ରାଜଧାନୀରେ ମାସ୍କ ଧରପଗଡ଼ : ଚେତୁନାହାନ୍ତି କି ସଚେତନ ହେଉନାହାନ୍ତି

ହେଲମେଟ୍‌ ଗାଡ଼ିରେ, ମାସ୍କ ଥୋଡ଼ିରେ ଝୁଲାଇ ବୁଲୁଛନ୍ତି, ସାମାଜିକ ଦୂରତ୍ବକୁ ଲୋକ ଭୁଲିଗଲେଣି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାଡ଼ି ମାଡ଼ି ଚାଲିଛି କରୋନା। ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟପିଲାଣି। କିନ୍ତୁ ଲୋକ ପୂରା ବେଫିକର। କେହି କିଛି ମାନିବାକୁ ନାରାଜ। ସତେ ଯେପରି କରୋନା ଭୂତାଣୁ ବୋଲି ଆଉ କିଛି ନାହିଁ। ବଜାରଘାଟ, ହାଟ ସବୁଠି ଖାଲି ଗହଳି ଆଉ ଗହଳି। ଯେଉଁ ଦୁଇଟି ଅତି ଆବଶ୍ୟକ ସେହି ଦୁଇଟିକୁ କେହି ମାନିବାକୁ ନାରାଜ୍। ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା କଥା ଲୋକ ପୂରାପୂରି ମନରୁ ଭୁଲି ଗଲେଣି। ପରିବା ହେଉ କି ମାଛ ହାଟ, ତେଜରାତି ହେଉ କି ଜଳଖିଆ ଦୋକାନ ସବୁଠି ଲାଗୁଛି ଗହଳି। ଲୋକ ଦେହକୁ ଦେହ ଘଷି ହୋଇ ଯାଉଛନ୍ତି। ଆଉ ଗୋଟିଏ ଗୋଟିଏ ଜାଗାରେ ହାଉଯାଉ ପରିସ୍ଥିତି। ଯେମିତି ଗୋଟିଏ ସାମଗ୍ରୀ ନେବା ଲାଗି ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। କମିସନରେଟ ପୁଲିସ, ବିଏମ୍‌ସି ଲୋକଙ୍କୁ ବୁଝାଇ ବୁଝାଇ ନୟାନ୍ତ ହୋଇ ଗଲେଣି। ମାସ୍କକୁ ଲୋକ ଫୁ କରି ଦେଉଛନ୍ତି। ପୂର୍ବରୁ ଯେମିତି ଗାଡ଼ିରେ ହେଲମେଟ ଓହଳାଇ ବୁଲୁଥିଲେ ଏବେ ମାସ୍କକୁ ଥୋଡ଼ିରେ ବାନ୍ଧି ବୁଲୁଛନ୍ତି। ସତେ ଯେପରି ପୁଲିସ କବଳରୁ ବର୍ତ୍ତିବା ପାଇଁ ଏପରି କରୁଛନ୍ତି। ବିଶେଷ କରି କେତେକ ଅମାନିଆ ଯୁବକ ଓ ନାବାଳିକା ମାସ୍କ ନ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଗୋଟିଏ ବାଇକ୍‌ରେ ୩ ଜଣ ବସି ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳିଛି। ଆଉ କେତେକ ବାଇକ୍‌ ଚାଳକଙ୍କ ମୁଣ୍ଡରେ ହେଲମେଟ ନ ଥିବା ବେଳ ମୁହଁରେ ମାସ୍କ ବି ନାହିଁ। ଏହା ସତ୍ତ୍ବେ କାନରେ ମୋବାଇଲ ଦେଇ ବେପରୁଆ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି।

କମିସନରେଟ ପୁଲିସ ପକ୍ଷରୁ ମାସ୍କ ଧରପଗଡ଼ ଆରମ୍ଭ ହୋଇଛି। ସବୁ ଥାନା ଅଞ୍ଚଳରେ ମାସ୍କ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ଜଣାପଡ଼ିଛି। ପ୍ରମୁଖ ଥାନା ଅଞ୍ଚଳରେ ଗୋଟିଏ ଦିନରେ ପାଖାପାଖି ୧୫୦ରୁ ଅଧିକ ମାସ୍କ ଆଇନ ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ମିଳିଛି। ତେବେ ପ୍ରତ୍ୟେକ ଥାନା ଅଞ୍ଚଳରେ ଅତି କମ୍‌ରେ ଦୁଇଶହ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା କରିବାକୁ ନିର୍ଦ୍ଦେଶ ରହିଛି। ଗତ ଏକ ସପ୍ତାହ ମଧ୍ୟରେ ମାସ୍କ ପାଇଁ ୨ ହଜାର ୨୨୬ ଉଲ୍ଲଂଘନକାରୀ ଧରାପଡ଼ିଥିବା ବେଳେ ସାମାଜିକ ଦୂରତା ପାଇଁ ୬ ହଜାର ୨୦୭ ଉଲ୍ଲଂଘନକାରୀ ଧରାପଡ଼ିଛନ୍ତି। ଦିନକୁ ପାଖାପାଖି ୧ ହଜାର ୧ଶହ ଉଲ୍ଲଂଘନକାରୀ ଧରା ପଡ଼ୁଛନ୍ତି।

ସମ୍ବନ୍ଧିତ ଖବର