ବିନା ମାସ୍କରେ ୨୨ ସେକେଣ୍ଡରେ ୨୫ ଫୁଟ୍ ପର୍ଯ୍ୟନ୍ତ ବ୍ୟାପୁଛି ଛିଙ୍କ
ମାସ୍କ ପିନ୍ଧିଲେ ମଧ୍ୟ ହାତ/କହୁଣୀ ଦେଇ ଛିଙ୍କନ୍ତୁ
ଭୁବନେଶ୍ୱର : କରୋନା ସମୟରେ ମାସ୍କ ଓ ଫେସ୍ ସିଲ୍ଡ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମେସ୍ତ ମାସ୍କ ପିନ୍ଧିବା ଲାଗି ଗୁରୁତ୍ବ ଦେଉଛନ୍ତି। ହେଲେ ଏସବୁ କରୋନା ସଂକ୍ରମଣ ରୋକିବାରେ ଯଥେଷ୍ଟ ନୁହେଁ। କାରଣ ମାସ୍କ ଓ ଫେସ୍ ସିଲ୍ଡ ପିନ୍ଧିଥିବା ଜଣେ ବ୍ୟକ୍ତି ଯଦି ଛିଙ୍କନ୍ତି, ତା’ ହେଲେ ଛିଙ୍କରୁ ବାହାରୁଥିବା ଡ୍ରପଲେଟ୍ ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରୁନାହିଁ। ମାସ୍କ, ଫେସ୍ ସିଲ୍ଡ କେବଳ ୧-୩ ଫୁଟ୍ ପର୍ଯ୍ୟନ୍ତ ଡ୍ରପଲେଟ୍କୁ ବ୍ୟାପିବା କମାଇବାରେ ସାହାଯ୍ୟ କରୁଛି। ତେଣୁ ବଜାରରେ ବହୁ ପ୍ରକାରର ମାସ୍କ ବିକ୍ରି ହେଉଥିବା ବେଳେ ଏସବୁ ମାସ୍କ ପ୍ରକୃତରେ ଛିଙ୍କର କ୍ଷୁଦ୍ର ଡ୍ରପଲେଟ୍କୁ ସଂପୂର୍ଣ୍ଣ ଭାବେ ରୋକିବା ଦିଗରେ ସହାୟକ ହେଉ ନଥିବା ଆଇଆଇଟି ଭୁବନେଶ୍ବର ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନକୁ ଆମେରିକାର ଫିଜିକାଲ ସୋସାଇଟିର ଫିଜିକ୍ସ ଅଫ୍ ଫ୍ଲୁଇଡ ଜର୍ଣ୍ଣାଲରେ ‘ଫିଚର ଆର୍ଟିକିଲ’ ଅନ୍ୟମାନଙ୍କ ଦ୍ବାରା ସମୀକ୍ଷା (ପିୟର ରିଭ୍ୟୁ) କରିବା ଲାଗି ଚୟନ କରାଯାଇଛି।
ଅପରପକ୍ଷରେ ଯଦି କୌଣସି ବ୍ୟକ୍ତି ମାସ୍କ କିମ୍ବା ଫେସ୍ ସିଲ୍ଡ ବିନା ଏକ ସ୍ଥିର ପରିବେଶରେ ଛିଙ୍କୁଛନ୍ତି, ଛିଙ୍କରୁ ବାହାରୁଥିବା ଡ୍ରପଲେଟ୍ ୨୨ ସେକେଣ୍ଡରେ ୨୫ ଫୁଟ୍ ପର୍ଯ୍ୟନ୍ତ ବ୍ୟାପି ପାରୁଛି। ତେଣୁ ମାସ୍କ ପିନ୍ଧିଥିବା ସମୟରେ ମଧ୍ୟ କହୁଣୀ କିମ୍ବା ହାତ ଦ୍ବାରା ଛିଙ୍କିବା ଉପରେ ଅଧ୍ୟୟନରେ ଗୁରୁତ୍ବ ଦିଆଯାଇଛି। ଅଧିକାଂଶ ଲୋକ ମାସ୍କ ପିନ୍ଧୁଥିଲେ ହେଁ ଏହାକୁ ଠିକ୍ ଭାବେ ପିନ୍ଧୁ ନାହାନ୍ତି। ତେଣୁ ଆଇଆଇଟି ଭୁବନେଶ୍ବର ପକ୍ଷରୁ ହୋଇଥିବା ଏହି ଅଧ୍ୟୟନ ବିଚିତ୍ର ଢଙ୍ଗରେ ମାସ୍କ ପିନ୍ଧୁଥିବା ଲୋକମାନଙ୍କୁ ସଚେତନ କରିବା ଦିଗରେ ସହାୟକ ହୋଇପାରିବ। ଅପରପକ୍ଷେ, ପବନ ବୋହିଲେ କ୍ଷୁଦ୍ର ଡ୍ରପଲେଟ୍/ପାର୍ଟିକିଲ୍ର ଆଚରଣ କିଭଳି ରହିବ; ତାହା ଜାଣିବା