ମାର୍ବଲ ସୋରୁମ୍‌ରେ ସିକ୍ୟୁରିଟି କର୍ମଚାରୀଙ୍କ ହତ୍ୟା ମାମଲା

ବୁବୁନା, ଶମ୍ଭୁକୁ ଖୋଜୁଛି ପୁଲିସ

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଭୁବନେଶ୍ବର –କଟକ ଜା‌ତୀୟ ରାଜପଥର ପାହାଳ ବଜାର ୨୨ ତାଲା ନିକଟ ଜୟପୁର ମୌଜା ସ୍ଥିତ ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ ସୋରୁମ୍‌ରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡ ଗଦାଧର ସ୍ବାଇଁ (୫୦)ଙ୍କ ତଣ୍ଟିରେ ଛୁରି ଭୁସି ହତ୍ୟା ଘଟଣାକୁ ଏହା ମଧ୍ୟରେ ୩୬ ଘଣ୍ଟ‌ାରୁ ଅଧିକ ସମୟ ବିତିଗଲାଣି। ହେଲେ ପୁଲିସ ହତ୍ୟାକାରୀମାନଙ୍କ ନିକଟରେ ପହଞ୍ଚି ପାରିନି। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ କଟକସଦର ଥାନା, ପାହାଳ ଫାଣ୍ଡି ଏବଂ ଅନ୍ୟ କେତେକ ସ୍ଥାନରେ ଚଢ଼ଉ କରିଥିବା ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ଗଦାଧରଙ୍କ ମୃତ୍ୟୁ ଘଟଣା ଏବେ ନୂଆମୋଡ଼ ନେଇଛି। ତଦନ୍ତ ସମୟରେ ଗଦାଧରଙ୍କ ସାର୍ଟ ପକେଟ୍‌ରୁ ବୁବୁନା ଭାଇ ଫସାଇଦେଲା ଲେଖାଥିବା କାଗଜକୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରି ଖୋଳତାଡ଼ ଆରମ୍ଭ କରିଛି। ଯୁବକ ବୁବୁନା (୩୫ ବର୍ଷ) ମାଲିକଙ୍କ ସଂପର୍କୀୟ ଏବଂ ସେ ଉକ୍ତ ସଂସ୍ଥାରେ କାମ କରୁଥିଲା। ହେଲେ ସୋରୁମ ମାଲିକଙ୍କ ସହିତ କୌଣସି କଥାକୁ ନେଇ ବଚସା ମନାନ୍ତର ହୋଇଥିଲା। ଆଉ ସୋରୁମ୍‌ ମାଲିକ ତାଙ୍କୁ ୩ ମାସ ତଳେ ଚାକିରିରୁ ବାହାର କରି ଦେଇଥିଲେ। କିନ୍ତୁ ତାଙ୍କର ସୋରୁମ୍‌କୁ ଯିବା ଆସିବା ଲାଗି ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେଣୁ ପୁଲିସ ବୁବୁନାକୁ ସନ୍ଦେହକୁ ନେଇ ତାଙ୍କୁ ଥାନାକୁ ଆଣି ପଚରାଉଚରା କଲେ ସତ୍ୟତା ଜଣାପଡ଼ିଯିବ ଭାବି ଚଢ଼ଉ ଜାରି ରଖିଛି। ଅନ୍ୟପକ୍ଷରେ ଗତ ୩ ବର୍ଷ ତଳେ ଗଦାଧରଙ୍କୁ ପାଖ ଗ୍ରାମ ସୁମାଣ୍ଡିର ଶମ୍ଭୁ ରାଉତ ନାମକ ଯେଉଁ ଯୁବକ ଉକ୍ତ ସିକ୍ୟୁରିଟି ସଂସ୍ଥାରେ ଚାକିରି କରାଇ ଦେଇଥିଲେ ସେ ମଧ୍ୟ ଗ୍ରାମରେ ଦେଖିବାକୁ ମିଳୁ ନଥିବାରୁ ତାଙ୍କ ଉପରେ ସନ୍ଦେହ ହେଉଥିବା ଦର୍ଶାଇ ତାଙ୍କ ପୁଅ ପ୍ରଦୀପ ଆଜି ଅପରାହ୍‌ଣରେ ବାଲିଅନ୍ତା ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ସନ୍ଦେହଜନକ ସ୍ଥିତିରେ ଉଭୟ ବୁବୁନା ଓ ଶମ୍ଭୁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ଗତକାଲି ରାତିରେ ବାଲିଅନ୍ତା ଥାନା ପୁଲିସ କଟକରୋଡ୍‌ ସ୍ଥିତ ଏକ ଆପାର୍ଟମେଣ୍ଟରେ ଚଢ଼ଉ କରି ସୋରୁମ ମାଲିକଙ୍କ ବାପାକୁ ଥାନାକୁ ଆଣି ପଚରାଉଚରା କରୁଛି। ଗଦାଧରଙ୍କ ଜ୍ବାଇଁ ନରେନ୍ଦ୍ର ବାରିକଙ୍କ କହିବାନୁଯାୟୀ ସେ ତାଙ୍କ ଶଳା ପ୍ରଦୀପଙ୍କ ସହିତ ଡିସିପି ଅଫିସକୁ ଯାଇ ଡିସିପି ଅନୁପ ସାହୁଙ୍କୁ ଭେଟି ହତ୍ୟାକାରୀଙ୍କ ଗିରଫ ସଂପର୍କରେ ପଚାରିଥିଲେ। ଡିସିପି ଶ୍ରୀ ସାହୁ ବୁବୁନାକୁ ଧରି ପଚରାଉଚରା ପାଇଁ ଏସିପିଙ୍କୁ ନିର୍ଦେଶ ଦେଇଛନ୍ତି। ଏନେଇ ଏସିପି ଶ୍ରୀ ପଣ୍ଡା ଓ ଥାନା ଅଧିକାରୀ ପ୍ରଦୀପ ରାଉତ ସ୍ବତନ୍ତ୍ର ଭାବେ ଚଢ଼ଉ ଚଳାଇଥିବା ଜଣାପଡ଼ିଛି। ଶମ୍ଭୁ ରାଉତକୁ ଠାବ କରିବା ପାଇଁ ମଧ୍ୟ ପୁଲିସ ଚଢ଼ଉ ଆରମ୍ଭ କରିଛି। ସେହିପରି ଥାନାରେ ଅଟକ ଥିବା ମାର୍ବଲ ସୋରୁମର ସୁଇପର ବିଦୁର ମଲ୍ଲିକ ଓ ସେଲ୍ସମ୍ୟାନ ପ୍ରିୟବ୍ରତ ଭୁୟାଁଙ୍କ ନିକଟରୁ ଘଟଣାର ସତ୍ୟତା ସଂପର୍କରେ ମୁହଁ ଖୋଲି ନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟା ରହସ୍ୟ ଜାଣିବା ପାଇଁ ପୁଲିସ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର