବେଶି ଗୁରୁତ୍ୱ ଦେଉଛି। ଖବରକାଗଜ ଓ ଟେଷ୍ଟ ପେପରରେ ଆସୁଥିବା ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ଉପରେ ଅଭ୍ୟାସ ଜାରି ରଖିଛି।
-ସରୋଜ କୁମାର ନାୟକ, ଛାତ୍ର, କ୍ୟପିଟାଲ ହାଇସ୍କୁଲ

ଶିକ୍ଷାବିତ୍‌ଙ୍କ ପରାମର୍ଶ

ପରୀକ୍ଷା ପୂର୍ବଦିନ ରାତିରେ ଅନିଦ୍ରା ରହିବା ଉଚିତ ନୁହେଁ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ପ୍ରତି ଧ୍ୟାନ ଦେବା ଆବଶ୍ୟକ
ଘୋଷିବା ଛାଡ଼ି ଉତ୍ତରକୁ ଭଲ ଭାବେ ବୁଝି ଲେଖିବା ଦରକାର
ପଢ଼ିବା ସମୟରେ ଟାଇମ ଟେବୁଲ ପ୍ରସ୍ତୁତ କରନ୍ତୁ
କଷ୍ଟ ଲାଗୁଥିବା ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ
ପଢ଼ିବା ସମୟରେ ବଡ଼ ପାଟିରେ ପଢ଼ିବା ଦରକାର
କମ୍‌ ସମୟରେ ଅଧିକ ଲେଖିବା ପ୍ରତି ଗୁରୁତ୍ୱ ଦେବା ଦରକାର
ପରୀକ୍ଷା ଖାତାରେ ଲେଖିବା ପୂର୍ବରୁ ପ୍ରଶ୍ନକୁ ଠିକ୍‌ରେ ପଢ଼ିବା ଉଚିତ

ସମ୍ବନ୍ଧିତ ଖବର