ପାଇଁ ଏହି ଅଧ୍ୟୟନର ସହାୟତା ନିଆଯାଇପାରିବ ବୋଲି କୁହାଯାଇଛି। କେବଳ ମାସ୍କ ନୁହେଁ, ୬ ଫୁଟ୍ର ସାମାଜିକ ଦୂରତ୍ବ କରୋନା ସଂକ୍ରମଣ ରୋକିବାରେ ଫଳପ୍ରଦ ହୋଇପାରିବ ବୋଲି ଅଧ୍ୟୟନରେ କୁହାଯାଇଛି। ଆଇଆଇଟିର ସ୍କୁଲ୍ ଅଫ ମେକାନିକାଲ ସାଇନ୍ସର ସହାକାରୀ ପ୍ରଫେସର୍ ଡ. ବେଣୁଗୋପାଳ ଆରୁମୁରୁ ଓ ତାଙ୍କ ଟିମ୍ ଏହି ଅଧ୍ୟୟନ କରିଛନ୍ତି।
ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର୍ ଆର.ଭି ରାଜାକୁମାର ଆଇଆଇଟି ପକ୍ଷରୁ ହୋଇଥିବା ଏହି ଅଧ୍ୟୟନକୁ ପ୍ରଶଂସା କରିବା ସହିତ ଛିଙ୍କିବା, କାଶିବା ଓ କଥା ଦ୍ବାରା ସଂକ୍ରମଣ ବ୍ୟାପୁଥିବାରୁ ଲୋକମାନେ ଏଥିପ୍ରତି ସତର୍କ ହେବା ଉପରେ ଗୁରୁତ୍ବ ଦେଇଛନ୍ତି। ତେଣୁ ଏହି ଅଧ୍ୟୟନରୁ ମାସ୍କ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ଏହାର ଡିଜାଇନ୍ରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଡିନ୍ ଆର ଏଣ୍ଡ ଡି ପ୍ରଫେସର୍ ସୁଜିତ ରୟ କହିଛନ୍ତି, ଆଇଆଇଟି ଭୁବନେଶ୍ବରର ଏହି ଅଧ୍ୟୟନ ଗୋଷ୍ଠୀ ସଂକ୍ରମଣ ରୋକିବା ଦିଗରେ ବିଶେଷ ସହାୟକ ହୋଇପାରିବ। ସ୍କୁଲ୍ ଅଫ ମେକାନିକାଲ ସାଇନ୍ସର ମୁଖ୍ୟ ଡ. ମିହିର କୁମାର, ବଜାରରେ ମିଳୁଥିବା ଶସ୍ତା ମାସ୍କରୁ କିଭଳି ଡ୍ରପଲେଟ୍ ବ୍ୟାପି ପାରୁଛି, ତାହାକୁ ପଦାକୁ ଆଣିବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି।
ଦିନକରେ ୨୮ ଆକ୍ରାନ୍ତ
ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି। ଗୋଟିଏ ଦିନରେ ୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୨୪ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୭୫୧କୁ ବୃଦ୍ଧି ପାଇଛି। ତେବେ ସଂକ୍ରମଣ ତୁଳନାରେ ୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୦,୮୧କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୪୩୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ବରରେ କୌଣସି କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇନାହିଁ।