ବଦଳିଛି ବୃତ୍ତି : ସାହା ମାସ୍କ ବେପାର

ପୁରୁଣା ଭୁବନେଶ୍ବର : ମହାମାରୀ କରୋନା କଟକଣା ଜନିତ ତାଲାବନ୍ଦ ପ୍ରକ୍ରିୟା ବିଭିନ୍ନ ବର୍ଗର ଲୋକଙ୍କର ଜୀବନ ଜୀବିକା ଛଡ଼ାଇ ନେଇଛି। ତଥାପି ବଞ୍ଚିବା ପାଇଁ କିଛି ଲୋକ ସଂଘର୍ଷ ଜାରି ରଖିଛନ୍ତି। ଜୀବନ ସଂଗ୍ରାମରେ ଏତେ ସହଜରେ ହାର୍‌ ମାନିବାକୁ ସେମ‌ା‌ନେ ପ୍ରସ୍ତୁତ ନୁହନ୍ତି। ନିଜର ସ୍ବତନ୍ତ୍ର ବୃତ୍ତି ବଦଳାଇ ସେମାନେ ରୋଜଗାରର ନୂଆ ବାଟ ବାଛି ନେଇଛନ୍ତି। ଏଭଳି ଲୋକମାନେ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଚର୍ଚ୍ଚା ହେଉଛି। ପୁରୁଣା ଭୁବନେଶ୍ବରର ମାଗାଜିନ୍ ‌ବ୍ୟବସାୟୀ ବିଜୟ ବେହେରା ଓ ମହିଳା ଟେଲର ଲଳିତା ପଲେଇଙ୍କ କଥାକୁ ବିଚାରକୁ ନେଲେ ଜୀବନ ସଂଗ୍ରାମର ଚିତ୍ର ଜଳଜଳ ହୋଇ ଦିଶିଯାଏ। ନିଜର ପୁରୁଣା ବୃତ୍ତିରୁ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେମାନେ ମାସ୍କ ତିଆରି ଓ ବିକିବା ପନ୍ଥା ଆପଣେଇଛନ୍ତି। ମାସ୍କ ବେପାର ଏବେ ସେମାନଙ୍କ ଭରସା ପାଲଟିଛି।

ରବି ଟକିଜ୍‌ ଛକରେ ମାଗାଜିନ୍‌ ଓ ଖବର କାଗଜ ଦୋକନ କରି ପରିବାର ଚଳାଉଥିଲେ ବିଜୟ ବେହେରା। ବିଭିନ୍ନ ପ୍ରକାର ଖବର କାଗଜ ସହ ୪୦ରୁ ଅଧିକ ପ୍ରକାର ମାଗାଜିନ୍‌ ବେପାର କରି ଦୁଇ ପଇସା ଭଲ ରୋଜଗାର କରୁଥିଲେ। ମାତ୍ର ଲକ୍‌ଡାଉନ୍‌ରେ ବେପାର ବନ୍ଦ। ଦେଢ଼ ମାସ ହେଲା ଦୋକାନରେ କେବଳ ପୌରୁଷ, କଥା, କାଦମ୍ବିନୀ, ଝଙ୍କାର, ଅମୃତାୟନ ଏପରି ହାତ ଗଣତି କେ‌ତେଟା ମାଗାଜିନ୍‌ ସେ ବିକ୍ରି କରୁଛନ୍ତି। ଫଳରେ ପରିବାର ଭରଣପୋଷଣ ପାଇଁ ଆବଶ୍ୟକ ଖର୍ଚ୍ଚ ଉଠୁନାହିଁ। ତେଣୁ ଏବେ ସେ ମାସ୍କ ବେପାରକୁ ଆପଣେଇ ନେଇଛନ୍ତି। ମାଗାଜିନ୍ ବେପାର ସାଙ୍ଗରେ ମାସ୍କ ବିକ୍ରିକୁ ଯୋଡ଼ିଛନ୍ତି। ସମ୍ପ୍ରତି ମାସ୍କର ଚାହିଦା ଏବେ ଖୁବ୍ ଅଧିକ ଥିବାରୁ କିଛି ପରିମାଣରେ ଭଲ ବେପାର ହେଉଛି। ସେହିପରି ଟଙ୍କପାଣି ‌ରୋଡ୍‌ର ଅଜୟ ଏବେ ରାସ୍ତା କଡ଼ରେ ସାନିଟାଇଜ୍‌ ବିକ୍ରି କରୁଛନ୍ତି। କେବଳ ବିଜୟ ଓ ଅଜୟ ନୁହଁନ୍ତି, ଏମିତି ଅନେକଙ୍କ ବୃତ୍ତି ବଦଳାଇ ଦେଇଛି କରୋନା। ବଣିଆ ସାହିର ଟେଲର ଦିଦି ଲଲିତା ପଲେଇ ଏବେ ମାସ୍କ ତିଆରିକୁ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି । ଏବେ ପୋଷାକ ପତ୍ର ସିଲେଇ ବେପାର ପୂରା ମାନ୍ଦା ପଡ଼ିଛି। ଲୋକଙ୍କ ପାଖରେ ପଇସା ନଥିବାରୁ ପୋଷାକ ସିଲେଇ କାମ ବହୁତ କମ୍ ମିଳୁଛି। ତେଣୁ ହାତବାନ୍ଧି ବସିବା ଅପେକ୍ଷା ମାସ୍କ ତିଆରି କରି ବିକିବାକୁ ସେ ବାଧ୍ୟ ହୋଇଛନ୍ତି । ପୂର୍ବ ଭଳି ବେପାର ନ ହେଲେ ମଧ୍ୟ ପରିବାର ଚଳିବା ପାଇଁ ମାସ୍କ ତିଆରି କିଛିଟା ସହଯୋଗ କରୁଛି ବୋଲି ଲଳିତା କହିଛନ୍ତି।

ସମ୍ବନ୍ଧିତ ଖବର