ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମାସ୍କ

ଭୁବନେଶ୍ବର : ମହାମାରୀ କରୋନାର ଭୟଙ୍କର ଦ୍ବିତୀୟ ଲହର ସମାଜର ସବୁ ବର୍ଗକୁ ପ୍ରଭାବିତ କରିଛି। ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ, ଦିନ ମଜୁରିଆ ଶ୍ରେଣୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକେ। ରୋଜଗାର ବନ୍ଦ ସାଙ୍ଗକୁ ବଜାର ଦର ବୃଦ୍ଧି ଏହି ଦୁଇ ବର୍ଗର ମେରୁଦଣ୍ଡ ଭାଙ୍ଗି ପକାଇଛି। ରାଜଧାନୀର ବସ୍ତିବାସିନ୍ଦାମାନେ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବହୁ ପରିବାର ସ୍ବେଚ୍ଛାସେବୀମାନଙ୍କ ହାତଟେକାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ପ୍ରତିକୂଳ ସ୍ଥିତିରେ ବି ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ପାଣ୍ଡରା କିମ୍ବିରିଆ ବସ୍ତିର କିଛି ମହିଳା ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କୁ କରୋନା ମୁକାବିଲାର ଅସ୍ତ୍ର ମାସ୍କ ଏବଂ ସାଇନିଟାଇଜର୍ ପ୍ରସ୍ତୁତି ସ୍ବାବଲମ୍ବୀ କରିଛି। ରୋଜଗାର ହରାଇ ପୁରୁଷ ଲୋକଟି ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଘରର ମହିଳା ଜଣକ ଏହି ମାଧ୍ୟମରେ ପରିବାରର ଆର୍ଥିକ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି।

ତାଲାବନ୍ଦ ସଂକଟ ବେଳେ ଅନେକ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକ କାମ ନପାଇ ହାତ ବାନ୍ଧି ଘରେ ବସିଛନ୍ତି। ଫଳରେ ସେମାନଙ୍କ ପରିବାର ଭୋକଉପାସରେ କାଳତିପାତ କରୁଛି। କିନ୍ତୁ ପାଣ୍ଡରା କିମ୍ବିରିଆ ବସ୍ତିର ୧୦ରୁ ଊର୍ଦ୍ଧ୍ବ ମହିଳା ଏକ ଉଦାହରଣ ପାଲଟିଛନ୍ତି। ସାମାଜିକ ସଂଗଠନ ‘ଅଭିକ୍ଷା’ ସେମାନଙ୍କୁ ରିଲିଫ୍ ନ ଦେଇ ଶ୍ରମ ଯୋଗାଇ ଦେଇଛି। ଏକ ଘରୋଇ କମ୍ପାନିଠାରୁ ସାନିଟାଇଜର ଷ୍ଟିକରିଂ ଓ ପ୍ୟାକିଂ କରିବା କାମ ଆଣି ଏହି ମହିଳାମାନଙ୍କ ଦ୍ବାରା କରାଉଛି। ଏଥିସହିତ ସେମାନଙ୍କୁ ମାସ୍କ ସିଲେଇ କରିବା କାମ ଶିଖାଇ କରାଉଛି। ଫଳରେ ଏବେ ପ୍ରତି ମହିଳା ମାସିକ ୭ରୁ ୮ହଜାର ଟଙ୍କା ଉପାର୍ଜନ କରିପାରୁଛନ୍ତି। ଏହି ମହିଳାମାନଙ୍କ ପ୍ରସ୍ତୁତ ମାସ୍କ ଓ ପ୍ୟାକିଂ ହେଉଥିବା ସାନିଟାଇଜର ଭୁବନେଶ୍ବର ବଜାର ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି।

ବର୍ତ୍ତମାନ ସମୟରେ ମାସ୍କ ଏବଂ ସାନିଟାଇଜର ଭଳି କରୋନା ମୁକାବିଲା ଅସ୍ତ୍ରର ଚାହିଦା ବୃଦ୍ଧି ପାଇଛି। ତେଣୁ ମହିଳାମାନଙ୍କୁ ସବୁଦିନ କାମ ମିଳୁଛି। କମ୍ପାନିର ବରାଦ ଅନୁସାରେ ପ୍ରତ୍ୟେକ ଦିନ ପାଖାପାଖି ୧୦୦ରୁ ଅଧିକ ମାସ୍କ ସିଲେଇ କରାଯାଉଛି ଓ ପ୍ରାୟ ୨୦ ହଜାର ବଟଲ୍‌ ସାନିଟାଇଜର ପ୍ୟାକିଂ ଓ ଷ୍ଟିକରିଂ କରାଯାଉଛି। ‘ଅଭିକ୍ଷା’ର ପ୍ରତିଷ୍ଠାତା ମାନସୀ ଶତପଥୀଙ୍କ କହିବାନୁସାରେ ମହିଳାମାନେ ପରିଶ୍ରମ କରୁଛନ୍ତି। ସେମାନଙ୍କୁ କେବଳ ରିଲିଫ୍ ସାମଗ୍ରୀ ଦେଲେ ଚଳିବ ନାହିଁ। ହାତଟେକା ବେଶି ଦିନ ପରିବାରକୁ ଚଳାଇବ ନାହିଁ। ତେଣୁ ସେମାନଙ୍କ ପାଇଁ ଶ୍ରମ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଏହା ପରେ ସେମାନଙ୍କୁ ଅନ୍ୟାନ୍ୟ ସ୍ବାବଲମ୍ବୀ ପନ୍ଥା ବତାଇ ଦିଆଯିବ।

ସମ୍ବନ୍ଧିତ ଖବର